ସୂର୍ଯ୍ୟକୁମାର ଜାଦବଙ୍କ ତୁଫାନୀ ପାଳି 26 ବଲରୁ 68 ରନ ଜରିଆରେ ଭାରତ ହଙ୍ଗକଙ୍ଗକୁ ହରାଇ ସୁପର-4 ଭିତରକୁ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 20 ଓଭରରେ ଦୁଇ ଉଇକେଟ ହରାଇ 192 ରନ କରିଥିଲା। ଜବାବରେ ହଙ୍ଗକଙ୍ଗ ଟାର୍ଗେଟ ଠାରୁ ବହୁତ ଦୂରରେ ରହିଗଲା।
ଏହି ବିଜୟ ସହିତ ଭାରତ ସୁପର-4 କୁ ପ୍ରବେଶ କରିବାରେ ଦ୍ଵିତୀୟ ଟିମ ସାବ୍ୟସ୍ତ ହୋଇଛି। ଆଫଗାନିସ୍ତାନ ଟିମ ପ୍ରଥମେ ସୁପର-4 ରେ ପ୍ରବେଶ କରିଥିଲା। ଏବେ ଭାରତୀୟ ଟିମ ନିଜ ଗ୍ରୁପରେ ଏକ ନମ୍ବର ରହିବ।
ଏବେ ସମସ୍ତଙ୍କ ନଜର ସେପ୍ଟେମ୍ବର 2 ତାରିଖରେ ହେବାକୁ ଥିବା ପାକିସ୍ତାନ ଓ ହଙ୍ଗକଙ୍ଗ ମ୍ୟାଚ ଉପରେ ରହିବ କାରଣ ପାକିସ୍ତାନ ଯଦି ସେହି ମ୍ୟାଚ ଜିତୁଛି ତାହେଲେ ପାକିସ୍ତାନ ମଧ୍ୟ ସୁପର-4 ରେ ନିଜର ସ୍ଥାନ ପକ୍କା କରିନେବ। ଏମିତିରେ ସେପ୍ଟେମ୍ବର 4 ତାରିଖରେ ଭାରତ ଓ ପାକିସ୍ତାନ ମୁକାବିଲା ତୟ ବୋଲି ଜଣାପଡ଼ୁଛି। ସେଡ୍ୟୁଲ ଅନୁସାରେ, ସେପ୍ଟେମ୍ବର 4 ତାରିଖରେ ଗ୍ରୁପ ଏ ରେ ଏକ ନମ୍ବର ଓ ଦ୍ବିତୀୟ ନମ୍ବର ଟିମ ମଧ୍ୟରେ ମ୍ୟାଚ ଖେଳାଯିବ।
ବାବର ହୟାତ ବନାଇଲେ ସର୍ବାଧିକ ରନ:-
ହଙ୍ଗକଙ୍ଗ କଥା କହିବାକୁ ଗଲେ ଦଳ 20 ଓଭରରେ 5 ଉଇକେଟ ହରାଇ 152 ରନ କରିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା, ଆଭେଶ ଖାଁ ଓ ଅର୍ଶଦୀପ ସିଂହ 1-1 ଉଇକେଟ ପାଇଥିଲେ। ଜାଡେଜା ଏହାସହ ଏକ ରନ ଆଉଟ କରିଥିଲେ। ବ୍ୟାଟିଂରେ ବାବର ହୟାତ ସର୍ବାଧିକ 40 ରନ କରିଥିଲେ ଓ କିଞ୍ଚିତ ସିଂହ ମଧ୍ୟ 30ରନ କରିଥିଲେ କିନ୍ତୁ ନିଜ ଦଳକୁ ବିଜୟ ଦେଇ ପାରିନଥିଲେ।
ସୂର୍ଯ୍ୟକୁମାର କଲେ କମାଲ ବ୍ୟାଟିଂ:-
ଟିମ ଇଣ୍ଡିଆ ପାଇଁ ଓପନିଂ ସେତେ ଖାଆସ ନଥିଲା। ଅଧିନାୟକ ରୋହିତ ଶର୍ମା 13 ବଲରେ 21 ଓ ଓପନର କେଏଲ ରାହୁଲ 39 ବଲରୁ 36 ରନ କରି ଆଉଟ ହୋଇଥିଲେ। ଏହାପରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ଭାରତର ସ୍କୋରବୋର୍ଡ଼ ଆକାଶ ଛୁଇଁବାରେ ଲାଗିଲା।
ବିରାଟ କୋହଲି 44 ବଲରୁ 59 ରନର ପାଳି ଖେଳିଲେ। ବହୁତ ସମୟ ପରେ ଫର୍ମକୁ ଫେରିଥିବା କୋହଲିଙ୍କୁ ଦେଖି ଫ୍ୟାନ୍ସ ମାନେ ଖୁସି ହୋଇଥିଲେ। ଏହି ମ୍ୟାଚରେ ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ଷ୍ଟାର ଖେଳାଳି ସାବ୍ୟସ୍ତ ହୋଇଥିଲେ ସେ 26 ବଲରୁ 68 ରନ ବନାଇ ସମ୍ପୂର୍ଣ୍ଣ ମ୍ୟାଚକୁ ବଦଳାଇ ଦେଇଥିଲେ।
ଭାରତୀୟ ଟିମ ବ୍ୟାଟିଂରେ ସଙ୍ଘର୍ଷ କରୁଥିବା ସମୟରେ ସୂର୍ଯ୍ୟକୁମାର ଯାଦବ କମାଲ ଦେଖାଇଥିଲେ। ସେ ନିଜ ପାଳିରେ 6 ଚୌକା ଓ 6 ଛକା ମାରିଥିଲେ। ଏହି ପାଳି ଦ୍ୱାରା ଭାରତୀୟ ଟିମ 20 ଓଭରରେ 192 ରନ କରିଥିଲା।
ରୋହିତ ଶର୍ମାଙ୍କ ନାମରେ ବଡ଼ ଉପଲବ୍ଧି:-
ରୋହିତ ଶର୍ମା ବର୍ତ୍ତମାନ T-20 ଇଣ୍ଟରନାଶନାଲ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ମ୍ୟାଚ ଜିତିବାରେ ଦ୍ଵିତୀୟ ଖେଳାଳି ହୋଇଯାଇଛନ୍ତି। ହଙ୍ଗକଙ୍ଗ ବିପକ୍ଷରେ ମିଳିଥିବା ବିଜୟ ସହିତ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅଧିନାୟକ ରୂପରେ ଭାରତ ପାଇଁ ସର୍ବାଧିକ ମ୍ୟାଚ ଜିତିବା ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ରହିଛି। ତାଙ୍କ ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାମ ରହିଛି।
ମହେନ୍ଦ୍ର ସିଂହ ଧୋନ: 72 ମ୍ୟାଚ, 41 ବିଜୟ
ରୋହିତ ଶର୍ମା: 37 ମ୍ୟାଚ, 31 ବିଜୟ
ବିରାଟ କୋହଲି: 50 ମ୍ୟାଚ, 30 ବିଜୟ