ଦୁଷ୍କର୍ମକାରୀଙ୍କୁ କରି ଦିଆଯିବ ନପୁଂସକ ! ବ୍ୟବହାର କରାଯିବ କେମିକାଲ

ବିଭିନ୍ନ ଦେଶରେ ଦୁଷ୍କର୍ମକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଦଣ୍ଡ ବ୍ୟବସ୍ଥା କରାଯାଇଛି। କିନ୍ତୁ ବର୍ତ୍ତମାନ ପେରୁ ସରକାର ଏମିତି ଏକ ବିଲକୁ ପ୍ରସ୍ତୁତ କରିଛନ୍ତି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଅଧୀନରେ ଦୁଷ୍କର୍ମକାରୀମାନଙ୍କୁ ଦଣ୍ଡ ସ୍ୱରୂପ ନପୁଂସକ କରି ଦିଆଯିବ। ପେରୁର ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋ ଏ ବିଷୟରେ ଘୋଷଣା କରିଛନ୍ତି।

ଦୁଷ୍କର୍ମକାରୀମାନଙ୍କୁ ନପୁଂସକ କରିବା ପାଇଁ ରାସାୟନିକ ଔଷଧକୁ ବ୍ୟବହାର କରାଯିବ। ଯଦିଓ ପେରୁ ଏମିତି ମାମଲାରେ ପ୍ରଥମ ଦେଶ ନୁହେଁ, ଯେଉଁଠି ଏମିତି ଦଣ୍ଡ ଲାଗୁ ହେବାକୁ ଯାଉଛି। ଏଥି ପୂର୍ବରୁ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ୍‌ ରିପବ୍ଲିକ ଓ ଆମେରିକାର କିଛି ରାଜ୍ୟ ଏହି ପ୍ରକାର ଦଣ୍ଡ ବ୍ୟବସ୍ଥାକୁ ଲାଗୁ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତିକି ଆଗାମୀ ଦିନରେ ଔପଚାରିକ ରୂପରେ ପ୍ରସ୍ତାବ ପଠାଯିବ ଏବଂ ସେ କଂଗ୍ରେସର ସମର୍ଥନକୁ ଅପେକ୍ଷା କରିଛନ୍ତି।

ରିପୋର୍ଟ ଅନୁସାରେ, ପେରୁରେ ୧୯୯୦ ଦଶକରୁ ଏହି ପ୍ରସ୍ତାବ ଉପରେ ବିତର୍କ ଚାଲିଛି। ଦୁଇ ପ୍ରକାରର ସମସ୍ୟା ହେତୁ ଏହାକୁ ମଞ୍ଜୁରୀ ମିଳୁନାହିଁ। ପ୍ରଥମ ସମସ୍ୟା ସାମ୍ବିଧାନିକ ପ୍ରସଙ୍ଗକୁ ନେଇ ରହିଛି, କାହିଁକି ନା, ପେରୁରେ ଶାରୀରିକ ଦଣ୍ଡ ନିଷେଧ ଅଛି। ଦ୍ୱିତୀୟ ସମସ୍ୟା ହେଉଛି, ଏହାଦ୍ୱାରା ଯୌନ ଇଚ୍ଛା କେତେ ହ୍ରାସ ପାଇପାରିବ। ସୂଚନା ଅନୁସାରେ, ପେରୁରେ ପେନାଲ୍‌ କୋଡ୍‌ର ଅନୁଚ୍ଛେଦ ୧୭୩ ଅଧୀନରେ ଦୁଷ୍କର୍ମକାରୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଯଦିଓ ୩୫ ବର୍ଷ ଜେଲରେ ବିତାଇବା ପରେ ଦୋଷୀମାନଙ୍କର ଦଣ୍ଡ ସମୀକ୍ଷା ହୋଇଥାଏ।

ସେପଟେ ପେରୁ ଲିବ୍ରେର କଂଗ୍ରେସ୍‌ ଓମେନ ଏବଂ Congressional Women’s Commission ଅଧ୍ୟକ୍ଷା ଏଲିଜାବେଥ୍‌ ମଦିନା ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତିକି, ସେ ନାବାଳିକାଙ୍କ ଦୁଷ୍କର୍ମକାରୀମାନଙ୍କୁ କେମିକାଲରେ ନପୁଂସକ କରାଯିବା ପକ୍ଷରେ ଅଛନ୍ତି। ବିରୋଧୀ ଫ୍ୟୁରଜା ପପୁଲାର ପାର୍ଟିର କଂଗ୍ରେସ୍‌ମ୍ୟାନ ହେକ୍ଟର ଭେଞ୍ଚୁରା କହିଛନ୍ତି, ନପୁଂସକ କରିବା ସମାଧାନ ନୁହେଁ। କଂଗ୍ରେସକୁ ପଠାଯିବା ପୂର୍ବରୁ ଏହି ବିଲକୁ ମନ୍ତ୍ରୀପରିଷଦ ଦ୍ୱାରା ଅନୁମୋଦିତ କରାଯିବା ଉଚିତ।

odia sambada
Comments (0)
Add Comment