ତେବେ ବନ୍ଧୁଗଣ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପବଳୟ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ରହିବ । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ । ୧୦ ଓ ୧୧ ତାରିଖରେ ଲଘୁଚାପର ପ୍ରଭାବ ସର୍ବାଧିକ ରହିବ । ରାଜ୍ୟରେ ୧୨ ତାରିଖ ଯାଏ ବର୍ଷା ଜାରି ରହିବ ।
ଆଜି ଲଘୁଚାପ ପ୍ରଭାବରେ କୋରାପୁଟ, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ କଳାହାଣ୍ଡି, ଜଗତସିଂହପୁର, କଟକ, ଖୋର୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ତାରିଖରୁ ଲଘୁଚାପର ପ୍ରଭାବ ବଢ଼ିବା ସହ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ ।
ସେହିଭଳି ୧୧ ତାରିଖ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟରେ ୧୨ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗୁରୁବାର ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ଲଘୁଚାପଟି ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିଲା । କ୍ରମଶଃ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳକୁ ଆସିବ ।
୧୧ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଅର୍ଥାତ୍ ଗୋପାଳପୁରରୁ ପାରାଦୀପ କିମ୍ବା ସଂଲଗ୍ନ ଉତ୍ତର ଉପକୂଳ ଦେଇ ଆଭ୍ୟନ୍ତର ଓଡ଼ିଶାକୁ ଯିବ । ଏହା ପ୍ରଭାବରେ ୯ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୪.୯ ମିମି ବର୍ଷା ହେବା କଥା । ମାତ୍ର ଚଳିତ ମୌସୁମୀ ଋତୁରେ ଏବେ ସୁଦ୍ଧା ୧୦୧୧.୧ ମିମି ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ନିଅଣ୍ଟିଆ ରହିଥିବା ବେଳେ ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ ଓ କୋରାପୁଟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ।