ଯଦି ଦୃଢ଼ ଇଚ୍ଛାଶକ୍ତି ଏବଂ କିଛି କରିବାର ଉତ୍ସାହ ଅଛି, ତେବେ ମଣିଷ କଣ ବା କରିପାରିବ ନାହିଁ । ଏପରି ମଧ୍ୟ କୁହାଯାଏ ଯେ ସଫଳତା ସେହି ଲୋକଙ୍କ ପାଦକୁ ଛୁଇଁଥାଏ, ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଜ୍ୱଳନ୍ତ ଉତ୍ତାପରେ ନିଜ ପାଦ ଜାଳିଥାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନାଗପୁରର ଶ୍ରୀକାନ୍ତ ପନ୍ତୱାନେ, ଯିଏ ନିଜ ସ୍କୁଲ ଦିନରୁ ଡେଲିଭରି ବୟ ଭାବରେ କାମ କରୁଥିଲେ । ଅଟୋ ରିକ୍ସା ମଧ୍ୟ ଚଲାଇଲେ ।
କିନ୍ତୁ ଶ୍ରୀକାନ୍ତ ପନ୍ତୱାନେ ନିଜ ଦାରିଦ୍ରକୁ ତାଙ୍କ ସ୍ୱପ୍ନ ସାମ୍ନାରେ ବାଧା ହେବାକୁ ଦେଇନଥିଲେ । ସେ ସାହସର ସହିତ ପ୍ରତ୍ୟେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । କେବେ ସାହସ ହରାଇଲେ ନାହିଁ ଏବଂ ଶେଷରେ ସେ ନିଜ ପରିଶ୍ରମ ବଳରେ ନିଜର ସ୍ୱପ୍ନକୁ ସାକାର କଲେ । ସେ ଜଣେ ପାଇଲଟ୍ ହୋଇପାରିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ସଫଳତାର ସମ୍ପୂର୍ଣ୍ଣ କାହାଣୀ ।
ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀକାନ୍ତ :-
ଶ୍ରୀକାନ୍ତ ପନ୍ତୱାନେଙ୍କ ଜନ୍ମ ନାଗପୁରରେ ଏକ ଅତ୍ୟନ୍ତ ଗରିବ ପରିବାରରେ ହୋଇଥିଲା । ତାଙ୍କର ପିଲାଦିନ ଦାରିଦ୍ରରେ ଅତିବାହିତ ହୋଇଥିଲା । ଶ୍ରୀକାନ୍ତଙ୍କ ବାପା ଜଗୁଆଳି ଭାବରେ କାମ କରୁଥିଲେ, ଯେଉଁଥିରେ ତାଙ୍କୁ ପରିବାରର ପ୍ରତିପୋଷଣ ସହିତ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡୁଥିଲା । ଶ୍ରୀକାନ୍ତ ପିଲାଦିନେ ପାଠପଢ଼ାରେ ବହୁତ ଦ୍ରୁତ ଥିଲେ ଏବଂ ଯେତେବେଳେ ସେ ବଡ ହେଲେ କିଛି ହେବାକୁ ଚାହୁଁଥିଲେ ।
କିନ୍ତୁ ବାପାଙ୍କ ରୋଜଗାର ଦ୍ଵାରା ବହୁତ୍ କଷ୍ଟରେ ପରିବାରର ଖର୍ଚ୍ଚ ହେଉଥିଲା । ଏଭଳି ପରିସ୍ଥିତିରେ ପାଠପଢ଼ା ପାଇଁ ଅଧିକ ଖର୍ଚ୍ଚ ପାଇବା ବାପାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ଶ୍ରୀକାନ୍ତ ନିଜ ସାହାସ ହରାଇ ନଥିଲେ ।
ଡେଲିଭରି ବୟ କାମଠାରୁ ନେଇ ଅଟୋ ରିକ୍ସା ପର୍ଯ୍ୟନ୍ତ ଚଳାଇଲେ :-
