ନ୍ୟାୟ ଦାବି କରି ଶଶୁର ଘର ସାମ୍ନାରେ ଗତ ତିନି ଦିନ ଧରି ବସି ରହିଲେଣି ମହିଳା, ଶଶୁର ଏବଂ ସ୍ୱାମୀ ନାମରେ କରିଛନ୍ତି ଏକ ଗମ୍ଭୀର ଅଭିଯୋଗ

କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ଗ୍ରାମରେ ଜଣେ ମହିଳା ଗତ ତିନି ଦିନ ଧରି ନିଜ ଶଶୁର ଘରେ ସାମ୍ନାରେ ନ୍ୟାୟ ଦାବିରେ ବସିରହିଛନ୍ତି। ମହିଳା ଜଣକ ହେଉଛନ୍ତି ଡେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା।

ନିଜର ଅଧିକାର ପାଇବା ପାଇଁ ଶଶୁର ଘର ଆଗରେ କାଠୁଆ ଶୀତରେ ମଧ୍ୟ ରାତି କାଟୁଛନ୍ତି ଏହି ମହିଳା। କିନ୍ତୁ ସେପଟେ ଶଶୁରଘର ଲୋକ ଘରକୁ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି।

ସମ୍ପୁର୍ଣ୍ଣ ଘଟଣା ଅନୁସାରେ ସୁସେନ ମହାରଣା ନାମକ ଜଣେ ଯୁବକ 2020 ମସିହାରେ ଜୁଲାଇ ମାସରେ ଡେଙ୍କାନାଳ ଜିଲ୍ଲା ରାଧାକୃଷ୍ଣ ବଜାରର ସସ୍ମିତା ମହାରଣା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଆଉ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ମଧ୍ୟ ଦେଇଥିଲେ ସସ୍ମିତାଙ୍କ ପରିବାର।

କିନ୍ତୁ ଧୀରେ ଧୀରେ ଦିନ ଗଡ଼ିବା ସହ ଶ୍ୱଶୁର ଘରଲୋକ ଅଧିକ ଯୌତୁକ ମାଗିବା ସହିତ ବୋହୁ ଉପରେ ଅତ୍ୟାଚାର କରୁଥିଲେ। ଯାହା ବୋହୁ ପକ୍ଷେ ଅସହ୍ୟ ହୋଇ ପଡିଥିଲା।

ଏହାର ଶେଷକୁ ବାଧ୍ୟ ହୋଇ ମହିଳା ଜଣକ ସାଲେପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୋଲିସ ନ୍ୟାୟ ଦେବାରେ ବିଳମ୍ବ କରିବାରୁ ଗତ ତିନି ଦିନ ଧରି ମହିଳା ଜଣକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ନିଜ ଶଶୁର ଘରେ ଆଗରେ ଧାରଣା ଦେଇ ବସିରହିଛନ୍ତି।

ଶଶୁର ଘର ଲୋକେ ଏବେ ଘରକୁ ତାଲା ପକାଇ କୁଆଡେ ଚାଲିଯାଇଛନ୍ତି। ତେବେ ମହିଳା ଜଣକ ନିଜ ଅଭିଯୋଗ ରେ କହିଛନ୍ତି ଯେ,” ଶଶୁର ଘର ଲୋକେ ଯୌତୁକ କୁ ନେଇ ନିର୍ଯାତନା ଦେବା ସହ ମତେ ମାରପିଟ ମଧ୍ୟ କରୁଥିଲେ।

ମୋ ସ୍ୱାମୀଙ୍କର ପର ମହିଳା ସହ ସମ୍ପର୍କ ମଧ୍ୟ ରହିଛି। ଏହାସହ ମୋ ଶଶୁର ମତେ ଖରାପ ନଜରରେ ଦେଖନ୍ତି। ମତେ ତାଙ୍କ ସହ ଶୋଇବାକୁ କୁହନ୍ତି। ମୁଁ ଯଦି ଏହି କଥାକୁ ନେଇ ପ୍ରତିବାଦ କରେ ତାହାଲେ ଉଭୟ ସ୍ୱାମୀ ଏବଂ ଶଶୁର ମତେ ମାରନ୍ତି।”

odia sambada
Comments (0)
Add Comment