ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ପ୍ରକଳ୍ପ : କେବେ ହେବ ଆରମ୍ଭ, କେତେ ଖର୍ଚ୍ଚ ହେବ ଟଙ୍କା,କେତେ ଟାଇମ ଲାଗିବ ?

ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ଚର୍ଚ୍ଚାରେ ଶୁଣିବାକୁ ମିଳିଛି ଯେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ।

ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ତାପରେ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ଯିବ ବୋଲି ଯୋଜନା କରିଛନ୍ତି ସରକାର। 29 କିଲୋମିଟର ଦୀର୍ଘ ଏହି ଟ୍ରାକ ପାଇଁ ପ୍ରାୟ 8000 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଅର୍ଥାତ କିଲୋମିଟର ପିଛା ପ୍ରାୟ 250 କୋଟି ଖର୍ଚ ହେବ। ପ୍ରାୟ 450ଟି ଖୁମ୍ବ ଉପରେ ଛିଡା ହେବ ମେଟ୍ରୋ ଟ୍ରାକ୍। ଏହି ରୁଟରେ 7-8ଟି ମେଟ୍ରୋ ଷ୍ଟେସନ ନିର୍ମାଣ ହେବ। ଷ୍ଟେସନରୁ ତଳକୁ ଓହ୍ଲାଇଲେ ତତକ୍ଷଣାତ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା ରହିବ।

ମେଟ୍ରୋ ସ୍ୱପ୍ନ ଯଦି ସଫଳ ହୁଏ ତେବେ ଭୁବନେଶ୍ୱରରୁ କଟକ ପହଞ୍ଚିବାକୁ ମାତ୍ର 15 ମିନିଟ୍ ଲାଗିବ ଏବଂ ପୁରୀରେ ପହଁଞ୍ଚିବାକୁ ମାତ୍ର ଅଧାଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। କଟକ ଏବଂ ଭୁବନେଶ୍ୱରବାସୀଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ଟ୍ରାଫିକ୍। ପିକ୍ ଆୱାର ହେଉ କିମ୍ବା କୌଣସି ବଡ କାର୍ଯ୍ୟକ୍ରମ ଥିଲେ ପୋଲିସକୁ ବି ଭିଡ଼ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡୁଛି।

ଏପରିକି ଭିଡ଼ରେ ଆମ୍ବୁଲାନ୍ସ ଫଶିବା, ଘଣ୍ଟା ଘଣ୍ଟା ଧରି ଲୋକ ଖରାରେ ଠିଆ ହେବା ଏକ ପ୍ରତିଦିନର ଘଟଣା ହେଇଗଲାଣି। ତେଣୁ ମେଟ୍ରୋ ଗଡ଼ିଲେ ଟ୍ରାଫିକ୍ ଜାମ କମିବା ସହ ଲୋକେ ଠିକ୍ ସମୟରେ ନିଜ ନିଜ ସ୍ଥାନରେ ପହଞ୍ଚି ପାରିବେ ବୋଲି ଆଶା କରାଯାଉଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁଠାରେ ଏବେ ମେଟ୍ରୋ ପ୍ରକଳ୍ପ ଚାଲୁଛି ଯେପରିକି ଦିଲ୍ଲୀରେ। ସେଠାରେ ପ୍ରତି ଦିନ 50 ଲକ୍ଷ ଲୋକ ଯାତାୟତ କରୁଥିଲେ ମଧ୍ୟ ମେଟ୍ରୋ କ୍ଷତିରେ ଚାଲିଥିବା କୁହାଯାଉଛି। ତେଣୁ ଏଠି ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେଲେ ସରକାର ଲାଭ ପାଇପାରିବେ କି ନାହିଁ। ଏହାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି।

odia sambada
Comments (0)
Add Comment