ବନ୍ଧୁଗଣ କିଛିଦିନ ପୂର୍ବରୁ ଜଳେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ରେ ଅସମ୍ମାନଜନକ ଢଙ୍ଗରେ ପଛରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ପରେ ସେହି ସଂପୃକ୍ତ ଟେଣ୍ଟହାଉସ୍ର ମାଲିକ ଏବଂ କର୍ମଚାରୀମାନେ ଏପରି କୁକର୍ମ ପାଇଁ ଜଳେଶ୍ୱର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇ କ୍ଷମା ମାଗିଥିଲେ ।
ଟେଣ୍ଟ ହାଉସର ଏହି କର୍ମଚାରୀମାନେ ମନ୍ଦିରରେ କାନ ଧରି ମହାପ୍ରଭୁଙ୍କ ଆଗରେ କ୍ଷମା ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ଦୁଇ ଦିନ ନପୁରୁଣୁ ପୁଣିଥରେ ଜଗତର ନାଥ ଜଗନ୍ନାଥଙ୍କୁ ଅବମାନନା ହୋଇଛି । ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଏହି ଖବର ଶୁଣି ବିଚଳିତ କରିବ ନିଶ୍ଚୟ । କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ । ସମୁଦ୍ର କୂଳରେ ଭାସି ଭାସି ଆସି ଲାଗିଛନ୍ତି ମହାପ୍ରଭୁ । ଅତ୍ୟନ୍ତ ଦୟନୀୟ ଓ ଅସହାୟ ଭାବରେ ପଡି ରହିଛନ୍ତି ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଗଭୀର କୁଠାରଘାତ ।
ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ନୁହନ୍ତି ବରଂ ସମଗ୍ର ମାନବଜାତିର ଦେବତା । କେଉଁ ଅନାଦିକାଳରୁ ସେ ଓଡ଼ିଶାବାସୀଙ୍କର ବିଶ୍ୱାସର ଅସରନ୍ତି ଉତ୍ସ ହୋଇ ବିରାଜିଛନ୍ତି ଶ୍ରୀକ୍ଷେତ୍ରରେ । ମହାପ୍ରଭୁ ଓଡିଶାର ଗୌରବମୟ ଇତିହାସର ଜୟଗାନ କରି ଆସିଛନ୍ତି । ଜଗନ୍ନାଥଙ୍କ ନାମରେ ଓଡ଼ିଶାବାସୀଙ୍କ ପରିଚୟ ସୃଷ୍ଟି ହୋଇଛି । ଜଗନ୍ନାଥଙ୍କୁ ଲୋକଦେବତା, ରାଷ୍ଟ୍ରଦେବତା ଓ ବିଶ୍ୱଦେବତା ଭାବରେ ମାନ୍ୟତା ଦିଆଯାଇଛି । ଆଉ ଆଜି ସେହି ଦାରୁବ୍ରହ୍ମ ପଡି ରହିଛନ୍ତି ମହୋଦଧି କୂଳରେ । ଆଦି ସୂର୍ଯ୍ୟ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଛାଡି ଯାଇଛି ରଙ୍ଗ ।
ତେବେ ବର୍ତମାନ ପ୍ରତ୍ୟେକ ଓଡ଼ିଆ ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ ନିଶ୍ଚିତ ଯେ ଏଭଳି ଅବସ୍ଥାରେ କିଏ ଛାଡ଼ି ଯାଇଛି ପ୍ରଭୁଙ୍କୁ । ଏପରି ଅବସ୍ଥାରୁ ଏହା ପ୍ରତୀତ ହେଉଛି ଯେ ନିଶ୍ଚିତ କେହି ଜଣେ ବିଗ୍ରହକୁ ପୂଜା ନକରିପାରି ସମୁଦ୍ରରେ ବିସର୍ଜନ କରିଦେବାକୁ ପ୍ରୟାସ କରିଛି । କିନ୍ତୁ ପ୍ରଭୁ ବୋଧହୁଏ ସ୍ଵୟଂ ଚାହୁଁନାହାଁନ୍ତି । କିନ୍ତୁ କୂଳରେ ସକଳ ଶକ୍ତିର ଆଧାର ଜଗନ୍ନାଥଙ୍କ ପ୍ରତିମା ଏଭଳି ପଡ଼ି ରହିଥିବାର ଦେଖି ହୃଦୟରେ କୋହ ଉଠିଛି ।