ଶ୍ରୀକାନ୍ତ ବଡ ହେବା ସହ ତାଙ୍କୁ ପରିବାରର ଆର୍ଥିକ ପ୍ରତିବନ୍ଧକ ବ୍ୟଥିତ କରିବାକୁ ଲାଗିଲା । ଟଙ୍କା ଅଭାବରୁ ସେ ବିଦ୍ୟାଳୟରେ ପାଠ ପଢିବା ସମୟରେ ଡେଲିଭରି ବୟ ଭାବରେ ପାର୍ଟ ଟାଇମ୍ ଚାକିରି କରିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ସ୍କୁଲ ପାଠପଢ଼ା ଶେଷ ହେବା ପରେ ଶ୍ରୀକାନ୍ତଙ୍କ ସମସ୍ୟା ଆହୁରି ବଢ଼ିବାକୁ ଲାଗିଲା । ତାଙ୍କୁ ପାଠପଢ଼ା ଏବଂ ପରିବାର ମଧ୍ୟରୁ ଗୋଟିଏକୁ ବାଛିବାର ଥିଲା ।
ଏଭଳି ପରିସ୍ଥିତିରେ ଶ୍ରୀକାନ୍ତ ଅଧ୍ୟୟନ ଛାଡି ପରିବାର ପାଇଁ ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ । ଘରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଶ୍ରୀକାନ୍ତ ଗୋଟିଏ ଅଟୋ ରିକ୍ସା ମଧ୍ୟ ଚଳାଇଥିଲେ । କିନ୍ତୁ ତାଙ୍କ ଭିତରେ ଥିବା ଉତ୍ସାହ ଏବଂ ଜିଦ୍ ତାଙ୍କୁ କିଛି କରିବାକୁ ମଧ୍ୟ ଉତ୍ସାହିତ କରୁଥିଲା ।
ସମସ୍ୟା ସହ ଲଢି ନିଜ ସ୍ୱପ୍ନକୁ କଲେ ସାକାର :-
ବାସ୍ତବରେ, ଥରେ ଶ୍ରୀକାନ୍ତ ଏୟାରପୋର୍ଟକୁ ଡେଲିଭରି କରିବାକୁ ଯାଇଥିଲେ, ସେତେବେଳେ ସେ ଏକ ଉଡ଼ନ୍ତା ବିମାନ ଦେଖିଥିଲେ ଏବଂ ଏହା ତାଙ୍କ ସ୍ୱପ୍ନରେ ପାଲଟିଗଲା । ସେ ସ୍ଥିର କଲେ ଯେ ସେ ଜଣେ ପାଇଲଟ ହେବେ । ଏହି ସମୟରେ ଶ୍ରୀକାନ୍ତ ଏକ ଚା ଷ୍ଟଲ ବିକ୍ରେତାଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ବେସାମରିକ ବିମାନ ଚଳାଚଳ ପାଇଲଟ ସ୍କଲାରସିପ ପ୍ରୋଗ୍ରାମ ନିର୍ଦ୍ଦେଶାଳୟ ବିଷୟରେ କହିଥିଲେ ।
ଶ୍ରୀକାନ୍ତ ସ୍କଲାରସିପ ପ୍ରୋଗ୍ରାମ ଅଧୀନରେ ମଧ୍ୟପ୍ରଦେଶରେ ଅବସ୍ଥିତ ଏକ ଫ୍ଲାଇଟ୍ ସ୍କୁଲରେ ନାମ ଲେଖାଇ ଏକ ବିମାନ ଉଡ଼ାଣରେ ତାଲିମ ନେବା ଆରମ୍ଭ କରିଥିଲେ । ଯେତେବେଳେ କି ସେ ଟଙ୍କା ରୋଜଗାର କରିବା ପାଇଁ ଏକ କମ୍ପାନୀରେ ମଧ୍ୟ କାମ କରୁଥିଲେ । ଏବେ ତାଙ୍କ ସାମ୍ନାରେ ସବୁଠାରୁ ବଡ ସମସ୍ୟା ଇଂରାଜୀ ଥିଲା । କିନ୍ତୁ ସେ ତାଙ୍କର ଦୁର୍ବଳତାକୁ ତାଙ୍କ ଉପରେ ଭାରି ହେବାକୁ ଦେଇନଥିଲେ ।
ଶ୍ରୀକାନ୍ତ ନିଜ ଦୁର୍ବଳତାକୁ ଶକ୍ତିରେ ପରିଣତ କଲେ । ଏହା ପରେ ଶ୍ରୀକାନ୍ତ ଫ୍ଲାଇଙ୍ଗ ପରୀକ୍ଷା ଦେଇଥିଲେ ଏବଂ ଏହାକୁ ପାସ କରିବାରେ ସଫଳ ହୋଇଥିଲେ, ଏହା ପରେ ସେ ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନୀରେ ପାଇଲଟ ଭାବରେ ଯୋଗ ଦେଇଥିଲେ । ସେ ତାଙ୍କ ଜୀବନର ସବୁ ସମସ୍ୟାର ମୁକାବିଲା କରି ତାଙ୍କର ସ୍ୱପ୍ନକୁ ସାକାର କଲେ । ତାଙ୍କର ଜିଦ୍ ହିଁ ତାଙ୍କୁ ପାଇଲଟ୍ କରିଦେଲା ।