ସରକାରୀ କର୍ମଚାରୀଙ୍କର ବଲ୍ଲେବଲ୍ଲେ : ବଢ଼ିଲା ପେନସନ ଓ ଦରମା, ଏକ କୋଟିଏରୁ ଊର୍ଦ୍ଧ୍ୱ କର୍ମଚାରୀ ହେବେ ଉପକୃତ

କେନ୍ଦ୍ର ସରକାରଙ୍କର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ଖୁସିଖବର ଆସିଛି। ଏକ କୋଟି ଛଅ ଲକ୍ଷରୁ ଅଧିକ କର୍ମଚାରୀମାନଙ୍କ ଦରମା ଓ ପେନସନରେ ବୃଦ୍ଧି ହେବା ପାଇଁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ବିଷୟରେ ଉପସ୍ଥାପିତ ପ୍ରସ୍ତାବକୁ ମୋହର ଲାଗିଛି। ପିଛିଲା ଭାବରେ ଚଳିତ ବର୍ଷ ଜାନୁଆରୀ ମାସ ଆରମ୍ଭରୁ ଏହି ନିୟମ ଲାଗୁ କରାଯିବ।

କେନ୍ଦ୍ର କ୍ୟାବିନେଟରେ ସରକାରୀ କର୍ମଚାରୀମାନଙ୍କ Dearness Allowance (DA) ଓ ପେନସନଭୋଗୀଙ୍କ Dearness Relief (DR) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି। ବର୍ତ୍ତମାନ ୩୧ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିବା ସମୟରେ ଏଥିରେ ଅତିରିକ୍ତ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ତେବେ ପିଛିଲା ଭାବରେ ଗତ ଜାନୁଆରୀ ପହିଲାଠାରୁ କର୍ମଚାରୀ ଓ ପେନସନଭୋଗୀମାନେ ୩୪ ପ୍ରତିଶତ DA/DR ପାଇପାରିବେ। ଏହା ସପ୍ତମ ବେତନ କମିଶନ ଦ୍ୱାରା ପ୍ରସ୍ତାବିତ ସୂତ୍ର ଆଧାରରେ ସ୍ଥିର କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ କହିଛି।

ନୂଆ ନିୟମ ଲାଗୁ କରାଗଲେ ୪୭.୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଭୋଗୀ ଏଥିରେ ଉପକୃତ ହେବେ। ରେଳବାଇ, ସର୍ବ ଭାରତୀୟ ସେବା, ସାଧାରଣ ଓ ପ୍ରତିରକ୍ଷା ପେନସନଭୋଗୀ, ବର୍ମା-ପାକିସ୍ତାନ-ବାଂଲାଦେଶରୁ ସ୍ଥାନାନ୍ତର ହୋଇଥିବା ପେନସନଭୋଗୀ ଓ ଅନ୍ୟ ସରକାରୀ ଅନୁଷ୍ଠାନ ଓ PSUର ଯୋଗ୍ୟ କର୍ମଚାରୀମାନେ ଏହି ଯୋଜନାରେ ସାମିଲ ହୋଇପାରିବେ।

ସେହିପରି ପଞ୍ଚମ ବେତନ ଆୟୋଗ ଅଧିନସ୍ଥ କର୍ମଚାରୀମାନଙ୍କ DA ୧୩ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ଏହା ବେସିକ ପେ’ର ୩୬୮ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୩୮୧ ପ୍ରତିଶତ ହୋଇଯାଇଛି। ଅନ୍ୟପଟେ ଷଷ୍ଠ ବେତନ କମିଶନରେ ଏହା ବେସିକ୍ ପେ’ର ୧୯୬ ପ୍ରତିଶତରୁ ୨୦୩ ପ୍ରତିଶତ ହୋଇଯାଇଛି। ଏହା ମଧ୍ୟ ପିଛିଲା ଭାବରେ ସେହିପରି ୨୦୨୨ ଜାନୁଆରୀ ମାସ ଆରମ୍ଭରୁ ଲାଗୁ ହେବ।

odia sambada
Comments (0)
Add Comment