ଚାରିଆଡେ ପାର୍ବଣର ଖୁସିର ମାହୋଲ ଚାଲିଥିବାବେଳେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଛାତିଥରା ଅଘଟଣ ଘଟିଯାଇଛି । ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲଇଡି ଟିଭି ଫାଟି ୧୭ବର୍ଷୀୟ ବାଳକଙ୍କ ମୃତ୍ୟୁ ଘଟିଛି । ଏହାସହ ଯୁବକଙ୍କ ମା’ ଏବଂ ତାଙ୍କର ଜଣେ ବନ୍ଧୁ ଏଥିରେ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଜଣାପଡ଼ିନାହିଁ ।
ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଘରେ ଏଲଇଡି ଟିଭି କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ଟିଭିଟି ଏତେ ଜୋରରେ ଫାଟିଥିଲା ଯେ, କଙ୍କ୍ରିଟ ସ୍ଲାବ୍ ଓ ଘର କାନ୍ଥ ଭାଙ୍ଗି ଯାଇଛି । ଧମାକା ଶବ୍ଦ ଶୁଣି ଆଖପାଖର ଲୋକମାନେ ଘରୁ ବାହାରକୁ ଆସି ଯାଇଥିଲେ । କୋଠରୀର କାନ୍ଥ ମଧ୍ୟ ନଷ୍ଟ ହୋଇଯାଇଥିଲା । କୋଠରୀରେ ଉପସ୍ଥିତ ଥିବା ଓମେନ୍ଦ୍ର, ତାଙ୍କ ବନ୍ଧୁ କରଣ ଏବଂ ଓମେନ୍ଦ୍ରଙ୍କ ମାଆ ଓମବତୀ ଏଲଇଡି ଟିଭି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ । ପଡୋଶୀମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ଓମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ପାଇବା ପରେ ପୋଲିସ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଓମେନ୍ଦ୍ରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏସପି ସିଟି ଜ୍ଞାନେନ୍ଦ୍ର କୁମାର ସିଂ କହିଛନ୍ତି ଯେ ଦୁର୍ଘଟଣାର କାରଣ ମଧ୍ୟ ଅନୁସନ୍ଧାନ କରାଯାଉଛି । ହାଇ ଭୋଲଟେଜ୍ ହେତୁ ଏଲଇଡି ଟିଭି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି, କିନ୍ତୁ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ । ଘଟଣାରେ ପଡ଼ୋଶୀମାନେ ମଧ୍ୟ ଭୟଭୀତ ହୋଇ ଯାଇଥିଲେ। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଟେଲିଭିଜନ ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀ ସମସ୍ତଙ୍କ ଘରେ ଥିବାବେଳେ ଆଗରୁ ମୋବାଇଲ୍ ଫାଟିଯାଇ ଲୋକଙ୍କ ମୃତ୍ୟୁ ହେବା ଘଟଣା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏଭଳି ଟିଭି ଫାଟିବା ଖବର ସମସ୍ତଙ୍କ ପାଇଁ ନିଶ୍ଚୟ ଚିନ୍ତା ଜନକ । ବର୍ତ୍ତମାନ ସମୟରେ ଘରର ପିଲା ମାନେ ଅଧିକ ସମୟ ଟିଭି ଦେଖୁଛନ୍ତି । ପ୍ରତି ଘରେ ଏଭଳି କିଛି ଯଦି ଘଟଣା ଘଟେ ସେଥିପାଇଁ ଦାୟୀ କିଏ । ଟିଭି ଆମ ପାଇଁ କେତେ ସୁରକ୍ଷିତ ।