୧୦ ସେକେଣ୍ଡରୁ ଅଧିକ ସମୟ ଗାଡ଼ି ଅଟକିଲେ ଟୋଲ ଫି’ ଛାଡ଼

ଆଉ ଟୋଲଗେଟରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ମାତ୍ର ୧୦ ସେକେଣ୍ଡରେ ପାର ହେବେ ଟୋଲ ଗେଟ୍ । ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ । ସୂଚନା ଅନୁଯାୟୀ ଟୋଲ ପ୍ଲାଜାରେ ଏବେଠାରୁ ଗାଡ଼ିଗୁଡିକୁ ୧୦ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଏନଏଚଏଆଇ ନିର୍ଦ୍ଦେଶ ପରେ ଟୋଲ ପ୍ଲାଜାରେ ହେଉଥିବା ଦୀର୍ଘ ସମୟର ଅପେକ୍ଷାକୁ ଏଡ଼ାଇ ଦିଆ ଯାଇପାରିବ । ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏବେଠାରୁ ପିକ୍ ଆୱାରରେ ମଧ୍ୟ ଟୋଲ ପ୍ଲାଜାରେ ଗାଡ଼ିକୁ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ଲାଗିବ ନାହିଁ । ଯଦି କୌଣସି କାରଣରୁ ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ରହୁଛି, ତେବେ ଗାଡ଼ିଠାରୁ ଟୋଲ ଟ୍ୟାକ୍ସ ନିଆଯିବ ନାହିଁ । ସେମାନଙ୍କୁ ବିନା ଟୋଲ ଟ୍ୟାକ୍ସ ଦେଇ ପାର ହେବାକୁ ଅନୁମତି ମିଳିବ ।

ଏନଏଚଏଆଇର ନିୟମ ଅନୁସାରେ ସବୁ ଟୋଲ ପ୍ଲାଜାରେ ୧୦୦ ମିଟର ଦୂରତା ଦର୍ଶାଇବା ପାଇଁ ଏକ ହଳଦିଆ ଲାଇନ ରହିବ । ଏହି ସୁବିଧା ଦେଶର ସବୁ ଟୋଲ ଗେଟରେ କରାଯିବ । ଅନ୍ୟପକ୍ଷରେ ଗତ କିଛି ଦିନରୁ ଶତପ୍ରତିଶତ କ୍ୟାଶ୍ ଲେସ୍ ବ୍ୟବସ୍ଥା ଲାଗୁ ହୋଇସାରିଛି

ଦେଶରେ ବଢୁଥିବା ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହକୁ ଧ୍ୟାନରେ ରଖି ଏକ କୁଶଳ ବ୍ୟବସ୍ଥା ଆଗାମୀ ୧୦ ବର୍ଷ ମଧ୍ୟରେ କରାଯିବ ବୋଲି ସୂଚନା ମିଳିଛି । ଏଠାରେ କହି ରଖିବୁ ଯେ କିଛି ବର୍ଷ ଆଗରୁ ଟୋଲ ପ୍ଲାଜାରେ ଖୁବ୍ ଭିଡ଼ ଜମୁଥିଲା । ଗାଡ଼ି ପଛକୁ ଗାଡ଼ି ଧାଡ଼ି ହୋଇ ଲମ୍ବି ଥାଏ ।

ଏମିତି ଘଣ୍ଟାଏରୁ ଅଧିକ ସମୟ ଧରି ଲୋକେ ସେହି ଟୋଲ ପ୍ଲାଜା ଲାଇନ୍‌ରେ ଗାଡ଼ି ଧରି ଛିଡ଼ା ହୋଇଥାନ୍ତି ।ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ଯେବେଠୁ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ କରାଗଲା, ସେବେଠୁ ଟୋଲ ପ୍ଲାଜାରେ ଗହଳି କମ୍ ଦେଖାଯାଉଛି ।

odia sambada
Comments (0)
Add Comment