ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । କଥାଟି ବିଶ୍ୱାସ ଯୋଗ୍ୟ ହେଉନଥିଲେ ମଧ୍ୟ ସତ । ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ତାଙ୍କ ଡେବିଟ୍ କାର୍ଡ଼ ଧରି ଗୋଟେ ଏ-ଟି-ଏମରୁ ଟଙ୍କା ଉଠାଇବାକୁ ଗଲେ । ସେ ୫୦୦ ଟଙ୍କା ଉଠାଇବା ପାଇଁ ନିଜ କାର୍ଡ଼ ମେସିନରେ ଭର୍ତ୍ତି କରି ପ୍ରୋସେସ୍ ପୁରା କଲେ । ଏହାପରେ ଏଟିଏମରୁ ୫ ଗୁଣା ଅଧିକ ଟଙ୍କା ଅର୍ଥାତ୍ ୨୫୦୦ ଟଙ୍କା ବହାରିଥିଲା ।
ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ନିଜ ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିଥିଲେ । କିନ୍ତୁ ତାଙ୍କ ଖାତାରୁ କେବଳ ୫୦୦ ଟଙ୍କା ହିଁ କଟିଥିଲା । ଏହା ପରେ ସେ ଦେଖିବା ପାଇଁ ଆଉଥରେ ୫୦୦ ଟଙ୍କା ମାରିବା ଫଳରେ ପୁଣି ୨୫୦୦ ଟଙ୍କା ବାହାରିଥିଲା । ଏହି ଘଟଣା ସମ୍ନାକୁ ଆସିବା ପରେ ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହି ଘଟଣା ଘଟିଛି ନାଗପୁର ଜିଲାରେ । ସୂଚନା ମୁତାବକ, ସେହି ବ୍ୟକ୍ତି ପୁନର୍ବାର ଏଟିଏମରୁ ୫୦୦ ଟଙ୍କା ଉଠାଇଲେ, କିନ୍ତୁ ପୁଣି ୨୫୦୦ ଟଙ୍କା ବାହାରିଥିଲା ।
ବୁଧବାର ନାଗପୁରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଖାପରଖେଡ଼ା ସହରରେ ଅବସ୍ଥିତ ଏକ ଘରୋଇ ବ୍ୟାଙ୍କର ଏଟିଏମରେ ଘଟିଛି ଏହି ଘଟଣା । ଏହି ଏ-ଟି-ଏମରୁ ପାଞ୍ଚଗୁଣା ଅଧିକ ନଗଦ ଟଙ୍କା ବାହାରିବା ଖବର ଜଙ୍ଗଲରେ ନିଆଁ ପରି ବ୍ୟାପି ଯାଇଥିଲା ଏବଂ ଦେଖୁ ଦେଖୁ ଏହା ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ଏହା ପରେ ଏହି ବ୍ୟାଙ୍କର ଜଣେ ଗ୍ରାହକ ସ୍ଥାନୀୟ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ।
ଥାନା ଅଧିକାରୀଙ୍କ କହିବାନୁସାରେ, ଘଟଣାସ୍ଥଳରେ ପହଞ୍ଚି ଏ-ଟି-ଏମକୁ ବନ୍ଦ କରାଯାଇଛି ଏବଂ ବ୍ୟାଙ୍କକୁ ଏ ବିଷୟରେ ଜଣାଇବା ପରେ ଭିଡ଼ ହଟା ଯାଇଥିଲା । ଟେକ୍ନିକାଲ ଖରାପ ଯୋଗୁଁ ଏଭଳି ହୋଇଛି ବୋଲି ସୂଚନା ମିଳିଛି । ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ, ଟେକ୍ନିକାଲ ଖରାପ ଯୋଗୁଁ ଏଟିଏମରୁ ଅତିରିକ୍ତ ଟଙ୍କା ବାହାରୁଥିଲା । ୫୦୦ ଟଙ୍କିଆ ନୋଟକୁ ୧୦୦ ଟଙ୍କିଆ ନୋଟର ଟ୍ରେରେ ରଖିଦିଆଯାଇଥିଲା । ଫଳରେ ୫୦୦ ଟଙ୍କା ମାରିଲେ ୫ଟି ୫୦୦ ଟଙ୍କିଆ ବାହାରୁଥିଲା।