ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ କଚ୍ଛରୁ ମୌସୁମୀ ଅପସାରିତ ହୋଇଥିଲା । ଏହାପରେ ମୌସୁମୀ ଅପସାରଣ ପ୍ରକ୍ରିୟା ଧୀର ହୋଇ ଯାଇଥିଲା । ଏବେ ପୁଣି ଦେଶର କିଛି ସ୍ଥାନରୁ ମୌସୁମୀ ଫେରିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଓ ପାର୍ଶ୍ବବର୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ମୌସୁମୀ ବାୟୁ ଅପସାରଣ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇ-ଏମ୍-ଡି) କହିଛି ।
ଆଇଏମ୍ଡିର ସୂଚନା ମୁତାବକ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୨୮ ଓ ୨୯ ତାରିଖ ରାଜ୍ୟର କିଛି କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୧ ତାରିଖରୁ ରାଜ୍ୟରେ ବର୍ଷାରେ ବୃଦ୍ଧି ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ଏହି ଭଳି ଭାବେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଉଛି ।
ଅନ୍ୟପଟେ ସୋମବାର ଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସୋମବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ରାଜଧାନୀରେ ୧୦.୨ ମିମି ବର୍ଷା ହୋଇ ଯାଇଛି । ଆଜି ମଧ୍ୟ ରାଜଧାନୀର ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ବି ରହିଛି । ତେବେ ଆଶ୍ୱିନ ମାସରେ ହେବ ଶ୍ରାବଣ ଭଳି ଝଡ । ରାଜ୍ୟରେ ଆସନ୍ତା ୫ ଦିନ ବର୍ଷା ସହ ବଜ୍ରପାତ ସମ୍ଭାବନା ଅଛି । ସୋମବାର ଠାରୁ ରାଜ୍ୟରେ ପୁଣି ଥରେ ବର୍ଷା ଆରମ୍ଭ । ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ସୋମବାରର ପାଇଁ ରାଜ୍ୟର ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ହୋଇପାରେ ବର୍ଷା । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବ ୨୯ ତାରିଖ ଯାଏ ଓଡିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।