ଚୀନ୍‌ ଜାଲରେ ଶ୍ରୀଲଙ୍କା କେମିତି ଫସିଗଲା,ଆଉ ଯେଉଁଥି ପାଇଁ ଆଜି ଏ ଦୁର୍ଦ୍ଦଶା ଭୋଗୁଛି ! ଜାଣନ୍ତୁ କିପରି ….

ବର୍ତ୍ତମାନ ଗୋଟିଏ ଦେଶ ଯୁଦ୍ଧରେ ବର୍ବାଦ ହେଉଛି ତ ଆଉ ଏକ ଦେଶ ଅର୍ଥନୈତିକ ସଂକଟରେ ବର୍ତ୍ତମାନ ଭୁଶୁଡ଼ିବାରେ ଲାଗିଛି। ସେ ଦେଶ ହେଉଛି ଶ୍ରୀଲଙ୍କା। ବର୍ତ୍ତମାନ ସମୟରେ ଶ୍ରୀଲଙ୍କାର ସ୍ଥିତି ଭୀଷଣ ଭାବରେ ବିଗିଡିବାରେ ଲାଗିଛି। ଏଠାରେ ଦର ଦାମ ବୃଦ୍ଧି ଏତେ ମାତ୍ରାରେ ବଢିଗଲାଣିକି ଲୋକମାନେ ଖାଦ୍ୟ ସାମଗ୍ରୀ ଆଦୌ କିଣି ପାରୁନାହାନ୍ତି। ପେଟକୁ ଗଣ୍ଡେ ଦାନା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଗୋଟିଏ ପଟେ ଶ୍ରୀଲଙ୍କାର ସବୁ ମନ୍ତ୍ରୀ ଇସ୍ତଫା ଦେଇଥିବା ସମୟରେ ଅନ୍ୟପଟେ ସରକାର ବିପକ୍ଷରେ ଲୋକମାନେ ଭୀଷଣ ଭାବରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଲୋକମାନଙ୍କୁ ଖାଦ୍ୟ ମଧ୍ୟ ମିଳୁ ନାହିଁ। ବର୍ତ୍ତମାନ ଶ୍ରୀଲଙ୍କାରେ ସ୍ଥିତି ବହୁତ ଖରାପ ହୋଇଯାଇଛି। ଆଉ ଏଥିରେ ସବୁଠାରୁ ଅଧିକ କଷ୍ଟ ଦେଶର ଜନତା ଭୋଗୁଛନ୍ତି। ଯାହା କୁହାଯାଉଛିକି ଶ୍ରୀଲଙ୍କାର ଆଜିର ସ୍ଥିତି ପାଇଁ ଦାୟୀ ହେଉଛି ଚୀନ।

କରୋନା ପୂର୍ବରୁ ଚୀନ ଶ୍ରୀଲଙ୍କାରେ ବିପୁଳ ପୁଞ୍ଜି ଖଟାଇଥିଲା ଓ ଶ୍ରୀଲଙ୍କାକୁ ଋଣ ମଧ୍ୟ ଦେଇଥିଲା। ଯଦିଓ କରୋନା ପରେ ଏଥିରେ ବହୁତ କ୍ଷତି ମଧ୍ୟ ହେଲା ତେବେ ସବୁ ଦୃଷ୍ଟିକୋଣରୁ ଚିନ୍ତା କରି ଚୀନ ଉପରେ ଭରସା କଲା ଓ ତା ଆଗରେ ନଇଁଗଲା। ଯାହାଫଳରେ ସାଧାରଣ ଲୋକମାନଙ୍କ ଜୀବନଚର୍ଯ୍ୟାରେ ଉନ୍ନତି ଘଟିଲା ହେଲେ ଧୀରେ ଧୀରେ ଏହି ଦେଶ ଚୀନ ଉପରେ ସମ୍ପୂର୍ଣ୍ଣ ରୂପରେ ନିର୍ଭରଶୀଳ ହୋଇଗଲା। ଯାହାର ଫଳ ବର୍ତ୍ତମାନ ଏହି ଦେଶ ଦୟନୀୟ ଅବସ୍ଥା ଭୋଗୁଛି। ଶ୍ରୀଲଙ୍କା ୨୦୨୨ ମସିହାରେ ପାଖାପାଖି ୭ ବିଲିୟନ ଆମେରିକାନ ଡଲାର ବିଦେଶୀ କରଜରେ ଡୁବି ରହିଛି। ଯେଉଁଥିରେ ଚୀନର ଅଧିକ ଭାଗ ରହିଛି। ତେବେ ଚୀନ ତରଫରୁ ଦିଆଯାଇଥିବା କରଜ ଭିତ୍ତିଭୂମି ଠାରୁ ଆରମ୍ଭ କରି ଖନନ ପର୍ଯ୍ୟନ୍ତ ଏ ସମସ୍ତ ଯୋଜନାରେ କାମ କରିବା ପାଇଁ ଦିଆଯାଉଛି। ତେଣୁ ଏହାକୁ ଜାଣିବା ସହଜ ନୁହେଁ। ଯାହା ଜଣାପଡିଛିକି କରଜ ଠିକ ସମୟରେ ଶୁଝି ନ ପାରିବା କାରଣରୁ ଶ୍ରୀଲଙ୍କାକୁ ବର୍ତ୍ତମାନ ଚୀନ ଆଗରେ ନଇଁବାକୁ ପଡୁଛି। ପାକିସ୍ତାନ ଓ ନେପାଳ ଭଳି ଦେଶ ଏଭଳି ଉଦାହରଣ ଭାବରେ ଧରାଯାଇ ପାରିବ। ଏମିତିରେ ଶ୍ରୀଲଙ୍କାର ଅନେକ ପ୍ରୋଜେକ୍ଟ ଉପରେ ଚୀନ ନିଜର ଅକ୍ତିଆର ରହିଛି। ତେଣୁ ଶ୍ରୀଲଙ୍କାର ଅନେକ ପ୍ରୋଜେକ୍ଟ ବର୍ତ୍ତମାନ ଲିଜରେ ଚାଲିଛି। ଯାହାଫଳରେ ଦିନେ ସୁନାର ଲଙ୍କା ଭାବରେ ପରିଚିତ ଥିବା ଶ୍ରୀଲଙ୍କା ବର୍ତ୍ତମାନ ଧୀରେ ଧୀରେ ବିନାଶ ଆଡକୁ ଗତି କରୁଅଛି।

