ପାକିସ୍ତାନରେ ‘ଇମ୍ରାନ ଯୁଗ’ ଖତମ ! ଖେଳ ଖେଳିଦେଲେ ବାହାର ଲୋକ !

ପାକିସ୍ତାନ ଗତି କିଛି ମାସ ହେଲା ରାଜନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ଥାବ ମଧ୍ୟ ଦିଆଯାଇଛି। ଇମ୍ରାନ ଖାନଙ୍କ ଦଳର ନେତାମାନେ ନିଖୋଜ ହେଉଥିବା ସମୟରେ ମନ୍ତ୍ରୀମାନେ ଇସ୍ତଫା ଦେଉଛନ୍ତି। ଏହାରି ମଧ୍ୟରେ ଇସଲାମାବାଦରେ ରବିବାର ଦିନ ଇମ୍ରାନ ଖାନ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କର ଭାଷଣରେ ପାକିସ୍ତାନକୁ ବର୍ବାଦ କରିବାରେ ବିଦେଶୀ ଶକ୍ତିର ହାତ ଥିବା କଥା କହିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଦିନ ଜାତୀୟ ରାଜଧାନୀରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ ଦାବି କରିଛନ୍ତିଯେ ତାଙ୍କ ସହଯୋଗୀ ଦଳକୁ ହଟାଇବା ପାଇଁ ବିଦେଶୀ ଶକ୍ତିମାନେ ‘ଷଡଯନ୍ତ୍ର’ କରୁଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ରାଲିକୁ ସମ୍ବୋଧିତ କରି କହିଛନ୍ତିକି, ବିଦେଶୀ ଶକ୍ତିମାନେ ଟଙ୍କା ଓ ସ୍ଥାନୀୟ ରାଜନେତାମାନଙ୍କୁ ବ୍ୟବହାର କରି ଦେଶର ବୈଦେଶିକ ନୀତିରେ ଅନେକ ମାତ୍ରାରେ ହସ୍ତକ୍ଷେପ କରୁଛନ୍ତି। ଯାହାର ପ୍ରମାଣ ସ୍ୱରୁପ ଏକ ଚିଠିରେ ଥିବା କଥା ଇମ୍ରାନ ଖାନ ଦାବି କରିଛନ୍ତି।

‘ପାକିସ୍ତାନରେ ସରକାର ପରିବର୍ତ୍ତନ କରିବା ପାଇଁ ବିଦେଶୀ ପାଣ୍ଠି ମାଧ୍ୟମରେ ଉଦ୍ୟମ କରାଯାଉଛି। ଆମ ଲୋକମାନଙ୍କୁ ଏଥିରେ ବ୍ୟବହାର କରାଯାଉଛି। ଅଜାଣତରେ, କିନ୍ତୁ କିଛି ଲୋକ ଆମ ବିରୁଦ୍ଧରେ ଟଙ୍କା ମଧ୍ୟ ବ୍ୟବହାର କରୁଛନ୍ତି। ଆମେ ଜାଣିଛୁ କେଉଁଠାରୁ ଆମ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଛି। ଆମକୁ ଲିଖିତ ଆକାରରେ ଧମକ ମଧ୍ୟ ଦିଆଯାଇଛି, କିନ୍ତୁ ଆମେ ଜାତୀୟ ସ୍ୱାର୍ଥରେ ଆପୋଷ ବୁଝାମଣା କରିବୁ ନାହିଁ। ଆମେ କେତେ ଦିନ ଏହିପରି ବଞ୍ଚିବାକୁ ଚାହୁଁଛୁ ତାହା ମଧ୍ୟ ସ୍ଥିର କରିବାକୁ ପଡିବ। ବିଦେଶୀ ଷଡଯନ୍ତ୍ର ବିଷୟରେ ଅନେକ ଜିନିଷ ଅଛି ଯାହାକୁ ବହୁତ ଶୀଘ୍ର ସେୟାର ହେବ।’

‘ଏହି ତିନୋଟି କାଠ କଣ୍ଢେଇ ୩୦ ବର୍ଷ ଧରି ଦେଶକୁ ଲୁଟି ଆସୁଛନ୍ତି। ଇମ୍ରାନ ଖାନଙ୍କୁ ମଧ୍ୟ ମୁଶରଫଙ୍କ ପରି ଆତ୍ମସମର୍ପଣ କରିବା ପାଇଁ ଏହି ଡ୍ରାମା କରାଯାଉଛି। ସେମାନେ ସରକାରଙ୍କୁ ବ୍ଲାକମେଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ଜେନେରାଲ ମୁଶରଫ ତାଙ୍କ ସରକାରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି ଚୋରମାନଙ୍କୁ NRO (ନ୍ୟାସନାଲ ରିକନିକିଲେସନ୍ ଅର୍ଡିନାନ୍ସ) ଦେଇଥିଲେ। ଏହାଦ୍ୱାରା ପାକିସ୍ତାନର ଧ୍ୱଂସ ହୋଇଯାଇଥିଲା’ ବୋଲି ଡନ ଖବରକାଗଜକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି।

ମାର୍ଚ୍ଚ ୮ ତାରିଖରେ ବିରୋଧୀ ଦଳ ନ୍ୟାସନାଲ ଆସେମ୍ବ୍ଲି ସଚିବାଳୟ ସମ୍ମୁଖରେ ଏକ ଅନାସ୍ଥା ପ୍ରସ୍ଥାବ ଦେଇଥିଲେ। ଅନାସ୍ଥା ପ୍ରସ୍ଥାବକୁ ନେଇ ଶୁକ୍ରବାର ଦିନ ପାକିସ୍ତାନର ସଂସଦରେ ହୋହାଲ୍ଲା ଓ ନାରାବାଜୀ ହୋଇଥିଲା। ଏହାପରେ ସେହିଗୁରୁତ୍ୱପୂର୍ଣ୍ଣ ଅଧିବେଶନ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ଇମ୍ରାନଙ୍କ ୫୦ ଜଣ ସମର୍ଥକଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ସେପଟେ ଇମ୍ରାନ ଖାନଙ୍କର କ୍ୟାବିନେଟର ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ଅନେକ ପିଟିଆଇ ଛାଡିବାକୁ ପ୍ରସ୍ତୁତ ହେଉଥିବା ସୂତ୍ରରୁ ଜଣାପଡିଛି।

ସୂଚନା ଅନୁସାରେ, ପାକିସ୍ତାନ ସଂସଦର ସଦସ୍ୟ ସଂଖ୍ୟା ୩୪୨, ଯେଉଁଥିରେ ସଂଖ୍ୟାଗରିଷ୍ଠତା ୧୭୨ ରହିଛି। ୨୦୧୮ ମସିହାରେ ୧୭୯ ସଦସ୍ୟଙ୍କ ସହଯୋଗରେ PTI ନେତୃତ୍ୱାଧୀନ ସରକାରରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ସମୟରେ PTIରେ ୧୫୫ ଜଣ ସଦସ୍ୟ ଏବଂ ଚାରି ପ୍ରମୁଖ ସହଯୋଗୀ MQM-P, PML -Q, BAP ଏବଂ GDAରେ ଯଥାକ୍ରମେ ସାତ, ପାଞ୍ଚ, ପାଞ୍ଚ ଏବଂ ତିନିଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଚାରି ଜଣ ସହଯୋଗୀଙ୍କ ମଧ୍ୟରୁ MQM-P, PML-Q ଏବଂ BAP ବର୍ତ୍ତମାନ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ସମର୍ଥନ କରୁଛନ୍ତି।

odia sambada
Comments (0)
Add Comment