ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟ‌ରେ ମୌସୁମୀ ବର୍ଷା ଜାରି । ‌‌ମୌସୁମୀ ଗଲାପରେ ଓଡ଼ିଶାକୁ ବାତ୍ୟା ଆଶଙ୍କା । ଜାଣନ୍ତୁ ଏନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ଶୁକ୍ରବାର ଦିନ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଅପସାରିତ ହୋଇଛି । ଏଥିସହ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରିତ ହୋଇଛି । ଆସନ୍ତା ୩ଦିନ ମଧ୍ୟରେ ପୂର୍ବ-ଭାରତର ଅନେକ ଅଞ୍ଚଳରୁ ଅପସାରଣ ପାଇଁ ପାଗ ଅନୁକୂଳ ହେଉଛି । ସେହିଭ​ଳି ଆସନ୍ତା ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଭାରତର ଅବଶିଷ୍ଟ ଅଞ୍ଚଳ ଓ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇ-ଏମ୍‌-ଡି) କହିଛି ।

ଅପରପକ୍ଷେ, ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଦିନ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି । ଏହାର ପ୍ରଭାବ କ’ଣ ରହିବ, ଏ‌ହା କେତେମାତ୍ରାରେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ କିମ୍ବା ଏହାର ଗତି କେଉଁ ଦିଗରେ ରହିବ, ସେ ନେଇ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ମୌସୁମୀ ଯଦି ରାଜ୍ୟରୁ ଆସନ୍ତା ୨୧ ତାରିଖ ଭିତରେ ଫେରିଯାଏ, ଓଡ଼ିଶାକୁ ବାତ୍ୟା ଆଶଙ୍କା ରହୁଛି ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

ତେବେ ଅକ୍ଟୋବର ମାସ ଆସିଲେ ମଣିଷଙ୍କ ମନରେ ବାତ୍ୟାକୁ ନେଇ ଭୟ ସୃଷ୍ଟି ହୁଏ । ଏପରିକି ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟରେ ଭୀଷଣ ବାତ୍ୟା ଅନୁଭୂତ ହୁଏ । ଏପଟେ ଚଳିତ ମାସ ଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବାରୁ ଏହାର ପ୍ରଭାବରେ ଏବେ ବାତ୍ୟା ଭୟ ବଢି ଯାଇଛି । ଆଉ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଶୁକ୍ରବାର ଦିନ ଭୁବନେଶ୍ବରରେ ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ୨୬.୮ ମିମି ବ‌ର୍ଷା, ଚାନ୍ଦବାଲିରେ ୭.୪ମିମି, ଯାଜପୁରରେ ୮ ମିମି, ନବରଙ୍ଗପୁରରେ ୬ ମିମି ବର୍ଷା ହୋଇ ଯାଇଛି ।

ଆଜି ମଧ୍ୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆଜି ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ ଓ ମଝିରେ ମଝିରେ ବର୍ଷା ହୋଇପାରେ ।

odia sambada
Comments (0)
Add Comment