ଆଜିଠାରୁ ନିତିଦିନିଆ ଖାଉଟି ସାମଗ୍ରୀ ମହଙ୍ଗା ହୋଇଯିବ । ବର୍ତ୍ତମାନ ଠାରୁ ଅନେକ ଖାଦ୍ୟ ସାମଗ୍ରୀ ଉପରେ ୫% GST ଲାଗୁ ହେବ । ଯାହା ମଧ୍ୟରେ ଚୁଡା, ମୁଢି, ଚାଉଳ, ଗହମ ଏବଂ ପନିର ଭଳି ଖାଦ୍ୟ ସାମିଲ ଅଛି । ଏହାକୁ ନେଇ କଂଗ୍ରେସ ବିରୋଧ କରିଛି ଏବଂ ଏହି GST ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି । ସେପଟେ ବ୍ୟବସାୟୀ ସଂଘ କହିଛି ଯେ ଏହି ନିଷ୍ପତ୍ତି ଦ୍ଵାରା ଦେଶର ସାଢେ଼ ଛଅ ହଜାର କୃଷିମଣ୍ଡି ଏବଂ ବାର ହଜାର ଡାଲି ମିଲ ସହିତ କୋଟି କୋଟି ବ୍ୟବସାୟୀ ପ୍ରଭାବିତ ହେବେ । ଖାଦ୍ୟ ଶସ୍ୟ ଉପରେ ଲାଗୁ ହୋଇଥିବା ଟିକସକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।
ତେବେ ଆଜିଠାରୁ ଖାଉଟିଙ୍କ ଉପରେ ମହଙ୍ଗା ବୋଝ ବଢ଼ିବ । ଚୁଡା, ମୁଢି, ଦହି, ଲସି, ଚାଉଳ, ଗହମ ସହ ଅନେକ ଖାଦ୍ୟ ସାମଗ୍ରୀ ଉପରେ ୫% GST ଲାଗୁ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା GST କାଉନସେଲିଂ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଟେଟ୍ରା ପ୍ୟାକ ବାଲା ଦହି, ଲସି, ଘୋଳ ଦହି ଉପରେ ୫% GST ଲାଗୁ ହେବ ।
ପ୍ୟାକେଟ ଅଟା ଏବଂ ଡାଲି ଉପରେ ମଧ୍ୟ ୫% GST ଲାଗୁ ହେବ । ପ୍ୟାକେଟ ପନିର, ଗୁଡ଼, ଚାଉଳ ଗୁଣ୍ଡ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଆଦାୟ କରାଯିବ । ଏହା ସାଧାରଣ ଗ୍ରାହକଙ୍କ ବଜେଟ ସହ ବ୍ୟବସାୟୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏଲଇଡି ଲାଇଟ ଏବଂ ଏଲଇଡି ଲ୍ୟାମ୍ପ ଉପରେ GST 12% ରୁ ବଢାଇ 18% କରି ଦିଆଯାଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ଠାରୁ ହସ୍ପିଟାଲରେ ଚିକିତ୍ସା ମଧ୍ୟ ମହଙ୍ଗା ହେବ । ଦୈନିକ 5 ହଜାର ଟଙ୍କାରୁ ଡାକ୍ତରଖାନା ବେଡ ପାଇଁ 5% GST ଆଦାୟ ହେବ । ଏକ ହଜାର ଟଙ୍କା ଭଡ଼ା ବିଶିଷ୍ଟ ହୋଟେଲ ରୁମ୍ ଉପରେ 12% GST ଲାଗୁ ହେବ ।
ଖାଉଟିଙ୍କ ଉପରେ GST ବୋଝ ନେଇ ରାଜନୈତିକ ସହ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି କେନ୍ଦ୍ର ନିଷ୍ପତ୍ତିକୁ ଠିକ୍ ଭାବେ ନିରୂପଣ ନକରି ମନ୍ତବ୍ୟ ଦେବା ଅନୁଚିତ୍ । ତେବେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ବିମାନର ବିଜନେସ କ୍ଲାସରେ ବସି ଯାତ୍ରା କରିବା ମହଙ୍ଗା ହେବ । ଉତ୍ତରପୂର୍ବ ଭାରତର ବିଭିନ୍ନ ସ୍ଥାନକୁ ଯାତ୍ରା କରିବା କରମୁକ୍ତ ଥିଲା । ବର୍ତ୍ତମାନ କିନ୍ତୁ ଇକୋନୋମିକ କ୍ଲାସକୁ ଛାଡ଼ିଦେଲେ ବିଜନେସ କ୍ଲାସରେ ଯାତ୍ରୀଙ୍କୁ 18% GST ଦେବାକୁ ପଡ଼ିବ ।