ବାଇକ୍ ଚଳାଇବା ସମୟରେ ଆପଣ ଚପଲ ପିନ୍ଧୁଛନ୍ତି କି ? ଘରୁ ସ୍ଲିପର୍ ପିନ୍ଧି ବାଇକ୍ ଧରି ବାହାରୁଛନ୍ତି କି ? ତେବେ ଟିକେ ସାବଧାନ ହୋଇଯାନ୍ତୁ, ନଚେତ୍ ଆପଣଙ୍କ ଉପରେ ଲାଗିପାରେ ଟ୍ରାଫିକ ଫାଇନ । ଏହା ପୁଣି ଶହେ କି ଦୁଇ ଶହ ନୁହେଁ ବରଂ ଆପଣ ନିଜ ପକେଟରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଗଣିପାରନ୍ତି । ଟ୍ରାଫିକ ନିୟମ ପାଳନ କରିବାକୁ ନେଇ ବର୍ତ୍ତମାନ ସବୁଠି କଡାକଡି ନିୟମ ଚାଲିଛି । ସହରଠୁ ଗାଁ, ଛକଠାରୁ ରାଜପଥ ସବୁଠାରେ ଜୋରଦାର ଚେକିଂ ଚାଲିଛି । ତେବେ ଆପଣ ଯଦି ଚପଲ ପିନ୍ଧି ବାଇକ୍ କିମ୍ବା ସ୍କୁଟି ଚଳାଉଛନ୍ତି, ତେବେ ସାବଧାନ ହୋଇଯାନ୍ତୁ ।
ଗାଡ଼ି ଚଳାଇବା ପାଇଁ ଅନେକ ନିୟମ ରହିଛି, ଯାହାକୁ ଭାଙ୍ଗିଲେ ଟ୍ରାଫିକ ପୋଲିସ ଫାଇନ ଆଦାୟ କରିଥାନ୍ତି । ହେଲମେଟ ନ ପିନ୍ଧିବା, ମୋବାଇଲରେ ଗପି ଗପି ଗାଡ଼ି ଚଳାଇବା, ଟ୍ରାଫିକ ସିଗନାଲ ଭାଙ୍ଗିଲେ ଆମକୁ ମୋଟା ରକମର ପଇସା ଦେବାକୁ ପଡିଥାଏ । ହେଲେ ଏପରି ଅନେକ ନିୟମ ରହିଛି, ଯାହାକୁ ଭାଙ୍ଗିଲେ ଗାଡ଼ି ଚାଳକଙ୍କୁ ଟ୍ରାଫିକ ପୋଲିସ ଫାଇନ କାଟିଥାଏ ।
ମୋଟରଯାନ ନିୟମ ଅନୁଯାୟୀ, ଜଣେ ବାଇକ୍ କିମ୍ବା ସ୍କୁଟି ଚାଳକ ଚପଲ କିମ୍ବା ସ୍ଲିପର ପିନ୍ଧି ଗାଡ଼ି ଚଳାଇପାରିବେ ନାହିଁ । ଏପରି କଲେ ଏହାକୁ ନିୟମର ଉଲଙ୍ଘନ ବୋଲି ଧରାଯିବ । ବାଇକ୍ ଚଳାଇବା ବେଳେ ପାଦକୁ ପୁରାପୁରି ଘୋଡେ଼ଇ ରଖୁଥିବା ଜୋତା ପିନ୍ଧିବା ଆବଶ୍ୟକ । ତେଣୁ ଯଦି ଆପଣ ଏହି ନିୟମ ଭାଙ୍ଗୁଛନ୍ତି, ତେବେ ଟ୍ରାଫିକ ପୋଲିସ ଆପଣଙ୍କୁ କୌଣସି ବି ସମୟରେ 1000 ଟଙ୍କା ଜୋରିମାନା କରିପାରନ୍ତି । ଏହାସହିତ ବାଇକ୍ ଚଳାଇବା ବେଳେ ଜଣେ ଗାଡ଼ି ଚାଳକ ସଠିକ୍ ଡ୍ରେସ୍ ପିନ୍ଧିବା ଆବଶ୍ୟକ । ଖାଲି ଦେହରେ ଗାଡ଼ି ଚଳାଉଥିଲେ, ଏହାକୁ ନିୟମର ଉଲଂଘନ ବୋଲି ଧରାଯିବ । ଏପରି ପରିସ୍ଥିତିରେ ଟ୍ରାଫିକ ପୋଲିସ ସେହି ଚାଳକଙ୍କ ପାଖରୁ ହଜାରେ ଟଙ୍କା ଜୋରିମାନା ଆଦାୟ କରିପାରନ୍ତି ।
ସେହିପରି ନୂଆଁ ନିୟମ ଅନୁଯାୟୀ, ଗାଡିରେ ହାଇ ସିକ୍ୟୁରିଟି ନମ୍ୱର୍ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଯାହାକୁ ଭାଙ୍ଗିଲେ ଗାଡ଼ି ଚାଳକଙ୍କୁ ଫାଇନ ଗଣିବାକୁ ପଡ଼ିବ । ତେଣୁ ଆପଣ ଯଦି ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ପାଇଁ ସ୍ଲଟ ବୁକ୍ କରିନାହାନ୍ତି, ତେବେ ତୁରନ୍ତ ସ୍ଲଟ ବୁକ୍ କରନ୍ତୁ । ଆଉ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ ଲଗାଇ ଦିଅନ୍ତୁ । ନଚେତ୍ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ପଡିପାରେ ।