ରେଲୱେ ଚାକିରି ପାଇବା ପାଇଁ ଘଟିଲା ଏକ ବିରଳ ଘଟଣା । ଗରମ ତାୱାରେ ନିଜ ହାତ ପୋଡ଼ିଦେଲେ ପରୀକ୍ଷାର୍ଥୀ

ରେଲୱେ ଚାକିରି ପାଇବା ପାଇଁ ଘଟିଲା ଏକ ବିରଳ ଘଟଣା । ଗରମ ତାୱାରେ ନିଜ ହାତ ପୋଡ଼ିଦେଲେ ପରୀକ୍ଷାର୍ଥୀ

ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ସବୁ ସୀମା ଟପିଗଲେ ଯୁବକ । ପରୀକ୍ଷାରେ ପାସ୍ କରିବାକୁ ନିଜ ଆଙ୍ଗୁଠିର ଚର୍ମ କାଢ଼ି ସାଙ୍ଗ ଅଙ୍ଗୁଳିରେ ଅଠା ମାରି ଲଗେଇ ଦେଇଥିଲେ । ହେଲେ ତାଙ୍କର ଏତେ ଚାଲାକି ବି ପରୀକ୍ଷକଙ୍କ ଆଖିରୁ ବର୍ତ୍ତିଲାନି । ସବୁ ଯୋଜନା ପାଣିରେ ପଡ଼ିଗଲା । ଆଉ ଏବେ ଜେଲରେ ଅଛନ୍ତି ଦୁଇ ସାଙ୍ଗ । ଗୁଜୁରାଟର ଭଦୋଦରା ଠାରେ ଅନୁଷ୍ଠିତ ରେଳବାଇର ଗ୍ରୁପ୍ ଡି ନିଯୁକ୍ତି ପରୀକ୍ଷାରେ ବିହାରର ଜଣେ ଯୁବକ ନିଜ ବନ୍ଧୁ ସ୍ଥାନରେ ବସି ପରୀକ୍ଷା ଦେବାପାଇଁ ଆସିଥିଲେ ।

ବାୟୋମେଟ୍ରିକ୍ ଯାଞ୍ଚରୁ ବଞ୍ଚିବା ପାଇଁ ବନ୍ଧୁ ଅଙ୍ଗୁଠିର ଚର୍ମକୁ ନିଜ ଆଙ୍ଗୁଠିରେ ଲଗାଇଥିଲେ । ବୁଧବାର ଦିନ ଉଭୟ ଯୁବକ ଗିରଫ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଉଭୟ ଯୁବକ ବିହାରର ମୁଙ୍ଗେର ଜିଲ୍ଲାର । ତେବେ ଏପରି କିଛି ଯୋଜନା ପ୍ରସ୍ତୁତ କରିଥିଲେ ଯୁବକ ଜଣଙ୍କ । ଭଦୋଦରାର ଅତିରିକ୍ତ ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ପରୀକ୍ଷାରେ ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ବିହାରର ମୁଙ୍ଗେର ଜିଲ୍ଲାର ବାସିନ୍ଦା ରାଜଗୁରୁ ଗୁପ୍ତା । ସେହିଭଳି ପରୀକ୍ଷା ପାଇଁ ଆବେଦନ କରିଥିବା ଅଭିଯୁକ୍ତ ହେଉଛନ୍ତି ମନୀଷ ଗୁପ୍ତା । ମନୀଷ କୌଣସି ବି ପରିସ୍ଥିତିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ତାଙ୍କ ସାଙ୍ଗ ରାଜଗୁରୁଙ୍କୁ ପରୀକ୍ଷାରେ ବସାଇବାକୁ ନିଷ୍ପତ୍ତି ନେଇଥିଲେ ।

ସେଥିପାଇଁ ସେ ନିଜ ଆଙ୍ଗୁଠିର ଚର୍ମକୁ କାଟି ବାୟୋମେଟ୍ରିକ ଯାଞ୍ଚରୁ ରକ୍ଷା ପାଇବା ପାଇଁ ରାଜଗୁରୁଙ୍କ ଆଙ୍ଗୁଠିରେ ଲଗାଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ରାଜଗୁରୁ ପୋଲିସ୍‌ ସାମ୍ନାରେ ସବୁ ଗୋଟି ଗୋଟି କଥା ଖୋଲି କି କହିଛନ୍ତି ଯେ ସେ କିପରି ରାଜଗୁରୁଙ୍କ ଆଙ୍ଗୁଠିରେ ନିଜ ଚର୍ମକୁ ଲଗାଇଲେ । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମନୀଷ କରିଥିଲେ ଭୟାନକ କାଣ୍ଡ । ସେ ପ୍ୟାନକୁ ଗରମ କରି ତାଙ୍କ ବାମ ହାତର ଆଙ୍ଗୁଠିକୁ ରଖିଥିଲେ । ଆଙ୍ଗୁଠି ପୋଡ଼ିଯିବା ପରେ ଫୁଲି ଯାଇଥିଲା । ଆଉ ସେ ଫୁଲା ଚର୍ମକୁ ଉତାରି ସାଙ୍ଗ ହାତରେ ଅଠା ଦେଇ ଲଗାଇ ଦେଇଥିଲେ । ଆଉ ୨୨ ଅଗଷ୍ଟରେ ଗୁଜୁରାଟରେ ଅନୁଷ୍ଠିତ ପରୀକ୍ଷାରେ ରାଜଗୁରୁ ମନୀଷଙ୍କ ସ୍ଥାନରେ ବସିଥିଲେ ।

ବାୟୋମେଟ୍ରିକ୍ ଡିଭାଇସ୍ ସହିତ ଆଧାର କାର୍ଡ ତଥ୍ୟ ମିଳାଇବା ପରେ ମନୀଷଙ୍କ ଆଙ୍ଗୁଠି ଛାପ ମେଳ ଖାଇଲା ନାହିଁ । ସେହିପରି ରାଜଗୁରୁ ସବୁବେଳେ ତାଙ୍କ ବାମ ହାତକୁ ପକେଟରେ ରଖି ଲୁଚାଉଥିଲେ ଯାହା ପରୀକ୍ଷକଙ୍କ ସନ୍ଦେହ ଘେରକୁ ଆସିଥିଲା । ଫଳରେ ରାଜଗୁରୁଙ୍କ ଅଙ୍ଗୁଠିରେ ସାନିଟାଇଜର ମାରିବା ପରେ ଚର୍ମ ଆପେ ଖସି ପଡ଼ିଥିଲା । ଆଉ ସେମାନଙ୍କ ସମସ୍ତ ପୋଲ୍‌ ଖୋଲି ଯାଇଥିଲା । ପୋଲିସ୍ ଦୁଇଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ଏହା ସହିତ ଘଟଣା ସମ୍ପର୍କରେ ମଧ୍ୟ ଅଧିକ ତଦନ୍ତ ଚାଲିଛି ।

odia sambada
Comments (0)
Add Comment