ଆଜିଠୁ ଦୁଇ ଦିନ ପାଇଁ ‘ଭାରତ ବନ୍ଦ’; ଜାଣନ୍ତୁ କେଉଁ କେଉଁ ସେବା ପ୍ରଭାବିତ ହେବ ?

ଦେଶରେ ଶ୍ରମିକ ଆନ୍ଦୋଳନ ପୁଣି ଥରେ ମୁଣ୍ଡ ଟେକିଲା। କେନ୍ଦ୍ର ସରକାରଙ୍କର ଘରୋଇକରଣ ନୀତି ଓ ଅତ୍ୟଧିକ ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ସଂଘ ତରଫରୁ ଦୁଇ ଦିନିଆ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ମାର୍ଚ୍ଚ ୨୮ (ସୋମବାର) ଓ ୨୯ ତାରିଖ (ମଙ୍ଗଳବାର)ରେ ଭାରତ ବନ୍ଦ କରିବା ପାଇଁ ସଂଘ ତରଫରୁ ନିଷ୍ପତ୍ତି ନେଇଛି। ଏହି ବନ୍ଦ ଡାକରାକୁ ବ୍ୟାଙ୍କ, ଟ୍ରାନ୍ସପର୍ଟ, ରୋଡୱେଜ ଓ ବିଜୁଳି ବିଭାଗର କର୍ମଚାରୀମାନେ ଓ ଅନେକ ରାଜନୈତିକ ଦଳ ସମର୍ଥନ କରୁଥିବା କଥା କୁହାଯାଉଛି।

କେନ୍ଦ୍ରୀୟ ଟ୍ରେଡ ସଂଘ ତରଫରୁ ସୋମବାର ଓ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛି। ମୋଦି ସରକାରଙ୍କ ନୀତି ବିରୁଦ୍ଧରେ ଏହି ଡାକରା ଦିଆଯାଇଛି। କର୍ମଚାରୀ, କୃଷକ ଏବଂ ସାଧାରଣ ଲୋକମାନଙ୍କ ଉପରେ ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତିର ଖରାପ ପ୍ରଭାବ ପକାଉଥିବା ଦାବି କରାଯାଉଛି। ଯେଉଁଥିପାଇଁ ବିରୋଧ ସଦୃଶ୍ୟ ଭାରତ ବନ୍ଦ କରିବା ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସିଛନ୍ତି। ତେବେ ଏହି ବନ୍ଦ ପାଳନକୁ ଅସଫଳ କରିବା ପାଇଁ ରାଜ୍ୟ ସରକାରମାନେ Essential Services Maintenance Act (ESMA)ପ୍ରୟୋଗ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ରାଜପଥ, ପରିବହନ ଏବଂ ବିଦ୍ୟୁତ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ଭରତ ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷକ, ବ୍ୟାଙ୍କିଙ୍ଗ, ବୀମା ଏବଂ ଆର୍ଥିକ କ୍ଷେତ୍ରର କର୍ମଚାରୀମାନେ ମଧ୍ୟ ଏହି ଧର୍ମଘଟର ଏକ ଅଂଶ ହେବେ ବୋଲି କୁହାଯାଉଛି। କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ, ଆୟକର, କପର, ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ଏହି ଧର୍ମଘଟ ସମ୍ପର୍କରେ ଟ୍ରେଡ ୟୁନିଅନ ଆଗୁଆ ନୋଟିସ ପଠାଇଛି। କେନ୍ଦ୍ରରେ ଥିବା ବିଜେପି ସରକାର ଏହାର ନୀତି ସହିତ ଶ୍ରମିକ ଶ୍ରେଣୀକୁ ହଇରାଣ କରୁଛନ୍ତି ବୋଲି ଦାବି ହେଉଛି।

ଟ୍ରେଡ ସଂଘର ଭାରତ ବନ୍ଦ ଡାକରାକୁ କଂଗ୍ରେସ ଓ ବାମ ଦଳ ମଧ୍ୟ ସମର୍ଥନ କରୁଛନ୍ତି। ଏହି ଭରତ ବନ୍ଦ ଫଳରେ ଅନେକ ବ୍ୟବସାୟ ବନ୍ଦ ହେବାର ଆଶଙ୍କା ରହିଛି। ଏହାର ସବୁଠାରୁ ଅଧିକ ପ୍ରଭାବବ୍ୟାଙ୍କିଙ୍ଗ ଉପରେ ଦେଖିବାକୁ ମିଳିପାରେ। ଆଶା କରାଯାଉଛିଯେ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ବ୍ୟାଙ୍କଗୁଡିକର କାର୍ଯ୍ୟ ବହୁ ପରିମାଣରେ ପ୍ରଭାବିତ ହେବ। ଏଥିପାଇଁ ଷ୍ଟେଟ୍ ବ୍ୟାଙ୍କ ତାହାର ଗ୍ରାହକଙ୍କୁ ଏ ସମ୍ପର୍କରେ ଆଗୁଆ ସୂଚନା ଦେଇଛି। ସୋମବାର ଓ ମଙ୍ଗଳବାର ଦିନ ପରିବହନ ସେବା ମଧ୍ୟ ଠପ ହୋଇଯିବାର ଆଶଙ୍କା ରହିଛି।

ଏହି ଭାରତ ବନ୍ଦକୁ AIBEA, IBA, AIBOA, BEFI ପରି ବ୍ୟାଙ୍କିଙ୍ଗ୍ ସଙ୍ଗଠନ ସମର୍ଥନ କରୁଥିବା ସମୟରେ AIBOC ଓ NCB ଦୂରେଇ ରହିଛନ୍ତି। ଯାହା ଫଳରେ ଷ୍ଟେଟ ବ୍ୟାଙ୍କର ଶାଖା ଗୁଡିକ ଖୋଲିବାର ସମ୍ଭାବନା ଅଛି। ସେହିପରି ରାଜ୍ୟର ବସ ମାଲିକ ସଙ୍ଘ ମଧ୍ୟ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁନାହାନ୍ତି, ତେଣୁ ରାଜ୍ୟରେ ବସ ସେବା ସ୍ୱଭାବିକ ରହିବ। ଖୁଚୁରା ଦୋକାନ ମଧ୍ୟ ଖୋଲା ରହିବ ବୋଲି ଓଡିଶା ବ୍ୟବସାୟୀ ସଙ୍ଘ କହିଛନ୍ତି। ତେବେ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ କୌଣସି ସ୍ପଷ୍ଟ ଭାବରେ ସୂଚନା ମିଳିନାହିଁ।

ଟ୍ରେଡ୍ ୟୁନିଅନର ଦୁଇ ଦିନିଆ ଧର୍ମଘଟ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରାମଦେବୀ ବିଶ୍ବବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ନୂତନ ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇ କହିଛନ୍ତି। ଅନ୍ୟପଟେ ବନ୍ଦ ସମୟରେ ପିକେଟିଂ ଜୋରଦାର କରାଯିବ ଓ ରାଜରାସ୍ତା-ରେଳପଥରେ ପ୍ରଦର୍ଶନ ହେବ ବୋଲି ଆନ୍ଦୋଳନକାରୀ ସଂସ୍ଥାମାନେ ପୂର୍ବରୁ ସୂଚନା ଦେଇଛନ୍ତି।

odia sambada
Comments (0)
Add Comment