ଶ୍ରୀଲଙ୍କାର ସରକାର ନିଜର ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଦ୍ୱାରା ୧୯୮୦ ମସିହାରୁ ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବା ପାଇଁ ଏହି ନୀତିରେ ପରିବର୍ତ୍ତନ କରିଥିଲେ। ତେବେ ଏହି ନୀତି ଚୀନ ପାଇଁ ଅତ୍ୟନ୍ତ ଲାଭପ୍ରଦ ଥିଲା। ଶ୍ରୀଲଙ୍କାର ଏହି ଦେବାଳିଆ ପରିସ୍ଥିତିରୁ ଚୀନ ମଧ୍ୟ ଭରପୂର ଲାଭ ଉଠାଇଥିଲା। ବାସ୍ତବ କଥା ହେଉଛି କରୋନା ଭାଇରସ ପାଇଁ ସବୁ ଦେଶର ଅର୍ଥିକ ସ୍ଥିତି ଉପରେ ବହୁତ ପ୍ରଭାବ ପଡିଲା। କିନ୍ତୁ ଶ୍ରୀଲଙ୍କା ଏଥିରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସଂକଟ ଆସିବାର କାରଣ ହେଉଛି ଶ୍ରୀଲଙ୍କାର ସର୍ବାଧିକ ଆୟ ପର୍ଯ୍ୟଟନରୁ ଆସିଥାଏ। ତେବେ କୋଭିଡ ସମୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ସବୁଠାରୁ ବେଶି ପ୍ରଭାବ ପଡ଼ିଥିଲା। କୁହାଯାଉଛିକି ଏଭଳି ପରିସ୍ଥିତିରେ ଚୀନକୁ ସାହାଯ୍ୟ ନାମରେ ଏକ ସୁଯୋଗ ମିଳିଗଲା। କିନ୍ତୁ ପ୍ରକୃତରେ ଶ୍ରୀଲଙ୍କାରେ ଚୀନ ନିଜର ମୂଳଦୁଆ କୋଭିଡ ପୂର୍ବରୁ ହିଁ ରଖି ସାରିଥିଲା।

ଏକ ରିପୋର୍ଟରୁ ଜଣାପଡ଼ିଛିକି ୨୦୦୫ ରୁ ୨୦୧୫ ମସିହା ମଧ୍ୟରେ ଚୀନ ବିକାଶ ସହାୟତା ବା ଓଡିଏ ଜରିଆରେ ଶ୍ରୀଲଙ୍କାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଖଟାଇଥିଲା । ଯାହା ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହେଲା। ଯେଉଁଥିରେ ଅଧିକାଂଶ ଲୋନ ଓଡିଏରୁ ହିଁ ଥିଲା। ଚୀନ ଶ୍ରୀଲଙ୍କାରେ ଅନେକ ପ୍ରୋଜେକ୍ଟକୁ ଆରମ୍ଭ କଲା ଓ ଏହି ପ୍ରୋଜେକ୍ଟ ଜରିଆରେ ରୋଜଗାର ବିକାଶ ଆଦି କଥା କୁହାଗଲା। ଏହିଭଳି ଭାବରେ ଚୀନ ଶ୍ରୀଲଙ୍କାରେ ନିଜର ପ୍ରଭାବକୁ ବିସ୍ତାର କରିବାକୁ ଲାଗିଲା। ଆଉ ଆଜି ସ୍ଥିତି ଏମିତି ହୋଇଛିକି ଶ୍ରୀଲଙ୍କାରେ ଚା’ କପ୍‌ ଦାମ୍‌ ୧୦୦ ଟଙ୍କା ହେଲା ବେଳକୁ ଚାଉଳ କିଲୋ ୫୦୦ ଟଙ୍କାରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଅରାଜକତା ଓ ଅଶାନ୍ତି ସୃଷ୍ଟି ହୋଇଯାଇଛି। ବର୍ତ୍ତମାନ କେବଳ ପଡ଼ୋଶୀ ଦେଶ ସାହାଯ୍ୟରେ ଶ୍ରୀଲଙ୍କାକୁ ଏହି ସ୍ଥିତିରୁ ଉଦ୍ଧାର କରିହେବ।

odia sambada
Comments (0)
Add Comment