ଭାରତୀୟ ଦଳ ଏସିଆ କପ ୨୦୨୨ରେ ନିଜର ଅଭିଯାନକୁ ଧମାକାଦାର ଢଙ୍ଗରେ ଆରମ୍ଭ କରିଛି। ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଭାରତ ନିଜର ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାଜିତ କରିଛନ୍ତି। ପାକିସ୍ତାନ ଭାରତକୁ ବିଜୟ ପାଇଁ ୧୪୮ ରନର ଲକ୍ଷ୍ୟ ଦେଇଥିଲା। ଯାହାକୁ ଭାରତ ଦୁଇଟି ବଲ ବାକିରେ ବିଜୟ ହାସିଲ କରିଲା। ଏହି ବିଜୟ ସହିତ ଭାରତ ଗତବର୍ଷ ଟି-୨୦ ବିଶ୍ଵକପରେ ମିଳିଥିବା ପରାଜୟର ବଦଲା ନେଇନେଲା।
ପାକିସ୍ତାନ ବିରୁଦ୍ଧରେ ଭାରତୀୟ ଦଳର ବିଜୟ ପଛରେ ଅନେକ ଫ୍ୟାକ୍ଟ ଅଛି। ଯେଉଁଠି ଦୃତ ବୋଲର ଶାନଦାର ବୋଲିଂ କରୁଥିବା ସମୟରେ ପାକିସ୍ତାନୀ ଦଳର ସମସ୍ତ ୧୦ଟି ୱିକେଟ ୧୫୦ ରନ ଭିତରେ ଚାଲିଗଲା। ସେହିପରି ବ୍ୟାଟିଂରେ ମଧ୍ୟ ମିଡିଲ ଅର୍ଡରର ବ୍ୟାଟ୍ସମ୍ୟାନ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁବିଜୟୀ କରିଦେଲେ। ଆସନ୍ତୁ ଜାଣିବା ପାକିସ୍ତାନ ବିରୁଦ୍ଧରେ ପାଞ୍ଚଟି ଫ୍ୟାକ୍ଟର୍ସ ଯାହା ପାଇଁ ଭାରତୀୟ ଦଳ ବିଜୟ ହାସିଲ କରିଲା।
ହାର୍ଦ୍ଦିକଙ୍କ ଅଲରାଉଣ୍ଡର ପଞ୍ଚ:-
ଭାରତୀୟ ଦଳର ବିଜୟର ହିରୋ ହାର୍ଦ୍ଦିକ ପାଣ୍ଡ୍ୟା ଅଟନ୍ତି। ପାଣ୍ଡ୍ୟା ପ୍ରଥମ ବଲରୁ ନିଜର ଜଲବା ଦେଖାଇ ୨୫ ରନ ଦେଇ ୩ଟି ୱିକେଟ ନେଇନେଲେ। ହାର୍ଦ୍ଦିକ ପ୍ରଥମ ମ୍ଯାଚରେ ୧୩ତମ ଓଭରରେ ଇଫ୍ତିକ୍ଷାର ଅହମ୍ମଦଙ୍କୁ ୨୮ ରନରେ ଆଉଟ କରି ୪୫ ରନର ପାର୍ଟନରସିପକୁ ଭାଙ୍ଗିଦେଲେ। ପୁଣି ନିଜର ଆଗାମୀ ଓଭରରେ ସେ ମହମ୍ମଦ ରିଜୱାନଙ୍କୁ ୪୩ ରନ ଓ ଖୁସଦିଲ ଶାହଙ୍କୁ ୨ ରନରେ ଆଉଟ କରି ପେଭିଲିୟନକୁ ପଠାଇଦେଲେ। ଏହାପରେ ହାର୍ଦ୍ଦିକ ବ୍ୟାଟିଂରେ କମାଲ କରି ୧୭ ବୋଲରେ ୩୩ ରନ କରିଦେଲେ। ଏହି ସମୟରେ ହାର୍ଦ୍ଦିକ ୧୯ତମ ଓଭରରେ ହାରିସ ରଉଫଙ୍କୁ ତିନୋଟି ଚୌକା ମାରିଲେ ଯାହା ଫଳରେ ଭାରତ ଉପରୁ ସମ୍ପୂର୍ଣ ରୂପରେ ଚାପ ହଟିଗଲା। ଅନ୍ତରେ ହାର୍ଦ୍ଦିକ ୨୦ତମ ଓଭରରେ ଚତୁର୍ଥ ବଲରେ ଏକ ଛକା ପିଟି ଶାନଦାର ଅନ୍ଦାଜରେ ମ୍ୟାଚକୁ ଫିନିସ କରିଦେଲେ। ହାର୍ଦ୍ଦିକ ପ୍ଲେୟର ଅଫ ଦ ମ୍ୟାଚ ମଧ୍ୟ ଚୟନ ହେଲେ।
ଭୁବିଙ୍କ ଦମଦାର ବୋଲିଂ:-
ଦୃତ ବୋଲର ଭୁବନେଶ୍ୱର କୁମାର ଭାରତୀୟ ପ୍ରଶଂସକଙ୍କର ଆଶା ପୂରଣ କରିଥିଲେ। ଭୁଭି ୪ ଓଭରରେ ୨୬ ରନ ଦେଇ ଚାଋଟି ୱିକେଟ ନେଇଥିଲେ। ପାକିସ୍ତାନ ବିପକ୍ଷରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଜଣେ ଭାରତୀୟ ବୋଲରଙ୍କର ଏହା ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା। ଭୁବନେଶ୍ୱର କୁମାର ପ୍ରଥମେ ପାକିସ୍ତାନର ଅଧିନାୟକ ବାବର ଆଜାମଙ୍କୁ ୧୦ ରନରେ ଆଉଟ କରି ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଥିଲେ। ପରେ ଭୁବନେଶ୍ୱର କୁମାର ମଧ୍ୟ ଆସିଫ ଅଲିଙ୍କୁ ୯ ରନ, ତାପରେ ଶାଦବ ଖାନ ୧୦ ରନ ଏବଂ ନାସିମ ଶାହା ୦ ରେ ଆଉଟ କରିଥିଲେ।
କୋହଲିଙ୍କ ଉପଯୋଗୀ ଯୋଗଦାନ:-
ବିରାଟ କୋହଲି ନିଜର ଶତକୀୟ ଟି-୨୦ ଆନ୍ତର୍ଜାତୀୟ ଖେଳି ୩୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ତିନୋଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଭାରତ ପ୍ରଥମ ଓଭରରେ କେଏଲ ରାହୁଲଙ୍କ ୱିକେଟ ହରାଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ସଂଘର୍ଷ କରୁଥିଲେ ବୋଲି ଜଣାପଡିଛି। ଏଭଳି ପରିସ୍ଥିତିରେ ବିରାଟ କୋହଲି କିଛି ବଡ଼ ସଟ ଖେଳି ସ୍କୋର ବୋର୍ଡକୁ ଚଳାଇଥିଲେ। ତେବେ କୋହଲି ଭାଗ୍ୟଶାଳୀ ନ ହୋଇଥିବା କାରଣରୁ ସେ ଏହି ଇନିଂସକୁ ଏକ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। କୋହଲି ସ୍ପିନ ବୋଲର ମହମ୍ମଦ ନୱାଜଙ୍କ ଦ୍ୱାରା ଆଉଟ ହୋଇଯାଇଥିଲେ।
‘ସର’ ଜଡେଜାଙ୍କ ଧମାଲ:-
ରୋହିତ ଶର୍ମାଙ୍କ ଆଉଟ ହେବା ପରେ ଲେଫ୍ଟ-ରାଇଟ କମ୍ବିନେସନ ପାଇଁ ଚତୁର୍ଥ ନମ୍ବରରେ ଜଡେଜାଙ୍କୁ ବ୍ୟାଟିଂ କରିବାକୁ ପଠାଇଲେ। ଜଡେଜା ଆଦୌ ନିରାଶ କରିନଥିଲେ ଓ ଗୋଟେ ପଟେ ଇନିଙ୍ଗ୍ସକୁ ସମ୍ଭାଳିଥିଲେ। ଯେତେବେଳେ ୧୫ତମ ଓଭରରେ ୮୯ ରନର ସ୍କୋରରେ ଭାରତର ୪ଟି ୱିକେଟ ଗଲା ସେତେବେଳେ ମ୍ୟାଚ ଫସୁଥିବାର ଦେଖାଯାଉଥିଲା। ଏମିତିରେ ଜଡେଜା ହାର୍ଦ୍ଦିକଙ୍କ ସହିତ ୫୨ ରନ କରି ଭାରତକୁ ଏକ ବଡ ସଙ୍କଟରୁ ବାହାର କରିଲେ। ଜଡେଜା ଯେତେବେଳେ ୨୦ତମ ଓଭରର ପ୍ରଥମ ବୋଲରେ ଆଉଟ ହୋଇଗଲେ ସେତେବେଳେ ଭାରତ ବିଜୟ ପାଖାପାଖି ପହଞ୍ଚି ଯାଇଥିଲା। ଜଡେଜା ଦୁଇଟି ଚୌକା ଏବଂ ଗୋଟିଏ ଛକା ସାହାଯ୍ୟରେ ୩୫ ରନର ଏକ ଇନିଙ୍ଗ୍ସ ଖେଳିଥିଲେ।
ଟସ ମଧ୍ୟ ସାହାଯ୍ୟ କରିଲା:-
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତିବା ଭାରତୀୟ ଦଳ ପାଇଁ ଗୁରୁତ୍ଵପୂର୍ଣ ଭୂମିକା ନିଭାଇଲା। ଦୁବାଇରେ ଗତ ୧୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ସେଥିରୁ ୧୪ଟି ମ୍ୟାଚରେ ଲକ୍ଷ୍ୟର ପିଛା କରିଥିବା ଦଳ ବିଜୟ ହାସିଲ କରିଛନ୍ତି। ଏମିତିରେ ଏହି ଟ୍ରେଣ୍ଡ ଏହି ମୁକାବିଲାରେ ମଧ୍ୟ ରହିଲା। ଗତବର୍ଷ ଯେତେବେଳେ ଟି-୨୦ ବିଶ୍ଵକପରେ ଦୁଇଟି ଦଳ ମଧ୍ୟରେ ଏହି ମଇଦାନରେ ମୁକାବିଲା ହୋଇଥିଲା ସେତେବେଳେ ପାକିସ୍ତାନ ମଧ୍ୟ ପ୍ରଥମ ବୋଲିଂ କରିବ ବୋଲି ନିର୍ଣ୍ଣୟ ନେଇଥିଲା। ପାକିସ୍ତାନର ଏହି ନିଷ୍ପତ୍ତି ସଠିକ ପ୍ରମାଣିତ ମଧ୍ୟ ହୋଇଥିଲା ଓ ଭାରତୀୟ ବଡ ସ୍ଜୋର କରିପାରିନଥିଲା। ଯେଉଁଥିପାଇଁ ମ୍ୟାଚଟି ଭାରତୀୟ ଦଳ ହାରି ଯାଇଥିଲା। ବର୍ତ୍ତମାନ କିନ୍ତୁ ଭାରତ ଟସ ଜିତି ପ୍ରଥମେ ବୋଲିଂ କରି ପାକିସ୍ତାନକୁ ୧୫୦ ରନ ମଧ୍ୟରେ ଅଲଆଉଟ କରିଦେଲା।