ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ନିଜ ରେକର୍ଡ ନିଜେ ଭାଙ୍ଗୁଛନ୍ତି । ପୁଣିଥରେ ଏକ ମହଙ୍ଗା ବିଳାସପୂର୍ଣ୍ଣ ଭିଲ୍ଲା କିଣି ମୁକେଶ ଅମ୍ବାନୀ ଚର୍ଚ୍ଚାରେ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରି ଚେୟାରମେନ ମୁକେଶ ଅମ୍ବାନୀ ବ୍ୟବସାୟ ଦୁନିଆରେ କାୟା ବିସ୍ତାର କରିବା ସହ ବିଭିନ୍ନ ଦେଶରେ ନିଜର ସମ୍ପତ୍ତି କିଣୁଛନ୍ତି । ଏବେ ଦୁବାଇରେ ମଧ୍ୟ ଅମ୍ବାନୀ ଏକ ସମ୍ପତ୍ତିରେ ଆଧିପତ୍ୟ ଜାହିର କରିଛନ୍ତି ।
ସେ ପୁଣିଥରେ ପାଙ୍ଗ ଜୁମ୍ବିରାରେ ଏକ ସମୁଦ୍ର କୂଳିଆ ଭିଲ୍ଲା କିଣିଛନ୍ତି । ମୁକେଶ ଅମ୍ବାନୀ ଗତ ସପ୍ତାହରେ ପାଙ୍ଗ ଜୁମ୍ବିରାରେ ଏହି ଭିଲ୍ଲାକୁ 163 ମିଲିୟନ ଡଲାରରେ ଅର୍ଥାତ ତେର ଶହ ପଚାଶ କୋଟିରେ କିଣିଥିଲେ । ସେ ଏହି ସମ୍ପତ୍ତି କୋଏତର ଏକ ବ୍ୟବସାୟୀ ଟାଇକନ ମହମ୍ମଦ ଅଲସାଇନଙ୍କ ଠାରୁ କିଣିଥିବା ଜଣାପଡିଛି । ପ୍ରସିଦ୍ଧ ଭାରତୀୟ ଶିଳ୍ପପତି ତଥା ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜେ ହିଁ ନିଜର ରେକର୍ଡ ଭାଙ୍ଗିଛନ୍ତି ।
ବାସ୍ତବରେ ରିଲାଏନ୍ସ ଚେୟାରମେନ ଗତ ସପ୍ତାହ ମଧ୍ୟରେ 80 ମିଲିୟନ ଡଲାରର ଏକ ଆବାସିକ ସମ୍ପତ୍ତି କିଣି ବର୍ତ୍ତମାନ ପୁଣି ଦୁଇଗୁଣ ମୂଲ୍ୟରେ 163 ମିଲିୟନ ଡଲାରର ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି । ମୁକେଶ ଅମ୍ବାନୀ ପାଙ୍ଗ ଜୁମ୍ବିରାରେ ସମ୍ପତ୍ତି କ୍ରୟ କରିବାପରେ ଦୁନିଆର ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ପତ୍ତି କିଣିବାପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।
ଏହି ମାସ ଦୁବାଇର ସମ୍ପତ୍ତି ବଜାରରେ ସବୁଠାରୁ ମହଙ୍ଗା କାରବାର ହେଇଛି । ଦୁବାଇର ଜମି ବିଭାଗ ଅନୁସାରେ ପାଙ୍ଗ ଜୁମ୍ବିରାରେ 1300 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କାରବାର କରାଯାଇଛି । ଦୁବାଇର ରିଅଲ ଷ୍ଟେଟ ବଜାରରେ ମଧ୍ୟ ସମ୍ପତ୍ତି କାରବାରରେ ବୃଦ୍ଧି ଘଟିଛି । ଏଠାରେ 70% କାରବାର ନଗଦ କରାଯାଇପାରେ । ତେଣୁ ଡିଲ୍ ମଧ୍ୟ ଶିଘ୍ର ସମାପ୍ତ ହୋଇଯାଏ । ଗତ ଏକବର୍ଷ ମଧ୍ୟରେ ରିଅଲ ଷ୍ଟେଟ ମୂଲ୍ୟ 70% ରୁ ଅଧିକ ବୃଦ୍ଧି ପାଇଛି ।
ଏହା ମଧ୍ୟ ଦୁନିଆର ବହୁ ଖୋଜା ଯାଇଥିବା ତଥା ମହଙ୍ଗା ସମ୍ପତ୍ତି ବଜାରରେ ପରିଣତ ହୋଇଛି । ରୁଷ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଅନେକ ଧନୀ ରୁଷ ଶିଳ୍ପପତି ମଧ୍ୟ ଦୁବାଇର ପାଙ୍ଗ ଜୁମ୍ବିରାରେ ସମ୍ପତ୍ତି କିଣିବା ଆରମ୍ଭ କରିଛନ୍ତି । ଆଉ ବର୍ତ୍ତମାନ ସମୟରେ ଏହାର ସଂଖ୍ୟା ଖୁବ୍ ବୃଦ୍ଧି ପାଇଛି ।