ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର ; ସରକାରୀ ଚାକିରି ବୟସ ସୀମା ୩୨ରୁ ୩୮କୁ ବଢ଼ିଲା

ଚାକିରୀ ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଏବେସରକାରୀ ଚାକିରି ପାଇଁ ବୟସ ସୀମା ବଢ଼ାଇଛନ୍ତି ରାଜ୍ୟ ସରକାର । ସାଧାରଣ ବର୍ଗଙ୍କ ପାଇଁ ବୟସ ସୀମା ୩୨ ବର୍ଷ ଥିବା ବେଳେ ଏହାକୁ ୩୮ ବର୍ଷ କରାଯାଇଛି । ଏସ-ସି, ଏସ-ଟି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ଚାକିରି ପ୍ରବେଶ ବୟସକୁ ୪୩ ବର୍ଷ କରାଯାଇଛି ।

ରାଜ୍ୟ କ୍ୟାବିନେଟ ଏହାକୁ ମଂଜୁରି ଦେଇଛି । ୩ ବର୍ଷ ପାଇଁ ଏହି ନିଷ୍ପତି ନିଆଯାଇଛି । ୨୦୨୧, ୨୦୨୨ ଓ ୨୦୨୩ ମସିହା ରେ ଜାରି ହୋଇଥିବା ଏବଂ ଜାରି ହେବାକୁ ଥିବା ସରକାରୀ ପଦବୀରେ ଉଚ୍ଚ ବୟସ ସୀମାକୁ ବୃଦ୍ଧି କରା ଯାଇଛି । ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ବୟସ ସୀମାକୁ ଆହୁରି କୋହଳ କରାଯାଇଛି । ସାଧାରଣ ବର୍ଗଙ୍କ ପାଇଁ ଉଚ୍ଚ ବୟସ ସୀମା ୩୮ ବର୍ଷ ହୋଇଥିବା ବେଳେ ଏସ-ସି, ଏସ-ଟି, ପଛୁଆ ବର୍ଗ ଏବଂ ସବୁ ବର୍ଗ ମହିଳାଙ୍କ ପାଇଁ ଚାକିରି ପ୍ରବେଶ ବୟସକୁ ୪୩ ବର୍ଷକୁ ବୃଦ୍ଧି କରାଯାଇଛି ।

ସାଧାରଣ ବର୍ଗର ଦିବ୍ୟାଙ୍ଗମାନେ ୪୮ବର୍ଷ ବୟସରେ ସରକାରୀ ଚାକିରିରେ ପ୍ରବେଶ କରିପାରିବେ । ଅନୁସୂଚିତ ଜାତି, ଜନଜାତିର ଦିବ୍ୟାଙ୍ଗମାନେ ୫୩ ବର୍ଷ ବୟସରେ ଚାକିରି କରିପାରିବେ ବୋଲି ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି । ଆହୁରି ମଧ୍ୟ କୋଭିଡ ପରବର୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବି ପାଇଁ ଦରଖାସ୍ତ ଓ ପରୀକ୍ଷା ପାଇଁ ଦିଆ ଯାଉଥିବା ଫି’ ଛାଡ଼ କରିଛନ୍ତି ।

ଶୁକ୍ରବାର ଦିନ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଏଭଳି ପଦକ୍ଷେପ ନିଆ ଯାଇଛି । କେବଳ ଏତିକି ନୁହେଁ ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷା ବର୍ଷରେ ବର୍ତମାନ ପର୍ଯ୍ୟନ୍ତ ଓପିଏସ୍‌ସି ଜରିଆରେ ୨୮୪୮ ପଦବି, ଏସ୍‌ଏସ୍‌ସି ଜରିଆରେ ୨୫୫୫ ପଦବି ଓ ଅଧସ୍ଥନ କର୍ମଚାରୀ ଚୟନ ଆୟୋଗ ଜରିଆରେ ୧୦୩୫୫ ପଦବି ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ଏବଂ ଖାଲି ଥିବା ପଦବୀ ସବୁ ପୂରଣ ପାଇଁ ଏସବୁ ବିଭାଗ ମାନଙ୍କରେ ଏହି ପ୍ରକ୍ରିୟାରେ ନିଯୁକ୍ତି ଚୟନ ମଧ୍ୟ ଚାଲିଛି ।

odiasambada
Comments (0)
Add Comment