“ଦେହ ଖରାପ ହେବାରୁ ମୁଁ ସ୍କୁଲରୁ ଏକୁଟିଆ ଘରକୁ ଫେରୁଥିଲି । ଜଣେ ଯୁବକ ଦୌଡ଼ି ଆସି ମତେ ପଛରୁ ଜାବୁଡ଼ି ଧରିଲା । ମୁଁ ଜଙ୍ଗଲ ରାସ୍ତାରେ ଏକୁଟିଆ ଯାଉଥିବାରୁ ଡରିଗଲି, ମନା କଲା ପରେ ମଧ୍ୟ ମୋ ଦେହର ସବୁଆଡେ ଛୁଇଁଲା । ଆଉ ମତେ ଟେକି ନେଇ କିଛି ଦୂର ଚାଲି ଯାଇଥିଲା । ଯେତେ କହିଲେ ବି ସେ ମାନିଲାନି ଏବଂ ଶେଷରେ ମୁଁ ତା ଦେହକୁ କାମୁଡି ଦେଲି ।”
ଆଜ୍ଞା ହଁ, ଦେହ ଖରାପ ଥିବାରୁ ଯୁବତୀ ନିଜ ଘରକୁ ଫେରୁଥିଲେ । ଆଉ ପଛେ ପଛେ ସେହି ଗାଁର ଜଣେ ଯୁବକ ଗୋଡେଇ ଆସିଥିଲେ । ମନରେ ପୁରା ମନ୍ଦ ଉଦ୍ଦେଶ୍ୟ ନେଇ ପିଛା କରି ଆସିଥିଲେ । ହଠାତ୍ ଯୁବକ ଜଣକ ସେହି ଯୁବତୀଙ୍କୁ ପଛ ପଟୁ ଜାବୁଡ଼ି ଧରିଲେ । ଯୁବତୀଙ୍କୁ ଟେକି ନେଇ ଜଙ୍ଗଲ ଭିତରକୁ ଚାଲି ଯାଉଥିଲେ । କିନ୍ତୁ ଯୁବତୀ ଜଣକ ସାହସ ଯୁଟାଇ ସେହି ଯୁବକଙ୍କ ଦେହକୁ କାମୁଡି ଦେଲେ । ଏହିପରି ଭାବେ ସେ ଆଜି ବଡ ବିପଦରୁ ମୁକୁଳିଗଲେ । ନହେଲେ ଆଜି ଯୁବତୀଙ୍କର କଣ ଯେ ହୋଇଥାନ୍ତା ତାକୁ ଭାବିଲେ ହିଁ ଡର ଲାଗୁଛି ।
ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ କରିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ଯାହାକି ସଫଳ ହୋଇପାରିଲା ନାହିଁ । ଆଉ କୌଶଳକ୍ରମେ ଛାତ୍ରୀ ଜଣକ ନିଜକୁ ରକ୍ଷା କରି ଘରେ ପହଞ୍ଚିଥିଲେ । ତେବେ ଛାତ୍ରୀ ଜଣକ ଘରେ ଯାଇ ନିଜ ବାପାମାଆଙ୍କୁ ସବୁକିଛି ଗୋଟି ଗୋଟି କରି କହିଥିଲେ । ଆଉ ସବୁ କଥା ଶୁଣିବାପରେ ପୀଡ଼ିତା ଏବଂ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ତେବେ ଏପରି ଘଟଣା ଭୁବନ ଥାନା ଅନ୍ତର୍ଗତ ତାଙ୍ଗୁରିଆ ଗ୍ରାମରେ ଘଟିଛି । ଦଶମ ଶ୍ରେଣୀର ଛାତ୍ରୀ ଶୁକ୍ରବାର ଦିନ ସ୍କୁଲ ଯାଇଥିଲେ । ଦେହ ଖରାପ ହେବାରୁ ଘରକୁ ଚାଲି ଆସୁଥିଲେ ଏବଂ ଆସିବା ବାଟରେ ଏଭଳି କିଛି ଘଟଣା ଘଟିଥିଲା । ଆସିବା ବାଟରେ ଗ୍ରାମର ଜଗବନ୍ଧୁ ନାମକ ଜଣେ ଯୁବକ ଛାତ୍ରୀଙ୍କୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏହି ଘଟଣାରେ ଭୁବନ ପୋଲିସ ଏବେ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି ।