ରାଜ୍ୟରେ କିଛି ଦିନ ହେବ ବର୍ଷାର ଦେଖା ନଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ବର୍ଷା । ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତେବେ ଆଜିଠାରୁ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଲଘୁଚାପ ବର୍ଷା ପ୍ରଭାବରେ ଆଜିଠାରୁ ୧୦ ଅଗଷ୍ଟ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖାସକରି ୮ ଓ ୯ ତାରିଖରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ତଲୁଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ଥିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।
ସେହିଭଳି ପ୍ରବଳ ବର୍ଷା ପାଇଁ ଚାଷୀ ମାନଙ୍କ ପାଇଁ ମଧ୍ୟ ଆଡଭାଇଜରି ଜାରି କରାଯାଇଛି । ତେବେ ଅଗଷ୍ଟ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ରାଜ୍ୟର ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବରଗଡ଼, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିଭଳି ୭ ତାରିଖ ଦିନ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଗଷ୍ଟର ପ୍ରଥମ ଲଘୁଚାପ ଆଜି ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଥିବାବେଳେ ଉତ୍ତର ଓଡ଼ିଶାରେ ବହୁତ କମ୍ ବର୍ଷା ହେବାର ସମ୍ଭାବନା ରହିଛି ।ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ।