ଅଦ୍ଭୁତ ମାନସିକତା । ଝିଅ ଜନ୍ମ ଦେବାରୁ ମହିଳାଙ୍କୁ ଶାଶୂଘର ଲୋକେ ଦେଲେ ଅକଥନୀୟ ନିର୍ଯାତନା

କଣ ଆଜି କାଲିକା ଯୁଗରେ ଗୋଟେ ଝିଅ ଜନ୍ମ କରିବା ଅପରାଧ କି? ଗୋଟେ ଘରେ ଝିଅ ଜନ୍ମ ହେଲେ ଲୋକେ ଘରକୁ ଲକ୍ଷ୍ମୀ ଆସିଲେ ଭାବି ଖୁସିରେ ମିଠା ବାଣ୍ଟୁଛନ୍ତି । କିନ୍ତୁ କିଛି ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କନ୍ୟା ସନ୍ତାନକୁ ଏବେ ବି ବୋଝ ଭାବୁଛନ୍ତି । ଖୁସି ହେବା ପରିବର୍ତ୍ତେ ଘରର ଲକ୍ଷ୍ମୀଙ୍କୁ ପିଟାମରା କରୁଛନ୍ତି । ନିର୍ଯାତନା ଦେଉଛନ୍ତି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି।

ଦୁଇଟି ଯାକ ଝିଅ ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ଘର ଲୋକ ଅତି ନିର୍ମମ ଭାବରେ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ମହିଳାଙ୍କୁ ପ୍ରବଳ ମାଡ଼ ମରାଯାଉଛି । ଶାଶୂଘରର ଦୁଇଜଣ ମହିଳା ପୀଡିତାଙ୍କୁ ଘର ସମ୍ମୁଖ ରାସ୍ତାରେ ନିର୍ଘାତ ପିଟୁଛନ୍ତି । ଏହା ସହିତ ଉଭୟ ମହିଳା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ କାନ୍ଦ ବନ୍ଦ କରିବାକୁ ତାଗିଦ୍‌ କରୁଛନ୍ତି ।

ପୀଡ଼ିତାଙ୍କୁ ଉଭୟ ମହିଳା କେବେ ଗୋଇଠା ତ କେତେବେଳେ ବିଧା ମାରୁଥିବା ଦେଖିବାକୁ ମିଳୁଛି । କେତେବେଳେ ତାଙ୍କ ଚୁଟି ଟାଣି ମାରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମହିଳା ଜଣକ ଅଭିଯୋଗ କରିଛନ୍ତି, ଦୁଇ ଝିଅ ଜନ୍ମ ହେବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ବାରମ୍ବାର ମାଡ ମାରୁଛନ୍ତି । ଏକ ପୁଅ ଚାହୁଁଥିବାରୁ ସେମାନେ ସବୁବେଳେ ତାଙ୍କୁ ନିର୍ଯାତନା ଦେଉଛନ୍ତି । ଆଉ ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା । ଏପରିକି ଶାଶୂଘର ଲୋକେ ତାଙ୍କୁ ଅନେକ ଥର ଭୋକରେ ରଖିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ପରେ ତାଙ୍କୁ ଘରୁ ତଡ଼ି ଦେଇଥିଲେ ।

ସେପଟେ ନିର୍ଯାତନା ଅସହ୍ୟ ହେବାରୁ ପିଲାଙ୍କୁ ନେଇ ସେ ବର୍ତ୍ତମାନ ଶ୍ରମିକ ଭାବେ କାମ କରି ପେଟ ପୋଷୁଛନ୍ତି । ତେବେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାସହିତ ମହିଳାଙ୍କ ଅଭିଯୋଗ ଓ ରେକର୍ଡ ହୋଇଥିବା ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଆଉ ଦୋଷୀ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉପଯୁକ୍ତ ଦଣ୍ଡ ମିଳିବ ବୋଲି ମଧ୍ୟ ପୋଲିସ୍‌ ଗଣମାଧ୍ୟମକୁ ଜଣାଇଛି ।

odia sambada
Comments (0)
Add Comment