ଏସିଆ କପ ୨୦୨୨ ସୁପର-ଚାରି ଷ୍ଟେଜରେ ଭାରତୀୟ ଦଳକୁ ଲଗାତାର ଦ୍ଵିତୀୟ ପରାଜୟର ସାମ୍ନା କରିବାକୁ ପଡିଛି। ମଙ୍ଗଳବାର ଦିନ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ମୁକାବିଲାରେ ଭାରତକୁ ଶ୍ରୀଲଙ୍କା ୬ ୱିକେଟରେ ହରାଇଦେଲେ। ଭାରତ ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଥିଲେ। ଯେଉଁଥିରେ ଗୋଟିଏ ବଲ ବାକି ଥାଉ ଥାଉ ମ୍ୟାଚ ଜିତିଗଲେ।
ପ୍ରଥମେ ପାକିସ୍ତାନ ଓ ବର୍ତ୍ତମାନ ଶ୍ରୀଲଙ୍କା ନିକଟରୁ ପରାଜୟ ମିଳିବା ପରେ ଭାରତୀୟ ଦଳର ଏସିଆ କପର ଫାଇନାଲରେ ପହଞ୍ଚିବା କଷ୍ଟ ହୋଇଯାଇଛି। ବର୍ତ୍ତମାନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟରେ ରହିବା ପାଇଁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିବ। ଖାସ ଭାବରେ ପାକିସ୍ତାନ ଓ ଆଫଗାନିସ୍ତାନ ମ୍ୟାଚ ଉପରେ ସବୁକିଛି ନିର୍ଭର କରିବ। ଆଜି ପାକିସ୍ତାନ ଓ ଆଫଗାନିସ୍ତାନର ମ୍ୟାଚ ଅଛି। ଯଦି ପାକିସ୍ତାନ ଆଜି ଏହି ମ୍ୟାଚକୁ ଜିତିଯାଏ ତେବେ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ ଓ ପୁଣି ଶେଷ ମ୍ୟାଚ ଔପଚାରିକତା ରହିବ।
ଏମିତିରେ ଭାରତ ଫାଇନାଲରେ ପହଞ୍ଚିବା ପାଇଁ କେବଳ ଏହି ଗୋଟିଏ ସମ୍ଭାବନା ଅଛି:-
– ଆଫଗାନିସ୍ତାନ ନିଜର ମ୍ୟାଚରେ ପାକିସ୍ତାନକୁ ହରାଇଦେଉ।
– ପୁଣି ଭାରତୀୟ ଦଳ ନିଜର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଦେଉ।
– ଶ୍ରୀଲଙ୍କା ମଧ୍ୟ ପାକିସ୍ତାନକୁ ହରାଇଦେଉ।
– ଭାରତର ନେଟ ରନରେଟ ଆଫଗାନିସ୍ତାନ ଓ ପାକିସ୍ତାନ ଠାରୁ ଭଲ ରହୁ।
ଆଫଗାନିସ୍ତାନକୁ ରଚିବାକୁ ହେବ ଇତିହାସ:-
ଭାରତୀୟ ଦଳର ସାମାନ୍ୟ କିଛି ଆଶା ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ଅଛି। ଆଫଗାନିସ୍ତାନ ପାଇଁ ପାକିସ୍ତାନକୁ ହରାଇବା କୌଣସି ମାଉଣ୍ଟ ଏଭେରେଷ୍ଟ ଉପରେ ଚଢିବା ପରି ଅଟେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ବର୍ତ୍ତମାନ ପର୍ଯ୍ଯନ୍ତ ଦୁଇଟି ଟି-୨୦ ଓ ଚାରୋଟି ଦିନକିଆ ମୁକାବିଲା ଖେଳିଛନ୍ତି। ଯେଉଁଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଅର୍ଥାତ ଆଫଗାନିସ୍ତାନ ଯଦି ପାକିସ୍ତାନକୁ ହରାଇ ଦିଏ ତେବେ ସେ ଇତିହାସ ରଚିଦେବ। ଏହା ସହିତ ଭାରତୀୟ ଦଳର ଆଶା ଆହୁରି ଅଧିକ ବଢିଯିବ।
