ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିବନି ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ,କେବଳ ଓଡିଶା ଛୁଇଁ ଚାଲିଯିବ ବାତ୍ୟା

ବନ୍ଧୁଗଣ ବର୍ତମାନ ସମୟରେ ପାଣିପାଗ ସମ୍ବନ୍ଧୀୟ ଯେଉଁ ଏକ ବଡ଼ ଖବର ପୁଣି ସାମ୍ନାକୁ ଆସିଛି । ଅକ୍ଟୋବରରେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିମୂଳକ ଖବର । ଆଉ ତାହା ହେଲା ଓଡ଼ିଶା ଛୁଇଁ ନପାରେ ବାତ୍ୟା । ଏହା ଓଡ଼ିଶା ଉପକୂଳରୁ କିଛି ଦୂରରେ ଘସି ହୋଇ ଚାଲିଯିବ । ବାତ୍ୟା ଏବେ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ।ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ତେବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ । ସୃଷ୍ଟି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ସୃଷ୍ଟ ଘୂର୍ଣ୍ଣିବଳୟ ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ଆଶଙ୍କା ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଏହା ପରେ ୨୪ ତାରିଖ ଆଡ଼କୁ ଏହା ପୁଣି ଉତ୍ତର ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଅଂଚଳରେ ଘନୀଭୂତ ହୋଇପାରେ । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି।

ହେଲେ ଓଡ଼ିଶା ଉପରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ । ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପରେ ରହିବାର ସମ୍ଭାବନା ରହିଛି । ତେବେ ଏବେଠୁ ଏହାର ତୀବ୍ରତା ଜଣାପଡ଼ିନି । ଡିପ୍ରେସନରେ ପରିଣତ ହେଲାପରେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ଏହା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ୨୧ ପାଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ।

ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ ନୁହେଁ । କିନ୍ତୁ ଅପର ପକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ ଭାବରେ ପ୍ରସ୍ତୁତ । ଆଲର୍ଟରେ ୭ ଉପକୂଳ ଜିଲ୍ଲା । ଆଗକୁ ପ୍ରସ୍ତୁତ ରହିବା ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଗୁଆ ସଜାଗ ରହିବା ପାଇଁ ଏସବୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମୁକାବିଲା ନେଇ ବିଭିନ୍ନ ବିଭାଗ ବି ସଜାଗ ରହିଛନ୍ତି ।

odia sambada
Comments (0)
Add Comment