ତେବେ ବନ୍ଧୁଗଣ ବାତ୍ୟା ସମ୍ଭାବନା ନେଇ କାଲି ଯାଏଁ ନାଇଁ ନାଇଁ କହୁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର ହଁ କହିଛି । ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଏବଂ ବିଶେଷଜ୍ଞ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ଆଗୁଆ ପୂର୍ବାନୁମାନ କରିଥିବାବେଳେ ଆଇଏମ୍ଡି ଏହାକୁ ଗୁଜବ କହି ଖଣ୍ଡନ କରିଥିଲା । ଖାଲି ସେତିକି ନୁହେଁ, ବିଭିନ୍ନ ମଡେଲର ପୂର୍ବାନୁମାନକୁ ବିଜ୍ଞାନ ସମ୍ମତ ନୁହେଁ ବୋଲି କହି ବାଏଁ ବାଏଁ ଉଡ଼ାଇ ଦେଇଥିଲା । ମାତ୍ର ଶେଷରେ ଆଇଏମ୍ଡି ମାନିଛି, ବାତ୍ୟା ସମ୍ଭାବନା ରହିଛି । ଆଉ ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା ଅଧିକ ରହିଛି ।
ଆସନ୍ତା ୨୫ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଅପରାହ୍ନ କିମ୍ବା ରାତିରୁ ବର୍ଷା ବଢ଼ିବ । ଏହି ବାତ୍ୟା ପ୍ରକୋପରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ପବନ ହୋଇପାରେ ବୋଲି ପ୍ରାକ୍ ଆକଳନ କରାଯାଇଛି । ୨୨ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହେବ । ସେତେବେଳେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ।
ତେବେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ସୂଚନା ଜାରି କରିବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି । ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଇସିଏମଡବ୍ଲ୍ୟୁଏଫର ତାଜା ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ସକାଳବେଳକୁ ଓଡ଼ିଶା ଉପକୂଳ ପାଖରେ ଥିବ । ଆସନ୍ତା ୪୮ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯିବ ।
ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ୪୮ ଘଣ୍ଟା ଭିତରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖବେଳକୁ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କିନ୍ତୁ, ୨୩ରୁ ବର୍ଷା ବଢ଼ିପାରେ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଆଇଏମଡିର ଜିଏଫଏସ ମଡେଲ୍ର ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ବାତ୍ୟା ଆନ୍ଧ୍ର ଉପକୂଳ ଅର୍ଥାତ୍ କାକିନାଡାରୁ ବିଶାଖାପାଟଣା ଛୁଇଁପାରେ ।