ଭାରତର ରନରେଟ ବହୁତ ଖରାପ:-
ଏସିଆ କପ ୨୦୨୨ ର ସୁପର-ଚାରି ଟେବୁଲରେ ଶ୍ରୀଲଙ୍କା ଦୁଇଟି ମ୍ୟାଚରେ ଚାରି ଅଙ୍କ ସହିତ ତାଲିକାର ଶୀର୍ଷରେ ଅଛି। ସେହିପରି ପାକିସ୍ତାନ ଦଳ ଦୁଇ ଅଙ୍କ ସହିତ ଦ୍ଵିତୀୟ ନମ୍ବରରେ ଅଛି। ପାକିସ୍ତାନ ଓ ଶ୍ରୀଲଙ୍କା ଦୁଇଜଣଙ୍କର ରନରେଟ + ରେ ଅଛି। ଭାରତ ଓ ଆଫଗାନିସ୍ତାନ କ୍ରମଶଃ ତୃତୀୟ ଓ ଚତୁର୍ଥ ନମ୍ବରରେ ଅଛନ୍ତି। ଭାରତର ନେଟ ରନରେଟ ବର୍ତ୍ତମାନ -୦.୧୨୫ ଅଛି।
ପାକିସ୍ତାନ ଜିତିବା ମାତ୍ରେ ଭାରତ ବାହାରିଯିବ:-
ଯଦି ଆଜି ପାକିସ୍ତାନ ଦଳ ଜିତିଯିବ ଓ ଆଫଗାନିସ୍ତାନ ଓ ଭାରତ ଦୁଇଜଣ ଏସିଆ କପରୁ ବାହାରିଯିବେ। ଏମିତି ସ୍ଥିତିରେ ୧୧ ସେପ୍ଟେମ୍ବରକୁ ହେବାକୁ ଥିବା ଫାଇନାଲ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ହେବ। ଶ୍ରୀଲଙ୍କା ବିରୁଦ୍ଧରେ ଭାରତୀୟ ଦଳକୁ ପରାଜୟ ମିଳିବା ପରେ ଏହା ସୁନିଶ୍ଚିତକି ବର୍ତ୍ତମାନ ୧୧ ସେପ୍ଟେମ୍ବରରେ ଭାରତ-ପାକିସ୍ତାନର ଫାଇନାଲ ହେବ ନାହିଁ।
ରୋହିତ ଶର୍ମା ଖେଳିଲେ ଶାନଦାର ଇନିଙ୍ଗ୍ସ:-
ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳର ଭଲ ଆରମ୍ଭ ହୋଇନଥିଲା ଏବଂ ସେମାନେ ଶୀଘ୍ର ଦୁଇଟି ୱିକେଟ ହରାଇଥିଲେ। ଏହା ପରେ ରୋହିତ ସୂର୍ଯ୍ୟକୁମାର ସହ ତୃତୀୟ ୱିକେଟ ପାଇଁ ୯୭ ରନର ପାର୍ଟନରସିପ ଖେଳିଥିଲେ। ରୋହିତ ଶର୍ମା ୪୧ ବଲରେ ୭୨ ରନ ସଂଗ୍ରହ କରିଥିଲେ ଯେଉଁଥିରେ ପାଞ୍ଚଟି ଚୌକା ଓ ୪ଟି ଛକା ଥିଲା। ୨୯ଟି ବଲରେ ସୂର୍ଯ୍ୟ ମଧ୍ୟ ୩୪ ରନ କରିଥିଲେ। ଦୁଇଜଣଙ୍କର ଶାନଦାର ଇନିଙ୍ଗ୍ସ ବଦଳରେ ଭାରତ ୨୦ ଓଭରରେ ୮ ୱିକେଟରେ ୧୭୩ ରନ କରିବାରେ ସଫଳ ରହିଲେ।
ଶନାକା-ରାଜପକ୍ଷେ ମ୍ୟାଚକୁ ଛଡାଇନେଲେ:-
ଉତ୍ତରରେ ପଥୁମ ନିଶଙ୍କା ୫୨ ରନ ଓ କୁସଲ ମେଣ୍ଡିସ ୫୭ ରନ କରିଥିଲେ। ଉଭୟଙ୍କର ୯୭ ରନର ପାର୍ଟନରସିପ ଶ୍ରୀଲଙ୍କାକୁ ଭଲ ଆରମ୍ଭ ଦେଇଥିଲା। ତାପରେ ଶ୍ରୀଲଙ୍କା ଦଳ ଲଗାତାର ୱିକେଟ ହରାଇବା ପରେ ଦଳୀୟ ସ୍କୋର ୪ ୱିକେଟ ବିନିମୟରେ ୧୧୦ ରନ ହୋଇଗଲା। ଏମିତି ଲାଗୁଥିଲାକି ଭାରତ ମ୍ୟାଚ ଜିତିଯିବ। କିନ୍ତୁ ଦାସୁନ ଶନାକା ଓ ରାଜପେକ୍ଷଙ୍କ ଶାନଦାର ବ୍ୟାଟିଂ ଭାରତ ନିକଟରୁ ମ୍ୟାଚ ଛଡାଇଆଣିଲେ। ଦାସୁନ ଶନାକା ୩୩ ଓ ଭାନୁକା ରାଜପେକ୍ଷ ୨୫ ରନ କରି ନଟଆଉଟ ରହିଲେ।