ଅର୍ଚ୍ଚନାର ମୁଖା ପିନ୍ଧି ପଛରେ କିଏ କାମ କରୁଛି କି ? ଏପରି ଅନେକ ସନ୍ଦେହ ଏବେ ଜନସାଧାରଣ ସାମ୍ନାରେ ଉଙ୍କି ମାରୁଛି । କାରଣ ଅର୍ଚ୍ଚନାଙ୍କ ଫେସବୁକ୍ ପେଜରେ ଥିବା ହଜାର ହଜାର ଫଟୋକୁ କିଏ ଡିଲିଟ କରୁଛି । ଅର୍ଚ୍ଚନାଙ୍କୁ ଗତ 5 ତାରିଖରେ ପୋଲିସ ଗିରଫ କଲା , ତା ପରଦିନ କୋର୍ଟ ଚାଲାଣ କଲା । ଆଉ ସେବେଠାରୁ ଝାରପଡ଼ାର ସ୍ଵତନ୍ତ୍ର ମହିଳା କାରାଗାର ସେଲରେ ଅର୍ଚ୍ଚନା ବିଚାରାଧୀନ କଏଦୀ ଭାବରେ ରାତି କାଟୁଛନ୍ତି ।
ସ୍ବାମୀ ଜଗବନ୍ଧୁ ଚାନ୍ଦ କୁଆଡେ ଫେରାର ହୋଇଗଲେ ବୋଲି ଚର୍ଚ୍ଚା ହେଲା ଏବଂ କଥାକୁ ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ ସେ ତିନି ମହଲା କୋଠାରୁ ଗଳି ପଡ଼ିଥିଲେ । ଆଉ ତାଙ୍କର ଅସ୍ତ୍ରୋପଚାର ହୋଇଛି ଏବଂ ସେ ଜୀବନ ମରଣ ସହ ଏବେ ସଂଘର୍ଷ କରୁଛନ୍ତି । ତେବେ ପୋଲିସ ସତ୍ୟବିହାର ସ୍ଥିତ ବିଳାସପୂର୍ଣ୍ଣ ମହଲରେ ଚଢ଼ାଉ କରି ଅର୍ଚ୍ଚନାଙ୍କ ଫୋନ୍, ଲାପଟପ୍ ଓ ଅନ୍ୟସବୁ ବୈଦ୍ୟୁତିକ ଉପକରଣ ଜବତ କଲା । 7 ତାରିଖ ଦିନ ସକାଳେ ସାଢେ଼ 10 ଟା ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶହ ଶହ ଫଟୋ ଥିଲା ।
ନେତା ମନ୍ତ୍ରୀଙ୍କ ସହ ଅନେକ ଫଟୋ ଓ ଭିଡିଓ ମଧ୍ୟ ଅପଲୋଡ଼ ହୋଇଥିଲା । ନେତା ମନ୍ତ୍ରୀ, ଅଫିସର୍ ଓ ବ୍ୟବସାୟୀଙ୍କ ସହ ତାଙ୍କ ସମ୍ପର୍କ କେତେ ଘନିଷ୍ଠ ଏସବୁ ଫଟୋ ହିଁ ପ୍ରମାଣିତ କରୁଥିଲା । କିନ୍ତୁ ଯେଉଁ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ କରାଗଲା, ସେତେବେଳେ ହଠାତ୍ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଫଟୋ ସବୁ ଡିଲିଟ ହୋଇଗଲା ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଅର୍ଚ୍ଚନା ଥାନାରେ, ଅର୍ଚ୍ଚନାଙ୍କ ଫୋନ୍, ଲାପଟପ୍ ଓ ଅନ୍ୟସବୁ ବୈଦ୍ୟୁତିକ ଉପକରଣ ଥାନାରେ, ଆଉ ଅର୍ଚ୍ଚନାଙ୍କ ସ୍ବାମୀ ମେଡ଼ିକାଲ ବେଡରେ ଅଛନ୍ତି ତେବେ ଏସବୁକୁ ଡିଲିଟ କରୁଛି କିଏ ? ତେବେ କିଏ ସେହି ମାଷ୍ଟର ମାଇଣ୍ଡ, ଯିଏ ସବୁ ଫଟୋକୁ ଏବେ ଡିଲିଟ କରୁଛି ? ନା ଏସବୁ ଯିଏ ଡିଲିଟ କରୁଛି, ତାକୁ ପୋଲିସ ଜାଣିଛି ? ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।