ତେବେ ସାମାନ୍ୟ ବଚସାରୁ କାର୍ ଚକା ତଳେ ଚାପି ଯୁବକଙ୍କୁ ହତ୍ୟା ଉଦ୍ୟମ । ଏପରି ଏକ ଲୋମଟାଙ୍କୁରା ହିଟ୍ ଆଣ୍ଡ ରନ୍ କେସ୍ ଦେଶର ରାଜଧାନୀର ନୂଆଦିଲ୍ଲୀର ମଝି ରାସ୍ତା ଉପରେ ଗତକାଲି ଦିନ ଦିପ୍ରହରରେ ଘଟିଛି । ଆଉ ଯୁବକ ଜଣକ ସୌଭାଗ୍ୟବଶତଃ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ବେଳେ କାର୍ ସହ ଚାଳକ ଫେରାର ହୋଇ ଯାଇଛନ୍ତି । ଗତକାଲି ଏପରି ଏକ ଅଭାବନୀୟ ଘଟଣା ସାଉଥ ଦିଲ୍ଲୀର ଅର୍ଜୁନଗଡ଼ ମେଟ୍ରୋ ଷ୍ଟେଶନ ତଳେ ଘଟିଛି ।
ଏପରି ଦୁର୍ଘଟଣାର ଶିକାର ହୋଇଥିବା ବାଇକ୍ ଚାଳକ ୨୦ ବର୍ଷୀୟ ଶ୍ରେୟାଂଶଙ୍କ କହିବା ମୁତାବକ, ସେ ନିଜ ୮ରୁ ୧୦ ସାଙ୍ଗଙ୍କ ସହ ରବିବାର ସକାଳୁ ବାଇକ୍ ଯୋଗେ ଗୁରଗ୍ରାମ ଯାଇଥିଲେ । ଏହାପରେ ବୁଲାବୁଲି ସାରି ସେମାନେ ବାଇକ୍ ଯୋଗେ ଫେରୁଥିଲେ । ଅର୍ଜୁନଗଡ଼ ମେଟ୍ରୋ ଷ୍ଟେଶନ ନିକଟରେ ଏକ ସ୍କର୍ପିଓ ସେମାନଙ୍କ ମଧ୍ୟରେ ପଶି ରେସ୍ କରିବା ଆରମ୍ଭ କରି ଦେଇଥିଲା । ଏହାକୁ ଶ୍ରେୟାଂଶ ଏବଂ ତାଙ୍କ ସାଙ୍ଗ ମାନେ ବିରୋଧ କରିଥିଲେ ।
ଫଳରେ ସେହି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସେମାନେ ସେଠାରୁ ପଳେଇଲେ କିନ୍ତୁ ସ୍କର୍ପିଓ ଡ୍ରାଇଭର ରକ୍ତ ଚାଉଳ ଚୋବାଉଥିଲା । ଆଉ ତାର ମୁଣ୍ଡରେ ଚାଲିଥିଲା ଶ୍ରେୟାଂଶକୁ କିଭଳି ଗାଡ଼ିରେ ଦୁର୍ଘଟଣା ଘଟାଇ ହତ୍ୟା କରିବାର ଯୋଜନା । ତେବେ ଶ୍ରେୟାଂଶଙ୍କ ସାଥୀମାନେ ଟିକେ ସ୍ଲୋ ହୋଇ ଯାଇଥିବା ବେଳେ ଶ୍ରେୟାଂଶ ବାଇକ୍ ନେଇ ଆଗକୁ ପଳାଇଥିଲେ ।
ଏହି ସମୟରେ ସ୍କର୍ପିଓଟି ପଛରୁ ଦ୍ରୁତ ଗତିରେ ଆସି ତାଙ୍କୁ ପଛପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡ଼ି ଦୂରରେ ଥିବା ଡିଭାଇଡରରେ ପିଟି ହୋଇଥିଲେ ବୋଲି କହିଛନ୍ତି ଶ୍ରେୟାଂଶ । ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍ । ତେବେ ସ୍କର୍ପିଓ ଚାଳକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନି । ଶ୍ରେୟାଶଂ ନିଜ ମାତାପିତା ଓ ଭଉଣୀଙ୍କ ସହ ପୂର୍ବ ଦିଲ୍ଲୀର ପାଣ୍ଡବ ନଗରର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ସେ ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ବେଳେ ଭୟଭୀତ ହୋଇ ପଡ଼ିଥିବା କହିଛନ୍ତି ତାଙ୍କ ପରିବାର ।