ଯୁଗରୁ ଧରି ଲୋକ କଥା ରହି ଆସିଛି ଯେ କଣ୍ଟାକୁ କଣ୍ଟା ଦ୍ୱାରା ହିଁ କଢା ଯାଇଥାଏ । ତେବେ ନିକଟରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏହି ସମାନ ତରିକା ଆପଣେଇ ବିଜେପିର ମୋଦୀ ସରକାରଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ୨୨ ତାରିଖରେ କନଷ୍ଟିଚ୍ୟୁସନ୍ କ୍ଲବରେ ରାହୁଲ ଗାନ୍ଧୀ ସିଭିଲ ସୋସାଇଟିର ସଦସ୍ୟ ଏବଂ ସଂଗଠନ ସହ ଆଲୋଚନା କରିବେ ବୋଲି ସ୍ଥିର ହୋଇଛି । ରାହୁଲଙ୍କ ଏହି ଆଲୋଚନାରେ ସେପ୍ଟେମ୍ବର ୭ରୁ ଆରମ୍ଭ ହେବାକୁ ଥିବା କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ବା ଭାରତ ଯୋଡୋ ଯାତ୍ରା ବାବଦରେ ମଧ୍ୟ ଚର୍ଚ୍ଚା ଆଲୋଚନା ହେବ ।
ଭାରତ ଯୋଡୋ ଯାତ୍ରାର ସଂଯୋଜକ ଦିଗବିଜୟ ସିଂହ ଏହି ସନ୍ଦର୍ଭରେ ମେଧା ପାଟକର, ଯୋଗେନ୍ଦ୍ର ଯାଦବଙ୍କ ସହ ଅନ୍ୟ ସମାଜସେବୀଙ୍କ ସହ ଆଲୋଚନା କରିଛନ୍ତି । ଶୀଘ୍ର ଅଗଷ୍ଟ ୨୨ରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଅତିଥିଙ୍କ ତାଲିକା ମଧ୍ୟ ଜାରି କରାଯିବ । ୨୦୧୪ ପୂର୍ବରୁ ୟୁପିଏ ସରକାରଙ୍କ ବିରୋଧରେ ଆନ୍ନା ହଜାରେ, ରାମଦେବ, ଇଣ୍ଡିଆ ଏଗନେଷ୍ଟ କରପସନ ସହ ଅନେକ ସାମାଜିକ ସଂଗଠନ ବଡ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକୁ ପଛରୁ ରହି ବିଜେପି ଏବଂ ଆରଏସଏସ ନିଜର ସମର୍ଥନ ଜଣାଇଥିଲା ।
ଏହି ଅଭିଯାନ କଂଗ୍ରେସର ସରକାରକୁ ମୂଳପୋଛ କରିଦେଇଥିଲା । ବର୍ତ୍ତମାନ ରାହୁଲ ଗାନ୍ଧୀ ସମାନ ତରିକା ଆପଣେଇଛନ୍ତି । ସାମାଜିକ ସଂଗଠନ ସହ ମିଶି ଏଭଳି ମାହୋଲ ତିଆରି କରାଯାଉଛି ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରିବ । ମୋଦୀ ସରକାରଙ୍କ ବିଭିନ୍ନ କାମକୁ ନେଇ ସାଧାରଣ ଲୋକଙ୍କ ପାଖରେ ସାମାଜିକ ସଂଗଠନ ପହଞ୍ଚିପାରିବେ । ଦରଦାମବୃଦ୍ଧି, ସାମ୍ବିଧାନିକ ସଂସ୍ଥାର ଦୂରୁପୋଯୋଗ, ବେରୋଜଗାର, କୃଷକଙ୍କ ସ୍ଥିତି, ମାନ୍ଦାବସ୍ଥା , ଗରିବଙ୍କ ଆକାଉଣ୍ଟରେ ନ୍ୟାୟ ଯୋଜନାରେ ଟଙ୍କା ପଠାଇବା ଭଳି ଯୋଜନାର ପ୍ରସଙ୍ଗକୁ ନେଇ କଂଗ୍ରେସ ସମାଜସେବୀମାନଙ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନା କରୁଛି ।
ଦଳ ଏହି ଯାତ୍ରା ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଏକ ଜନସମ୍ପର୍କ ଅଭିଯାନ ଭାବେ କରିବାକୁ ଯାଉଛି । କାରଣ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇ ଉଠିଛନ୍ତି ସବୁ ରାଜନୈତିକ ଦଳ । ବହୁମତ ବିଜୟ ସହ ଏବେ କ୍ଷମତାରେ ଥିବା ବିଜେପି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ରାହୁଲ ଗାନ୍ଧୀ ପୁରା ଜୋସ୍ ରେ ଲାଗି ପଡିଛନ୍ତି ।