ଆଜିଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ! ୨୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଏବେ ଠାରୁ ରାଜ୍ୟରେ ଦିନ ତାପମାତ୍ରା ତଥା ଆଦ୍ରତା ଅଧିକ ଥିବାରୁ କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଉଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଏବେ ବି ମୌସୁମୀ ବିରତି ସ୍ଥିତି ଲାଗି ରହିଛି । ମୌସୁମୀ ଟ୍ରଫ୍‌ଲାଇନ୍‌ର ପଶ୍ଚିମ ଭାଗ ସମୁଦ୍ର ପତ୍ତନଠାରୁ ଭଟିଣ୍ଡା, ରୋହତକ୍‌, ଶାହାଜାହାନପୁର ଯାଏ ଲମ୍ବିଥିବା ବେଳେ ପୂର୍ବ ଭାଗ ହିମାଳୟ ପାଦଦେଶ ଯାଏ ଲମ୍ବିଛି ।

ଫଳରେ ରାଜ୍ୟରେ ଏବେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି । ଆଜି ମଧ୍ୟ ରାଜ୍ୟର ଦିନ ତାପମାତ୍ରା ଅଧିକ ରହିବ । ଖରା ପ୍ରଚଣ୍ଡ ହେବ । ତାପମାତ୍ରା ଅଧିକ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, କଟକ, ଖୋର୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଆଦି ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୬ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର କହିଛି ଯେ ୬ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବ । ସେ ଦିନ କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ୭ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଜଣା ପଡ଼ିଛି । ୮ ତାରିଖରେ ଉପକୂଳ ସମେତ ରାଜ୍ୟର ପ୍ରାୟ ସ୍ଥାନରେ ପ୍ରବଳ ବର୍ଷିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିବା ସହ ସେ ସବୁ ସ୍ଥାନ ମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା‌ ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ । ତେବେ ରାଜ୍ୟବାସୀଙ୍କ ବୋଝ ଉପରେ ନଳିତା ବିଡା ସାଜିଛି ଲଘୁଚାପ ବର୍ଷା । ଦୁଇ ଦୁଇଟି ବନ୍ୟାର ସମ୍ନା କରିବା ପରେ ଏବେ ପୁଣି ଥରେ ରାଜ୍ୟରେ ବନ୍ୟା ଆଶଙ୍କା ଘାରିଛି । ରବିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ସତର୍କତା ଜାରି କରାଯାଇଛି । ସୋମବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା ସାଙ୍ଗକୁ ଘଡଘଡି ଓ ବଜ୍ରପାତ ସମ୍ଭାବନା ଅଛି । ଫଳରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

odia sambada
Comments (0)
Add Comment