କୋରୋନାକୁ ନେଇ WHO ଦେଲା ଭୟଙ୍କର ଚେତାବନୀ : ନୂଆ ଭ୍ୟାରିଆଣ୍ଟ ପ୍ରଥମେ ଶରୀରର ଏହି ଅଙ୍ଗକୁ କରୁଛି ଆଟାକ୍, ଜାଣନ୍ତୁ କଣ କଣ ରହିଛି ଏହାର ଲକ୍ଷଣ

ମହାମାରୀ ମରିନି। ପୁଣିଥରେ ବହୁରୂପୀ ନିଜର କାୟା ମେଲୁଛି। ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନାକୁ ନେଇ ନୂଆ ଚେତାବନୀ ଜାରି କରିଛି। କୋରୋନା ଭାଇରସ ଦୁନିଆରେ ପୁଣିଥରେ ଏକ ବଡ଼ ମହାମାରୀ ସୃଷ୍ଟି କରିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି। କୋଭିଡ-୧୯ ବର୍ତ୍ତମାନ ମଧ୍ୟ ସକ୍ରିୟ ରହିଛି, ବିଶ୍ୱବାସୀଙ୍କର ଅସାବଧାନତା ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ କହିଛନ୍ତି।

ବର୍ତ୍ତମାନ କରୋନା ଏକ କ୍ଷଣସ୍ଥାୟୀ ରୋଗ ହେବାଠାରୁ ବହୁ ଦୂରରେ ଅଛି। ପେଣ୍ଡାମିକ ବହୁତ ଶୀଘ୍ର ମେଣ୍ଡାମିକ ପର୍ଯ୍ୟାୟକୁ ଆସିବ ବୋଲି ଆକଳନ କରୁଥିବା ସମସ୍ତ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି। ବର୍ତ୍ତମାନ ଏହି ଭାଇରସ ଅସ୍ଥିର ରହିଛି। ଭିନ୍ନ ଭିନ୍ନ ଭାରିଏଣ୍ଟର ସଂଯୋଗ ଫଳରେ ନୂଆ ଭାରିଏଣ୍ଟ ସୃଷ୍ଟି ହେଉଥିବାରୁ ରୋଗର ଲକ୍ଷଣ ମଧ୍ୟ ପରିବର୍ତ୍ତନ ହେଉଅଛି। ଡେଲଟା ଓ ଓମିକ୍ରନର ମିଳିତ ଭାରିଏଣ୍ଟ XE ସଂକ୍ରମିତଙ୍କଠାରେ ପୂର୍ବବର୍ତ୍ତୀ ଲକ୍ଷଣ ପ୍ରକାଶ ପାଉନାହିଁ। ଯେଉଁ କାରଣରୁ ପ୍ରାଥମିକ ସ୍ତରରେ ଏହି ରୋଗୀମାନଙ୍କୁ ଚିହ୍ନଟ କରିବା ପାଇଁ ସମସ୍ୟା ବୃଦ୍ଧି ପାଉଛି।

ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ XE ଅଧିକ ସଂକ୍ରାମକ ଅଟେ। ବିଶେଷଜ୍ଞଙ୍କ ମତରେ ଏହା ସେତେଟା ଘାତକ ନୁହେଁ। କିନ୍ତୁ ବହୁତ ଶୀଘ୍ର ଅଧିକ ଲୋକମାନଙ୍କୁ ସଂକ୍ରମିତ କରୁଛି। ସାମାଜିକ ଦୂରତା ପାଳନ କରୁନଥିବା ଓ ମାସ୍କ ପିନ୍ଧୁନଥିବା ଲୋକମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା କ୍ଷଣ କୋରୋନା ସଂକ୍ରମିତ ହେଉଛନ୍ତି । ଆଙ୍ଗଲିୟା ରସ୍କିନ ୟୁନିଭରସିଟିର ବିଶେଷଜ୍ଞମାନେ ଆଖି ଉପରେ କୋରୋନାର ନୂଆ ଭ୍ୟାରିଆଣ୍ଟ ପ୍ରଭାବକୁ ନେଇ ଏକ ଗବେଷଣା କରିଛନ୍ତି। ଆଖିରେ ଯନ୍ତ୍ରଣା ହେବା କୋରୋନାର ପ୍ରାଥମିକ ଲକ୍ଷଣ ମଧ୍ୟରୁ ଗୋଟିଏ ବୋଲି ସେମାନେ ଦାବି କରିଛନ୍ତି। ଏହାବ୍ୟତୀତ ଆଖି କୁଣ୍ଡେଇ ହେବା ଏବଂ ଆଖି ଶୁଷ୍କ ହେବା ମଧ୍ୟ କୋରୋନା ସଂକ୍ରମଣର ଏକ ଲକ୍ଷଣ ହୋଇପାରେ। ବିଶେଷଜ୍ଞମାନଙ୍କ ମତ ଅନୁସାରେ ଏହି ଲକ୍ଷଣଗୁଡିକୁ ଅଣଦେଖା ନ କରି ତୁରନ୍ତ ପରୀକ୍ଷା କରାଇନେବା ଉଚିତ।

