ବିବାହ ବିଚ୍ଛେଦ ପରେ କେବଳ ସ୍ତ୍ରୀ ନୁହେଁ ବରଂ ସ୍ୱାମୀ ମଧ୍ୟ ଭରଣ ମାଗିପାରିବେ ଭରଣ ପୋଷଣ,ଜାଣନ୍ତୁ କଣ କହୁଛି ଆଇନ !

ପ୍ରାୟତଃ ସବୁବେଳେ ବିବାହ ବିଚ୍ଛେଦ ହେବା ପରେ ସ୍ୱାମୀ ହିଁ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ଦେଇଥାନ୍ତି ନଚେତ ତା’ର ଦାୟିତ୍ୱ ମଧ୍ୟ ନେଇଥାନ୍ତି। କିନ୍ତୁ ଆଇନରେ ସ୍ୱାମୀଙ୍କୁ ମଧ୍ୟ ଏହି ଅଧିକାର ଦିଆଯାଇଛି। ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି। ଭାରତୀୟ ଅଦାଲତ ବର୍ତ୍ତମାନ ଲୋକମାନଙ୍କ ଅବସ୍ଥାକୁ ଦେଖି ମହିଳାଙ୍କ ହିତ ପାଇଁ ତିଆରି ହୋଇଥିବା ଆଇନ ଉପରେ ଭିନ୍ନ ଭିନ୍ନ ଢଙ୍ଗରେ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛି। ନିକଟରେ ଏକ କୋର୍ଟ ମହିଳାଙ୍କୁ ନିର୍ଦ୍ଦେଶ ଦେଇଛନ୍ତିଯେ ସେ ପୂର୍ବ ସ୍ୱାମୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ଭରଣ ପୋଷଣ ପାଇଁ ଦେବେ।

ଭରଣ ପୋଷଣ ଭତ୍ତା କ’ଣ?:-

ପତ୍ନୀ, ନାବାଳକ ପିଲା କିମ୍ବା ବୁଢ଼ା ବାପା ମା’, ଯାହାର କେହି ଭରଣ ପୋଷଣ ପାଇଁ ନଥାନ୍ତି ଓ ଯାହାକୁ ତାଙ୍କର ସ୍ୱାମୀ କିମ୍ବା ବାପା ଛାଡ଼ି ଦେଇଥାନ୍ତି, ସେମାନଙ୍କୁ ଆଇପିସି ଧାରା ୧୨୫ ଅନୁସାରେ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭରଣ ପୋଷଣ ପାଇବା ଅଧିକାର ରହିଛି।

ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ସ୍ୱାମୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛାଡ଼ପତ୍ର ପରେ ମହିଳାଙ୍କ ସ୍ୱାମୀ ଏକ ପିଟିସନ୍‌ ଦାଖଲ କରି କହିଥିଲେକି ତାଙ୍କର ଆର୍ଥିକ ସ୍ଥିତି ଆଦୌ ଭଲ ନାହିଁ ଓ ସ୍ତ୍ରୀଙ୍କର ଚାକିରି ଅଛି। ଏଣୁ ସେ ସ୍ତ୍ରୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ଭରଣ ପୋଷଣ ଭତ୍ତା ପାଇଁ ସେ ଦାବି କରିଥିଲେ। ଏହି ପିଟିସନରେ ସେ କହିଥିଲେକି ସ୍ତ୍ରୀଙ୍କୁ ପଢ଼ାଇବାରେ ତାଙ୍କର ମଧ୍ୟ ଯୋଗ ଦାନ ରହିଛି। ଏଣୁ ସେ ଭରଣ ପୋଷଣ ଭତ୍ତା ପାଇବା ପାଇଁ ହକଦାର।

କୋର୍ଟ ଶୁଣାଣି ବେଳେ କହିଛନ୍ତିକି ହିନ୍ଦୁ ମ୍ୟାରେଜ୍‌ ଆକ୍ଟର ଧାରା ୨୪ ଓ ୨୫କୁ ଏକାଠି ପଢ଼ିବାରୁ ଜଣାପଡ଼ିଛିକି, ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କୌଣସି ଜଣଙ୍କର ଆର୍ଥିକ ସ୍ଥିତି ଠିକ ନାହିଁ ଓ ଅନ୍ୟ ଜଣଙ୍କର ଆର୍ଥିକ ଅବସ୍ଥା ଭଲ ଅଛି। ତେବେ ପ୍ରଥମ ପକ୍ଷ ଭରଣ ପୋଷଣ ଦାବି କରିପାରିବ। କୋର୍ଟ ଆହୁରି ମଧ୍ୟ କହିଛନ୍ତିକି ଯଦି ଆଗକୁ ଏଭଳି ଶୁଣାଣି ଅଧିକ ହୁଏ, ତେବେ ପଇସା ପାଇଁ ଛାଡ଼ପତ୍ର ଦେଉଥିବା ଲୋକମାନଙ୍କର ସଂଖ୍ୟା ହ୍ରାସ ପାଇବ। ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ୧୯୫୫(୨) ଓ ହିନ୍ଦୁ ଆଡପ୍‌ସନ୍‌ ଆଣ୍ଡ୍‌ ମେଣ୍ଟେନାନ୍ସ ଆକ୍ଟ, ୧୯୫୬ ମୁତାବକ ମହିଳାଙ୍କୁ ମଧ୍ୟ ଛାଡ଼ପତ୍ର ପରେ ଭରଣ ପୋଷଣ ପାଇଁ ଅର୍ଥ ମାଗିବା ଅଧିକାର ଅଛି।

odia sambada
Comments (0)
Add Comment