ଦୁନିଆରେ ମା ହିଁ ତାର ସନ୍ତାନ ପାଇଁ ଅଧିକ ଚିନ୍ତା କରେ ଏବଂ ତାର ସୁରକ୍ଷା ପାଇଁ ସେ ସବୁ ସମୟରେ ଚେଷ୍ଟା ଜାରି ରଖିଥାଏ, ସେ ବଞ୍ଚିଥିବା ସମୟରେ ହେଉ କିମ୍ବା ମଲା ପରେ । ବର୍ତ୍ତମାନ ମାର ମମତାକୁ ନେଇ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ମା କହୁଛି – “ମୋ ପୁଅ ଶୋଇଛି, କେହି ଉଠାଅନି । ପୋଲିସକୁ ଦେଖିଲେ ସେ ଡରିଯିବ । ତାକୁ ଛାଡ଼ିଦିଅ, ବାହାର କରନି… ତା ସହ କିଛି ବି କରନି । ମୋ ବାଇୟା ଧନ ଶୋଇଛି…।” ନିଜ କୁନିପୁଅ ପାଇଁ କାନ୍ଦି କାନ୍ଦି ଗଡି ଯାଉଛି ଏହି ମା । ସତରେ ଆଜି ଆଇନ ଆଗରେ ହାର ମାନିଛି ମାର ମମତା ।
ବାସ୍ତବରେ ମୟୂରଭଞ୍ଜର କପ୍ତିପଦା ଅଞ୍ଚଳରେ ପୋଲିସ ମାଟି ଖୋଳି ଗୋଟିଏ ଛୋଟ ଛୁଆର ଶବକୁ ବାହାର କରିଛି । ରବିବାର ଦିନ ଉଦଳା ଥାନା ଅଞ୍ଚଳର ଶରତ ପାତ୍ର ନିଜର ପାଞ୍ଚ ବର୍ଷୀୟ ପୁଅ ରିତେଶଙ୍କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି ।
ରିତେଶଙ୍କ ବାପା କହିବା ଅନୁଯାୟୀ, ଶରତ ପାତ୍ର ରବିବାର ଦିନ ଉଦଳାରେ ଗୋଟିଏ ହୋଟେଲରେ ହେଉଥିବା ବିବାହ ଭୋଜି ଖାଇବାକୁ ନିଜ ପରିବାର ସହିତ ଯାଇଥିଲେ । ହୋଟେଲରେ ପାର୍ଟି ଚାଲିଥିବା ସମୟରେ ଅଚାନକ କୁନି ରିତେଶ ବାପାଙ୍କ ହାତ ଛାଡି ଚାଲି ଯାଇଥିଲା । ହୋଟେଲରେ ଅସାବଧାନତା କାରଣରୁ କୁନି ରିତେଶ ସ୍ଵୀମିଙ୍ଗ ପୁଲରେ ପଡ଼ି ଯାଇଥିଲା । ଏହାପରେ ବାପାମାଆ ମଧ୍ୟ ରିତେଶକୁ ବହୁତ୍ ଖୋଜିଥିଲେ । ଖୋଜାଖୋଜି କରି ପୁଅକୁ ପାଇବାପରେ ତୁରନ୍ତ ରିତେଶଙ୍କୁ ଉଦଳା ମେଡିକାଲକୁ ନିଆଯାଇଥିଲା ।
କିନ୍ତୁ ସେଠାରେ ଡାକ୍ତର ରିତେଶଙ୍କୁ ମୃତ ବୋଲି ଘୋଷଣା କରି ଦେଇଥିଲେ । କିନ୍ତୁ ଏଭଳି ଗୋଟିଏ ସତ୍ୟକୁ ବାପାମାଆ ସହଜରେ ଗ୍ରହଣ କରିପାରି ନଥିଲେ । ତାପରେ ସେମାନେ ରିତେଶଙ୍କୁ ପୁଣି ଡୁକୁରା ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ଡାକ୍ତରଙ୍କ ଠାରୁ ଏଭଳି କଥା ଶୁଣିବା ପରେ ସେମାନେ ନିଜ ପୁଅକୁ ଗାଁକୁ ନେଇଗଲେ ଏବଂ ପୁଅର ଅନ୍ତିମ ସଂସ୍କାର କରାଇଥିଲେ । ପୁଅକୁ ଗାଁରେ ପୋତି ଦେଇଥିଲେ ।
ଏଠାରେ କିନ୍ତୁ ଉଦଳା ମେଡିକାଲରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିବାପରେ ପୋଲିସ ତରଫରୁ ଶବକୁ ପୋଷ୍ଟମର୍ଟମ କରାଯିବା ପୁର୍ବରୁ ହିଁ ପୁଅକୁ ବାପାମାଆ ନେଇଆସିଥିଲେ । ବିନା ପୋଷ୍ଟମର୍ଟମରେ ପୁଅର ଶବକୁ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୋମବାର ଦିନ ଉଦଳା ପୋଲିସ ଚାମବଣୀ ଗାଁରେ ପହଞ୍ଚିଥିଲା । କପ୍ତିପଦା ପୋଲିସର ସହାୟତାରେ ମାଟି ତଳେ ପୋତି ଦିଆଯାଇଥିବା ନାବାଳକ ପୁଅର ଶବକୁ ଉଦ୍ଧାର କରାଯାଇଛି, ଯାହାର ଦୃଶ୍ୟ ଦେଖିଲେ କୌଣସି ମା ସହି ପାରିବନାହିଁ ।
ଏଠାରେ ଉଦଳା ପୋଲିସ ତରଫରୁ ଶବକୁ ପୋଷ୍ଟମର୍ଟମ କରାଇବା ସହ ଏକ ମାମଲା ରୁଜ୍ଜୁ କରି ଘଟଣାର ଯାଞ୍ଚ କରାଯାଇଛି । ନିଜ ପୁଅର ଶବ ପୋଷ୍ଟମର୍ଟମ କରାଇବାକୁ ବାପାମାଆ ରାଜି ନ ହେବା ସହିତ କହିଥିଲେ ଯେ ସେମାନେ ଏଭଳି ପୁଅର ଶବ ବ୍ୟବଚ୍ଛେଦ ଦେଖିପାରିବେ ନାହିଁ ବୋଲି ବିନା ବ୍ୟବଚ୍ଛେଦରେ ଶବକୁ ନେଇଯାଇଥିଲେ । କିନ୍ତୁ ଆଇନ ଆଗରେ ତାଙ୍କର ସ୍ନେହ ମମତା ହାରିଗଲା । ଆଇନ ତାଙ୍କ ସ୍ନେହ ମମତା ଦେଖିଲାନାହିଁ । ପୁଅର ଶବକୁ ମାଟି ତାଡି କାଢି ଆଣିଲେ ଏବଂ ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇଛି ।