କଣ ଆଜି କାଲିକା ଯୁଗରେ ଗୋଟେ ଝିଅ ଜନ୍ମ କରିବା ଅପରାଧ କି? ଗୋଟେ ଘରେ ଝିଅ ଜନ୍ମ ହେଲେ ଲୋକେ ଘରକୁ ଲକ୍ଷ୍ମୀ ଆସିଲେ ଭାବି ଖୁସିରେ ମିଠା ବାଣ୍ଟୁଛନ୍ତି । କିନ୍ତୁ କିଛି ଏପରି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କନ୍ୟା ସନ୍ତାନକୁ ଏବେ ବି ବୋଝ ଭାବୁଛନ୍ତି । ଖୁସି ହେବା ପରିବର୍ତ୍ତେ ଘରର ଲକ୍ଷ୍ମୀଙ୍କୁ ପିଟାମରା କରୁଛନ୍ତି । ନିର୍ଯାତନା ଦେଉଛନ୍ତି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି।
ଦୁଇଟି ଯାକ ଝିଅ ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ଘର ଲୋକ ଅତି ନିର୍ମମ ଭାବରେ ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ମହିଳାଙ୍କୁ ପ୍ରବଳ ମାଡ଼ ମରାଯାଉଛି । ଶାଶୂଘରର ଦୁଇଜଣ ମହିଳା ପୀଡିତାଙ୍କୁ ଘର ସମ୍ମୁଖ ରାସ୍ତାରେ ନିର୍ଘାତ ପିଟୁଛନ୍ତି । ଏହା ସହିତ ଉଭୟ ମହିଳା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ କାନ୍ଦ ବନ୍ଦ କରିବାକୁ ତାଗିଦ୍ କରୁଛନ୍ତି ।
ପୀଡ଼ିତାଙ୍କୁ ଉଭୟ ମହିଳା କେବେ ଗୋଇଠା ତ କେତେବେଳେ ବିଧା ମାରୁଥିବା ଦେଖିବାକୁ ମିଳୁଛି । କେତେବେଳେ ତାଙ୍କ ଚୁଟି ଟାଣି ମାରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ମହିଳା ଜଣକ ଅଭିଯୋଗ କରିଛନ୍ତି, ଦୁଇ ଝିଅ ଜନ୍ମ ହେବାରୁ ତାଙ୍କ ସ୍ୱାମୀ ଏବଂ ଶାଶୂ ବାରମ୍ବାର ମାଡ ମାରୁଛନ୍ତି । ଏକ ପୁଅ ଚାହୁଁଥିବାରୁ ସେମାନେ ସବୁବେଳେ ତାଙ୍କୁ ନିର୍ଯାତନା ଦେଉଛନ୍ତି । ଆଉ ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା । ଏପରିକି ଶାଶୂଘର ଲୋକେ ତାଙ୍କୁ ଅନେକ ଥର ଭୋକରେ ରଖିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ପରେ ତାଙ୍କୁ ଘରୁ ତଡ଼ି ଦେଇଥିଲେ ।
ସେପଟେ ନିର୍ଯାତନା ଅସହ୍ୟ ହେବାରୁ ପିଲାଙ୍କୁ ନେଇ ସେ ବର୍ତ୍ତମାନ ଶ୍ରମିକ ଭାବେ କାମ କରି ପେଟ ପୋଷୁଛନ୍ତି । ତେବେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାସହିତ ମହିଳାଙ୍କ ଅଭିଯୋଗ ଓ ରେକର୍ଡ ହୋଇଥିବା ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଆଉ ଦୋଷୀ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉପଯୁକ୍ତ ଦଣ୍ଡ ମିଳିବ ବୋଲି ମଧ୍ୟ ପୋଲିସ୍ ଗଣମାଧ୍ୟମକୁ ଜଣାଇଛି ।