PMSBY: ସରକାରଙ୍କର ଏହି ଯୋଜନାରେ ମାତ୍ର ୧୨ ଟଙ୍କା ଖର୍ଚ୍ଚ କରନ୍ତୁ,ଆଉ ୨ ଲକ୍ଷ ଟଙ୍କାର ଫାଇଦା ପାଆନ୍ତୁ !

ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବୀମା ରହିବା ଆବଶ୍ୟକ। ଏହି କ୍ରମରେ ସରକାରଙ୍କର ଏକ ଯୋଜନା ଅଧୀନରେ ଆପଣ କେବଳ ୧୨ ଟଙ୍କା ଖର୍ଚ୍ଚ କରି ୨ ଲକ୍ଷ ଟଙ୍କାର ଲାଭ ପାଇପାରିବେ। ଆପଣ ଏହି ଯୋଜନା ଅଧୀନରେ ଦୁର୍ଘଟଣାଜନିତ ବୀମା ମଧ୍ୟ କରାଇ ପାରିବେ। ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା। ଏକ ବର୍ଷ ପାଇଁ ୧୨ ଟଙ୍କା ପ୍ରିମିୟମ ରହିଛି।

୧୮ରୁ ୭୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଆକାଉଣ୍ଟ ହୋଲ୍‌ଡର ସରକାରଙ୍କର ଏହି ଯୋଜନାର ଲାଭ ଉଠାଇପାରିବେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରତ୍ୟେକ ବର୍ଷର ବୀମା ଅବଧି ୧ ଜୁନରୁ ୩୧ ମେ’ ହୋଇଥାଏ। ଏହି ଯୋଜନାରେ ଦୁର୍ଘଟଣାର ୩୦ ଦିନ ମଧ୍ୟରେ କ୍ଲେମ କରିବାକୁ ପଡ଼ିଥାଏ। ସର୍ବାଧିକ ୬୦ ଦିନ ମଧ୍ୟରେ କ୍ଲେମ୍‌ ସେଟଲମେଣ୍ଟ ହୋଇଯାଏ। ଏଥିରେ ବୀମା ରାଶି ନେବା ପାଇଁ ଆପଣଙ୍କ ଆକାଉଣ୍ଟରେ ୩୧ ମେ’ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ବାଲାନ୍ସ ରହିଥିବା ଦରକାର, ଯେପରି ଏହି ରାଶି ଆପେ ଆପେ ଅଟୋ ଡିଡକ୍ଟ ହୋଇପାରିବ।

ଯଦି ପଲିସି ହୋଲ୍ଡରଙ୍କର ମୃତ୍ୟୁ ହୋଇଯାଏ, ତେବେ ନୋମିନୀଙ୍କୁ ୨ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି। ଦୁର୍ଘଟଣାରେ ଯଦି ଦୁଇଟି ଯାକ ଆଖି ନଷ୍ଟ ହୋଇଯାଏ, ଦୁଇଟି ହାତ କି ଦୁଇଟି ଗୋଡ଼ ଆଉ କାମ ନ କରେ, ଗୋଟିଏ ଆଖିକୁ ଆଦୌ ଦେଖା ନ ଯାଏ କିମ୍ବା ଗୋଟିଏ ହାତ କି ଗୋଟିଏ ଗୋଡ଼ କାମ ନ କରେ, ତେବେ ଏଭଳି ପରିସ୍ଥିତିରେ ପଲିସିହୋଲ୍ଡରଙ୍କୁ ୨ ଲକ୍ଷ ଟଙ୍କା ମିଳିଥାଏ। ସେହିପରି କେତେକ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି।

ବୀମା ଏମିତି ସ୍ଥିତିରେ କଭର ମିଳିବ ନାହିଁ:-

ଯଦି ବୀମା ପଲିସି ସହ ଲିଙ୍କ୍‌ଡ ସେଭିଂ ଆକାଉଣ୍ଟରେ ପର୍ଯ୍ୟାପ୍ତ ରାଶି ନାହିଁ କିମ୍ବା ପଲିସି ହୋଲ୍ଡର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛନ୍ତି, ତେବେ ଏମିତି ସ୍ଥିତିରେ କଭର ଆଦୌ ମିଳିବ ନାହିଁ।

ଆପଣ ଏହି ଯୋଜନା ପାଇଁ ନିଜର ବ୍ୟାଙ୍କ ମାଧ୍ୟମରେ ଆବେଦନ କରିପାରିବେ। ଏତଦ ବ୍ୟତୀତ ସରକାରୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ କିମ୍ବା ଅନ୍ୟ କୌଣସି ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଠାରୁ ଏହାକୁ କିଣି ପାରିବେ।

odia sambada
Comments (0)
Add Comment