ଛତିଶଗଡ଼ର ମନେନ୍ଦ୍ରଗଡ଼ ଜିଲ୍ଲା ଚିରମିରିରେ ଜଣେ ନର୍ସଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏଥିରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ଦୁଷ୍କର୍ମ କଲା ବେଳେ ଏହାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରିଥିଲେ । ଏଥି ସହିତ ପୀଡ଼ିତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଏ ବିଷୟରେ ପୋଲିସକୁ କହିଦିଅନ୍ତି, ତ ସେମାନେ ତାଙ୍କୁ ଜୀବନରୁ ମାରି ଦେବେ । ପୋଲିସ ମୁତାବକ, ଅଭିଯୁକ୍ତମାନେ ଦେଖିବାକୁ ପାଇଥିଲେ କି, ଦ୍ୱିପ୍ରହର ୩ଟାରେ ନର୍ସ ଜଣକ ଏକୁଟିଆ କାମ କରୁଛନ୍ତି ।
ଏହାପରେ ସେମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଥିଲେ ଏବଂ ନର୍ସଙ୍କ ତଣ୍ଟି ଚିପିଥିଲେ । ପୁଣି ଗୋଡ଼ହାତ ବାନ୍ଧି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡ଼ିତା ନର୍ସ ଘରକୁ ଯାଇ ନିଜ ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇଥିଲେ, ପୁଣି ଥାନାରେ ପହଞ୍ଚି ଏ ନେଇ ଏତଲା ଦେଇଥିଲେ । ଏହି ମାମଲାରେ ପୋଲିସ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ସ୍ଥାନୀୟ ଡିଏସ୍ପି କହିଛନ୍ତି, ଏହି ମାମଲାରେ ପୀଡ଼ିତାଙ୍କ ତରଫରୁ ଏତଲା ଦାୟର ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଯେତେବେଳେ କି, ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ତେବେ ମାମଲା ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୋଲିସର ଦୁଇଟି ଟିମ୍ ତୁରନ୍ତ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରି ନେଇଥିଲା । ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଘଟଣା ଦିନ ଦ୍ୱିପ୍ରହରରେ ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକୁଟିଆ ଡ୍ୟୁଟି କରୁଥିଲେ । ସେହି ସମୟରେ ଅଭିଯୁକ୍ତମାନେ ମଉକା ଦେଖି ଏଭଳି କାଣ୍ଡ ଘଟାଇଥିଲେ ।
ଅନ୍ୟପକ୍ଷେ ଏହି ଗଣଦୁଷ୍କର୍ମ ମାମଲାରେ ଥାନା ବାହାରେ ଏକାଧିକ ସ୍ୱାସ୍ଥ୍ୟକର୍ମୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏଥି ସହିତ ସରକାରଙ୍କୁ ସୁରକ୍ଷା ଦାବି କରିଥିଲେ । ସ୍ୱାସ୍ଥ୍ୟକର୍ମୀମାନଙ୍କ କହିବା ହେଲା, ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଯେପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି, ସେ ପର୍ଯ୍ୟନ୍ତ ସେମାନେ ଡ୍ୟୁଟିକୁ ଫେରିବେ ନାହିଁ । କେବଳ ଏତିକି ନୁହେଁ, ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଥାନାରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠୁ ଇସ୍ତଫା ଦାବି କରିଥିଲେ। ସେପଟେ କଂଗ୍ରେସ ଏହି ମାମଲାକୁ ରାଜନୈତିକ ନ କରିବାକୁ ଅପିଲ କରିଛି। କଂଗ୍ରେସର କହିବା ହେଲା, ପୋଲିସ ନିଜ କାମ କରୁଛି, ତା’ର ମନୋବଳ ହ୍ରାସ କରା ନ ଯାଉ।