ଆଜିଠୁ ଯୁକ୍ତ ୨ରେ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ । ଚଳିତଥର ମାଟ୍ରିକ ପାସ୍ ହାର ବଢିଛି । ତେଣୁ ଭଲ ମହା ବିଦ୍ୟାଳୟରେ ଆସନ ମିଳିବ ନା ନାହିଁ ସେନେଇ ଛାତ୍ରଛାତ୍ରୀଙ୍କୁ ଆଶଙ୍କା ଘାରିଛି । କାରଣ କଟ୍ ଅଫ୍ ମାର୍କ ଏଥର ଅଧିକ ଯାଇପାରେ । ଚଳିତ ବର୍ଷ ମାଟ୍ରିକ ପାସ୍ ହାର ୯୦.୫୫ ପ୍ରତିଶତ । ୯୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର ୮ହଜାର ୧୧୯ ଜଣ ଛାତ୍ରଛାତ୍ରୀ । ଯାହାକି ବିଗତ ବର୍ଷଗୁଡିକ ଠାରୁ ଯଥେଷ୍ଟ ଅଧିକ । ଏହାବାଦ୍ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ନାମ ଲେଖାଇବେ ।
ଅନ୍ୟପକ୍ଷରେ ଚଳିତବର୍ଷ ଠାରୁ ଶତ ପ୍ରତିଶତ ପାଠ୍ୟକ୍ରମ (ସିଲାବସ୍)ରେ ଯୁକ୍ତଦୁଇ ପାଠପଢ଼ା ହେବ । ସେହି ପାଠ୍ୟକ୍ରମ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଶତ ପ୍ରତିଶତ ପାଠ୍ୟକ୍ରମ ପୁନଃ ଆରମ୍ଭ କରାଯାଇଛି ।
ଏନେଇ ସିଏଚଏସଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ବିଜ୍ଞପ୍ତି ଅନୁସାରେ, ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତ ପ୍ରତିଶତ ପାଠ୍ୟକ୍ରମ ପଢ଼ିବେ । ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ । ତେବେ ୨୦୨୨ରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ପୁରୁଣା ପାଠ୍ୟକ୍ରମ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ । ଏଥିସହ ୨୦୨୩ ମସିହା ମାଟ୍ରିକ୍ ପରୀକ୍ଷା ପରେ ଓ ଏହାର ଆଗକୁ ମଧ୍ୟ କୃତକାର୍ଯ୍ୟ ଛାତ୍ରଛାତ୍ରୀ ପୂରା ପାଠ୍ୟକ୍ରମ ଉପରେ ପାଠପଢ଼ି ପରୀକ୍ଷା ଦେବେ ।
ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଯୁକ୍ତଦୁଇ ପାଠ୍ୟକ୍ରମକୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ପାଠ୍ୟକ୍ରମରେ ପଢା ସହ ପରୀକ୍ଷା ବି ହୋଇଥିଲା । ବର୍ତ୍ତମାନ କରୋନାର କୋପ ହ୍ରାସ ପାଇଥିବା ବେଳେ ପୂର୍ବପରି ପାଠପଢ଼ା ଆରମ୍ଭ ହୋଇଛି । ତେଣୁ କରୋନା ପୂର୍ବରୁ ୨୦୧୯-୨୦ରେ ଯେପରି ପିଲାମାନେ ଶତ ପ୍ରତିଶତ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେଇଥିଲେ, ତାହା ଚଳିତବର୍ଷ ଠାରୁ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ।