ସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ ପାଞ୍ଚ ସାଙ୍ଗ । ହେଲେ ଫେରିଲେ ତିନି ଜଣ ।

ସାଙ୍ଗ ପାଇଁ ନିଜ ଜୀବନକୁ ଖାତିର କଲାନି ଆଉ ଜଣେ ସାଙ୍ଗ। ସାଙ୍ଗ ବୁଡି ଯାଉଥିବା ଦେଖି ଡେଇଁ ପଡ଼ିଲା ପାଣିକୁ । ଆଉ ଗଭୀର ଜଳରେ ବୁଡ଼ିଗଲେ ଦୁଇଜଣଯାକ । ନେଇଗଲେ ସଲୀଳ ସମାଧି । ନୂଆ ବର୍ଷରେ ଚାକିରିରେ ଯୋଗ ଦେବ ବୋଲି ଖୁସି କହିଲେ ନସରେ ।

ତେଣୁ ସାଙ୍ଗମାନଙ୍କୁ ଭୋଜି ଦେବାକୁ ରାଜଧାନୀ ଠୁ ଦୂରକୁ ଯାଇଥିଲେ ପିକନିକ କରି ପାଞ୍ଚଜଣ ସାଙ୍ଗ। ଏମାନେ କାହିଁ ଜାଣିବେ କାଳ ଡାକି ନେଉଥିଲା ବୋଲି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ପାଞ୍ଚ ଜଣ ସାଙ୍ଗ ।

ଏମାନେ ଭୋଜି କରିବା ପାଇଁ ଯାଇଥିଲେ ପିପିଲି ଥାନା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ବାହାଳିପଡ଼ା ଗାଁ ନିକଟକୁ ।ସେଠାରେ ଏକ ପାଣି ଭର୍ତ୍ତି ପଥର ଖଣି ପାଖକୁ ଯାଇଥିଲେ । ବାଙ୍ଗିରିପୋଷିର ଦେବରାଜ ସିଂ ନାମକ ଯୁବକ ଯିଏ କି ନୂଆ ଚାକିରି ପାଇଥିଲେ ।

ସେହି ଖୁସିରେ ଭୋଜିର ଆୟୋଜନ କରିଥିଲେ । ହେଲେ କିଏ ଜାଣିଥିଲା ଏହି ଭୋଜି ହେବ କାଳ । ଭୋଜି କରୁଥିବା ସମୟରେ ଦେବରାଜଙ୍କ ଚପଲ ଭାସିଗଲା ପାଣିରେ । ଚପଲ ଆଣିବାକୁ ଯାଇ ଖସି ପଡିଲେ ଦେବରାଜ ପାଣି ଭିତରେ ।

ଦେବରାଜ ବୁଡ଼ିଯିବା ଦେଖି ଉଦ୍ଧାର କରିବା ପାଇଁ ସାଙ୍ଗ ଅର୍ଚ୍ଚିତ ଗିରି ପାଣିକୁ ଡେଇଁ ପଡ଼ିଥିଲେ, କାରଣ ସେ ପହଁରା ଜାଣିଥିଲେ । ହେଲେ କାଳ କବଳରୁ ଉଠି ପାରିଲେ ନାହିଁ କେହି । ଦୁଇ ସାଙ୍ଗ ଫସିଗଲେ ପାଣିରେ । ଆଉ ଉଠି ପାରିଲେ ନାହିଁ ।

ଏହା ଦେଖି ଅନ୍ୟ ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଚିତ୍କାର କରି ଡାକ ପକାଇଲେ । କିଛି ସମୟ ଭିତରେ ଦମକଳ ବାହିନୀ କର୍ମଚାରୀ ଆସି ପହଞ୍ଚିଗଲେ । ସେମାନଙ୍କୁ ଉଦ୍ଧାର କଲେ । ହେଲେ ଦୁଇ ଜଣ ଉଦ୍ଧାର ସିନା ହେଲେ କିନ୍ତୁ କେବଳ ସେମାନଙ୍କ ଶରୀର ।

ସେମାନଙ୍କ ଦେହରେ ଆଉ ଆତ୍ମା ନଥିଲା ।ସେତେବେଳକୁ ମୃତ୍ୟୁ ଟାଣି ସାରିଥିଲା ଜୀବନ । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଦୁଇ ସାଙ୍ଗଙ୍କୁ ମୃତ ଘୋଷଣା କଲେ । ସୂଚନାଯୋଗ୍ୟ ଯେ, ଦେବରାଜ ଇଞ୍ଜିନିଅର ଛାତ୍ର ଥିଲେ । ପ୍ରଥମ ଥର ଚାକିରି ଅଫର୍ ପାଇ ବେଶ୍ ଖୁସି ଥିଲେ ସେ । ଆଉ ନୂଆ ବର୍ଷରେ ନୂଆ ଜୀବନ ଆରମ୍ଭ ହେବ ଭାବି କେତେ ସ୍ବପ୍ନ ମଧ୍ୟ ଦେଖିଥିଲେ । ଆଉ ସେସବୁ ସ୍ବପ୍ନ ପାଣି ଫୋଟକା ପରି ଫାଟିଗଲା

odia sambada
Comments (0)
Add Comment