ଛଅ ମାସ ପରେ ପୁଣିଥରେ ଘଟଣା ଦୋହରିଲା, ବିଜେପି ବିଧାୟକ ଦୁଇ ଭାଇଙ୍କୁ ଚାପିଦେଲେ !

ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲା ପୁଣି ଆଉ ଥରେ ଚର୍ଚ୍ଚାକୁ ଆସିଛି। ଛଅ ମାସ ପରେ ଆଉ ଥରେ ଦୋହରିଲା ଘଟଣା। ସମାନ କାର, ସମାନ ମୃତ୍ୟୁ। ରବିବାର ରାତିରେ ବାହରାଇଚ୍ ରାଜପଥରେ ଏକ ସ୍କର୍ପିଓ, ବାଇକ୍ ଉପରେ ଚଢିଯାଇଥିଲା, ଯେଉଁଥିରେ ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଗାଡିଛାଡି ପଳାଇ ଯାଇଥିଲା। ପୋଲିସର ସୂଚନା ଅନୁସାରେ, ଗାଡିଟିକୁ ସଦର ବିଧାୟକଙ୍କର ବୋଲି କୁହାଯାଉଛି।

ବିଧାୟକଙ୍କର କଥିତ ଗାଡି ଚାପାରେ ମୃତକଙ୍କ ନାମ ୨୨ ବର୍ଷୀୟ ରବି ବର୍ମା ଏବଂ ୨୫ ବର୍ଷୀୟ ସୁମିତ ବର୍ମା ଓରଫ ବିକ୍ରମ। ଉଭୟ ଯୁବକ ସମ୍ପର୍କରେ ଭାଇ ଓ ସେମାନଙ୍କ ଘର ଖେରୀ ପୋଲିସ ଷ୍ଟେସନ ଅନ୍ତର୍ଗତ କିରାଟପୁର ଗାଁରେ ବୋଲି କୁହାଯାଉଛି। ରବିବାର ରାତିରେ ସେମାନେ ରାମପୁରରୁ ନିଜ ଘରକୁ ଫେରୁଥିଲେ। ପିଲିଭିତ ବସ୍ତି ରୋଡର ସଦର ଥାନା ଅଞ୍ଚଳର ପାନଗି ଖୁର୍ଦ ଗାଁ ନିକଟରେ ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓରେ ବିଧାୟକ ଲେଖାହୋଇଥିଲା ଓ ବିଜେପି ପତାକା ଲାଗିଥିବା କଥା ଗ୍ରାମବାସୀମାନେ କହିଛନ୍ତି।

ଦୁର୍ଘଟଣାର ଖବର ପାଇ ରାମପୁର ଆଉଟପୋଷ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସିଟି ଥାନାଧିକାରୀ ଚନ୍ଦ୍ରଶେଖର ସିଂ କହିଛନ୍ତିଯେ, ଏକ କଳା ସ୍କର୍ପିଓ ଦୁର୍ଘଟଣା ଘଟାଇଛି, ଯେଉଁଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ସ୍କର୍ପିଓର ପଛରେ MLA ଲେଖାଯାଇଛି। ଅତିରିକ୍ତ ଏସପି ଅରୁଣ କୁମାରସିଂ ତାଙ୍କ ବିବୃତ୍ତିରେ କହିଛନ୍ତିଯେ, ଗାଡିକୁ ଜବତ କରାଯିବା ସହ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି। ସ୍କୋର୍ପିଓ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଗତବର୍ଷ ଅକ୍ଟୋବର ତିନି ତାରିଖରେ ଏହି ଲଖୀମପୁର ଖେରୀରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ମନ୍ତ୍ରୀ ପୁଅ ଗାଡି ଚଢାଇ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛନ୍ତି। ଆଶିଷ ମିଶ୍ରଙ୍କ ଗାଡି ଧକ୍କା ହେବା କାରଣରୁ ଘଟିଥିବା ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ସେ ଗିରଫ ପରେ ବର୍ତ୍ତମାନ ଜାମିନରେ ଅଛନ୍ତି। ତେବେ ତାଙ୍କର ଏହି ଜାମିନକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଅର୍ଥାତ ଆଜି ଏହି ମାମଲାର ଶୁଣାଣି ହେବ।

odia sambada
Comments (0)
Add Comment