କୋରୋନାର ସାଧାରଣ ଲକ୍ଷଣଗୁଡିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ, ଅଖିର ରଙ୍ଗ ଲାଲ୍ ଏବଂ ଗୋଲାପୀ ହେବା କୋରୋନାର ସମ୍ଭାବ୍ୟ ଲକ୍ଷଣ ହୋଇପାରେ। ଲୁହରେ କୋରୋନାର ଆରଏନଏ ଭାଇରସ୍ ପ୍ରଭାବ ଖୁବଶୀଘ୍ର ପଡୁଥିବା କାରଣରୁ ଆଖିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହାବ୍ୟତୀତ କାଶ, ଥକ୍କାପଣ, ଦୁର୍ବଳତା ଏବଂ ନାକରୁ ପାଣି ବାହାରିବା କୋରୋନା ଭାଇରସର ୪ଟି ସାଧାରଣ ଲକ୍ଷଣ ଅଟେ। ଥଣ୍ଡାଜ୍ବର, ଥକ୍କାପଣ, ଗଳା ଦରଜ, ରାତିରେ ଶରୀରରୁ ଅଧିକ ଝାଳ ବାହାରିବା ମଧ୍ୟ କୋରୋନା ସଂକ୍ରମଣର ଏକ ସଙ୍କେତ ହୋଇପାରେ।

ଚୀନରେ ଏହା ଦ୍ରୁତ ଗତିରେ ପୁଣିଥରେ କୋରୋନା କାୟା ବିସ୍ତାର କରୁଥିବାରୁ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଚୀନର ସାଙ୍ଘାଇ, ବେଜିଂ ସମେତ ୧୦ରୁ ଅଧିକ ବଡ଼ ସହରରେ ଲକଡାଉନ ଲାଗୁ ସତ୍ତ୍ୱେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସଙ୍ଘାଇ ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମ ଦେଶରେ XE ଭାରିଆଣ୍ଟର ଏତେଟା ପ୍ରଭାବ ପଡ଼ିନାହିଁ। ଭାରତରେ ବର୍ତ୍ତମାନ ଅଧିକାଂଶ ଲୋକଙ୍କଠାରେ ଆଣ୍ଟିବଡି ଦୃଢ଼ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ପୂର୍ବଦିନ ଅପେକ୍ଷା ୧୭ ପ୍ରତିଶତ ଅଧିକ ରହିଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ପ୍ରକାଶ କରିଛି। ଟିକା ନେଇଥିବା କାରଣରୁ ଲୋକ ଅଧିକ ଖାମଖିଆଲ ହୋଇଯାଉଛନ୍ତି ଏବଂ ଏହାକୁ ହାଲୁକା ଭାବରେ ନେଉଛନ୍ତି। ଏମିତିକି ଲୋକମାନେ ସାମାଜିକ ଦୂରତାକୁ ମାନୁନାହାନ୍ତି। ଏହି କାରଣରୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି। ତେଣୁ ଲୋକେ ନିଶ୍ଚିତ ଭାବରେ ଶାରୀରିକ ଦୂରତା ପାଳନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅପିଲ କରିଛି।

odia sambada
Comments (0)
Add Comment