ଦିଲ୍ଲୀର ବେଲକମ୍ ଅଞ୍ଚଳରେ ରହୁଥିବା ଦୁଇ ଭାଇ ଯେତେବେଳେ ଚାରିଦିନ ଛୁଟି ମନାଇ ଅଗଷ୍ଟ 16 ତାରିଖ ସକାଳେ ଘରକୁ ଫେରିଲେ, ସେତେବେଳେ ଏହି ଦୁନିଆର ସବୁଠାରୁ ଭୟଙ୍କର ଦୃଶ୍ୟ ସେମାନଙ୍କୁ ଅପେକ୍ଷା କରିଥିଲା । ସେତେବେଳେ ଦୁଇ ଭାଇ ଘରକୁ ଆସି କଲ ବେଲ ବଜାଇଲେ ଏବଂ କବାଟ ଖଟ ଖଟ ମଧ୍ୟ କଲେ, କିନ୍ତୁ କେହି କବାଟ ଖୋଲିଲେ ନାହିଁ କିମ୍ବା ଭିତରୁ ମଧ୍ୟ କୌଣସି ଶବ୍ଦ ଶୁଣାଗଲା ନାହିଁ । ତେଣୁ ଦୁଇଭାଇ ଭାବିଲେ ଯେ ବୋଧହୁଏ ସେମାନଙ୍କ ମା ଏବଂ ଜେଜେମା ଗଭୀର ନିଦରେ ଶୋଇ ପଡିଛନ୍ତି ।
ଏହାପରେ ଦୁହେଁ ନିଜ ପାଖରେ ଥିବା ଘରର ଆଉ ଗୋଟିଏ ଚାବି ଦ୍ଵାରା ଲକ୍ ଖୋଲିଲେ ଏବଂ ଭିତରକୁ ଯାଇ ଯାହା ଦେଖିଲେ ତାହା ଅତ୍ୟନ୍ତ ଭୟଙ୍କର ଥିଲା । ସେମାନେ ସେହି ଭୟଙ୍କର ଦୃଶ୍ୟ ଦେଖି ଥରି ଉଠିଲେ । ସେମାନେ ଚିତ୍କାର କରି ଘରୁ ବାହାରକୁ ଚାଲିଆସିଲେ । ଘରେ ସେମାନଙ୍କ ମା ଏବଂ ଜେଜେମାଙ୍କର ହତ୍ୟା ହୋଇସାରିଥିଲା । ମାଙ୍କ ଲାସ୍ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଗୋଟିଏ ବେଡ୍ ଉପରେ ପଡ଼ିଥିବାବେଳେ ଜେଜେମାଙ୍କ ଲାସ୍ ମଧ୍ୟ ତାଙ୍କ ବେଡ୍ ଉପରେ ପଡିଥିଲା । ଘରର ଜିନିଷପତ୍ର ଏଣେ ତେଣେ ପଡ଼ିଥିଲା, ଯେଉଁଥିରୁ ଦୁଇଭାଇଙ୍କୁ ଲାଗିଲା ଯେ ଚୋରି ଉଦ୍ଦେଶ୍ୟରେ ମା ଏବଂ ଜେଜେମାଙ୍କୁ ହତ୍ୟା କରାଯାଇଛି ।
ପୋଲିସ ପାଖରେ ଏହି ସୂଚନା ପହଞ୍ଚିବା ମାତ୍ରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ପୋଲିସ ପାଇଁ ଏହା ଗୋଟିଏ ବଡ ଚ୍ୟାଲେଞ୍ଜ ଥିଲା । କାରଣ ଏହି ଦୁଇଭାଇ କାହା ଉପରେ ସନ୍ଦେହ ମଧ୍ୟ କରିନଥିଲେ । ଏପରି ପରିସ୍ଥିତିରେ ପୋଲିସ ପାଇଁ ଏହି ମାମଲାର ମୂଳ ପର୍ଯ୍ୟନ୍ତ ଯିବା ଗୋଟିଏ ଚ୍ୟାଲେଞ୍ଜ ପାଲଟିଗଲା ।
ପଡୋଶୀଙ୍କୁ ଦେଇଥିଲେ ଦେଖାଶୁଣା କରିବାର ଦାୟିତ୍ବ :-
ତେବେ ହଁ, ପଚରାଉଚରାରେ ଦୁଇଭାଇ ନିଜ ପଡୋଶୀ ହର୍ଶିତଙ୍କ ବିଷୟରେ କହିଥିଲେ ଏବଂ କହିଲେ ଯେ ହର୍ଶିତ ସେମାନଙ୍କର ପୁରୁଣା ସାଙ୍ଗ ଅଟେ । ତେଣୁ ଛୁଟି ମନାଇବା ପାଇଁ ଯିବା ପୂର୍ବରୁ ସେମାନେ ହର୍ଶିତଙ୍କୁ ଏହି ବିଷୟରେ କେବଳ କହିନଥିଲେ ବରଂ ସେମାନଙ୍କ ମା ଓ ଜେଜେମାଙ୍କ ଦେଖାଶୁଣା କରିବା ସହିତ ଚାଣ୍ଡନୀ ଛକରେ ଥିବା ସେମାନଙ୍କ ଦୋକାନର ଧ୍ୟାନ ରଖିବାକୁ ମଧ୍ୟ କହିଥିଲେ । ତେବେ ପୋଲିସ ଏହାପରେ ହର୍ଶିତଙ୍କୁ ପଚରାଉଚରା କରିବାକୁ ବାଧ୍ୟ ହୋଇଥିଲା ।
ଯେତେବେଳେ ହର୍ଶିତଙ୍କୁ ଏହି ବିଷୟରେ ପଚରାଗଲା, ସେତେବେଳେ ସେ ବହୁତ୍ ନିରୀହ ଭାବେ କହିଲା ଯେ ତାକୁ ତା ସାଙ୍ଗ ଘରେ ହୋଇଥିବା ଚୋରି କିମ୍ବା ସେମାନଙ୍କ ମା ଓ ଜେଜେମାଙ୍କ ହତ୍ୟା ବିଷୟରେ କିଛି ବି ଜଣା ନାହିଁ । କିନ୍ତୁ ସେ ଏହା ମଧ୍ୟ କହିଲା ଯେ ସେହି ଦୁଇଭାଇଙ୍କର କହିବା ଅନୁଯାୟୀ, ସେ ଦିନେ କି ଦୁଇଦିନ ତାଙ୍କ ଘରକୁ ଯାଇ ମା ଓ ଜେଜେମାଙ୍କୁ ଦେଖା କରି ଆସିଥିଲା, କିନ୍ତୁ ଏସବୁ କେବେ ହେଲା, କେମିତି ହେଲା, କିଏ କଲା ସେ ଏସବୁ ବିଷୟରେ କିଛି ଜାଣିନାହିଁ ।
ତାପରେ ପୋଲିସ ନିଜର ତଦନ୍ତ ଆରମ୍ଭ କରିଦେଲା ଏବଂ ସେ ସେହି ଦୁଇଭାଇଙ୍କୁ ପଚାରିଲା ଯେ ଏତେ ଦିନ ପର୍ଯ୍ୟନ୍ତ ତୁମେ ଘରାଲୋକଙ୍କ ସହ କଣ୍ ପାଇଁ ଯୋଗାଯୋଗ କରିନଥିଲ । ଏହା ଉପରେ ଦୁଇଭାଇ କହିଲେ ଯେ ଯେହେତୁ ଆମେ ହର୍ଶିତକୁ ଆମ ମା ଓ ଜେଜେମାଙ୍କ ଧ୍ୟାନ ରଖିବାକୁ କହିଥିଲୁ, ତେଣୁ ଆମେ ହର୍ଶିତକୁ ଫୋନ୍ କରି ହାଲ ଚାଲ୍ ପଚାରୁଥିଲୁ ଏବଂ ହର୍ଶିତ ସବୁ ଥର ମା ଓ ଜେଜେମା ଭଲ ଅଛନ୍ତି ବୋଲି କୁହେ । ତାପରେ ପୋଲିସ ଜାଣିପାରିଲା ଯେ ଏଥିରେ ହର୍ଶିତର ହିଁ ହାତ ରହିଛି, କାରଣ ଅଗଷ୍ଟ 13 ତାରିଖ ପରେ ମା ଓ ଜେଜେମା ବାହାରକୁ ମଧ୍ୟ ବାହାରି ନଥିଲେ କି ସେମାନଙ୍କର କୌଣସି ଖବର ନଥିଲା ।
ତାପରେ ପୋଲିସ ସିସିଟିଭି ଫୁଟେଜ ଚେକ କଲା ଏବଂ ସବୁକିଛି ଜଣା ପଡ଼ିଗଲା । ପ୍ରକୃତରେ ହର୍ଶିତ ହିଁ ସବୁ ଟଙ୍କା, ଗହଣା ଏବଂ ମୂଲ୍ୟବାନ ଜିନିଷ ଚୋରି କରିବା ଉଦ୍ଦେଶ୍ୟରେ ସେ ଦୁଇଭାଇଙ୍କର ମା ଓ ଜେଜେମାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲା । ତେବେ ସତ ସାମ୍ନାକୁ ଆସିବାପରେ ଅଭିଯୁକ୍ତ ହର୍ଶିତ ମଧ୍ୟ ହତ୍ୟା କରିଥିବା କଥାକୁ ସ୍ବୀକାର କଲା ଏବଂ ପ୍ରମାଣ ସବୁ ବର୍ତ୍ତମାନ ଅଭିଯୁକ୍ତକୁ ଜେଲରେ ପହଞ୍ଚାଇ ଦେଇଛି ।