ପୌର ନିର୍ବାଚନ ଫଳାଫଳ : କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ବିଜୟୀ

ରାଜ୍ୟର ତିନୋଟି ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବରେ ନିର୍ବାଚିତ ହୋଇଥିବା ସମୟରେ ବ୍ରହ୍ମପୁରରେ ବିଜେଡିର ସଂଘମିତ୍ରା ଦଳେଇ ମେୟର ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ମେୟର ହେବା ସୁନିଶ୍ଚିତ ହୋଇଛି। ପୌର ନିର୍ବାଚନରେ ବିଜେଡି ଦଳର ଏକପାଖିଆ ସଫଳତା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୬୧୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନୀତି ମୁଣ୍ଡଙ୍କୁ ମଧ୍ୟ ପରାଜିତ କରିଛନ୍ତି। ସୁଲୋଚନା ୧ ଲକ୍ଷ ୭୪ ହଜାର ୫୬୨ଖଣ୍ଡ ଭୋଟ ପାଇଥିବା ସମୟରେ ସୁନୀତି ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀର ମଧୁସ୍ମିତା ଆଚାର୍ଯ୍ୟ ୧୧ ହଜାର ୬ ଖଣ୍ଡ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି କଟକ ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ ୪୫ ହଜାର ୨ଶହ ୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୁବାସ ସିଂଙ୍କୁ ସମୁଦାୟ ଏକ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍‌ ମିଳିଥିବା ସମୟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୮୩୫୬ ଖଣ୍ଡ ଭୋଟ ମିଳିଛି। ବିଜେପିର ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯୨୨୩ ଖଣ୍ଡ ଭୋଟ ମିଳିଛି। ସୁବାସ ମେୟର ପ୍ରାର୍ଥୀ ଭାବରେ ବିଜୟୀ ହେବା ପରେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ସେହିପରି ବ୍ରହ୍ମପୁରରେ ମଧ୍ୟ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦୩୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସବିତା ସୁଆରଙ୍କୁ ପରାଜିତ କରିଛନ୍ତି। ବ୍ରହ୍ମପୁରରେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ଚତୁର୍ଥ ସ୍ଥାନରେ ରହିଥିବା ସମୟରେ ସେଠାରେ ଆମ ଆଦମୀ ପାର୍ଟି ତୃତୀୟ ସ୍ଥାନରେ ରହିଥିଲା।

odia sambada
Comments (0)
Add Comment