ନିଜ ସ୍ତ୍ରୀକୁ ପୋଡି ମାରିଦେଲା ମଦ୍ୟପ ସ୍ୱାମୀ

ସାତ ଜନମର ସାଥୀ ହେବା ପାଇଁ ଧରିଥିଲେ ହାତ। ହେଲେ ଗୋଟିଏ ଜନମରେ ଜୀବନ ଶେଷ ହୋଇଗଲା। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ଆଉ ତା’ପରେ ସାତ ଜନମର ସାଥୀକୁ ଘରେ ପୁରାଇ ସବୁଦିନ ପାଇଁ କିରୋସିନ ଢାଳି ପୋଡ଼ିଦେଲା ମଦ୍ୟପ ସ୍ୱାମୀ। ଏଭଳି ଭାବରେ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ମହୁଲପାଲି ଥାନା ଅନ୍ତର୍ଗତ ଖଟାଟାଙ୍ଗର ଗାଁରେ। ମୃତ ମହିଳା ଜଣକ ହେଲେ ଲିଲିମା ରଣା। ପୋଲିସ ସ୍ୱାମୀ ରଘୁରାଜ ରଣାଙ୍କୁ ଅଟକ ରଖି ବର୍ତ୍ତମାନ ପଚରାଉଚରା କରୁଛି।

ଅଭିଯୋଗ ଅନୁଯାୟୀ, ଗତକାଲି ସକାଳେ ରଘୁରାଜ ମଦ ପିଇ ଆସି ଲିଲିମାଙ୍କୁ ମାରଧର କରିଥିଲେ। ଲିଲିମା ରାଗି ଯାଇ ନିଜର ବାପ ଘରକୁ ପଳାଇ ଯାଇଥିଲେ। ପରେ ବାପା ଝିଅକୁ ବୁଝାଇ ସୁଝାଇ ଆଣି ସ୍ୱାମୀ ପାଖରେ ସେ ଛାଡ଼ି ଦେଇ ଯାଇଥିଲେ। ରାତି ବେଳକୁ ପୁଣିଥରେ ରଘୁରାଜ ମଦ ପିଇ ଆସି ସ୍ତ୍ରୀଙ୍କ ସହିତ ଝଗଡ଼ା କରିଥିଲେ। ପରେ ଏକ ଘର ଭିତରେ ପୁରାଇ ଲିଲିମାଙ୍କ ଉପରେ କରୋସିନ ଢ଼ାଳି ଦେଇଥିଲେ ଓ ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀ ଲୋକ ଏହି ଚିତ୍କାରକୁ ଶୁଣି ଲିଲିମାଙ୍କୁ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଲିଲିମାଙ୍କୁ ରଘୁରାଜ ପୋଡ଼ି ମାରି ଦେଇଛନ୍ତି ବୋଲି ତାଙ୍କର ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ବର୍ତ୍ତମାନ ଘଟଣାର ତଦନ୍ତ କରୁଅଛି।

odia sambada
Comments (0)
Add Comment