ଯାହା ଭାରତୀୟ ଦଳ କରିପାରିଲାନି,ତାହା ବାଂଲାଦେଶ କରି ଦେଖାଇଲା, ଦକ୍ଷିଣ ଆଫ୍ରିକାରେ ଜିତିଲା ଦିନକିଆ ସିରିଜ

ଯାହା ଭାରତୀୟ ଦଳ କରିପାରିଲା ନାହିଁ ତାହାକୁ ବାଂଲାଦେଶ କରି ଦେଖାଇଛି। ଦକ୍ଷିଣ ଆଫ୍ରିକା ମାଟିରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ଯାଚରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ବାଂଲାଦେଶ ୯ ଓ୍ଵିକେଟ ପରାସ୍ତ କରିଛି। ଏହି ବିଜୟ ସହିତ ବାଂଲାଦେଶ ଇତିହାସ ମଧ୍ୟ ରଚିଛି। ଦକ୍ଷିଣ ଆଫ୍ରିକା ମାଟିରେ ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ଦିନିକିଆ ସିରିଜ ଜିତିବାରେ ସଫଳ ହୋଇପାରିଛି।

ବାଂଲାଦେଶ ପ୍ରଥମେ ବୋଲିଂ କରି ତସ୍କିନ ଅହମ୍ମଦଙ୍କର ଘାତକ ବୋଲିଂ ଫଳରେ ୫ଟି ଓ୍ଵିକେଟ ସଫଳତା ବଳରେ ଦକ୍ଷିଣ ଆଫ୍ରିକାକୁ ୩୭ ଓଭରରେ ୧୫୪ ରନରେ ଅଲଆଉଟ କରି ଦେଇଥିଲା। ୨୬.୩ ଓଭରରେ କେବଳ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ସହଜରେ ବିଜୟ ହାସଲ କରି ନେଇଛି। ଦଳ ତରଫରୁ ଅଧିନାୟକ ତମିମ ଇକବାଲ ଅପରାଜିତ ୮୭ ରନ ଏବଂ ସାକିବ ଉଲ ହାସନ ୧୮ ରନ କରି ଅପରାଜିତ ହୋଇଥିଲେ। ତମିମ ଦିନିକିଆ କ୍ୟାରିୟରରେ ସେ ନିଜର ୫୨ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮୨ଟି ବଲରୁ ୧୪ଟି ଚୌକା ମାରିଛନ୍ତି। ଲିଟନ ଦାସ ୫୭ ବଲ୍‌ରୁ ଆଠଟି ଚୌକା ସହିତ ୪୮ ରନ କରି ଆଉଟ ହୋଇଥିଲେ।

ଏହା ପୂର୍ବରୁ ଜାନୁଆରୀ ମାସରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ତେବେ ଦଳ ୦-୩ରେ ଶୋଚନୀୟ ଭାବରେ ପରାଜିତ ହୋଇଥିଲା। ମାତ୍ର ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବାରେ ସଫଳ ହୋଇ ପାରିଛି। ଦକ୍ଷିଣ ଆଫ୍ରିକା ତରଫରୁ ଜାନେମନ ମଲାନ ସର୍ବାଧିକ ୩୯ ରନ କରିଥିଲେ। ଘରୋଇ ଦଳର କୌଣସି ବ୍ୟାଟସମ୍ୟାନ ତସ୍କିନ ଅହମ୍ମଦଙ୍କର ଘାତକ ବୋଲିଂ ମୁକାବିଲା କରିପାରିନଥିଲେ। କେଶବ ମହାରାଜ ୨୮, ଡ୍ଵେନ ପ୍ରିଟୋରିୟସ ୨୦, ଡେଭିଡ୍ ମିଲର ୧୬ ଏବଂ ଡି କକ ୧୨ ରନ ଅଧିକ ସମୟ କ୍ରିଜରେ ମଧ୍ୟ ତିଷ୍ଠି ପାରିନଥିଲେ। ତସ୍କିନ ୩୫ ରନ ଦେଇ ୫ ଓ୍ଵିକେଟ୍ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ସିରିଜ୍ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିବା ତସ୍କିନ ମ୍ୟାନ୍ ଅଫ ଦ ମ୍ୟାଚ୍ ଆଓ୍ଵାର୍ଡ ସହ ପ୍ଲେୟାର ଅଫ ଦ ଆଓ୍ଵାର୍ଡରେ ମଧ୍ୟ ବିବେଚିତ ହୋଇଛନ୍ତି।

odia sambada
Comments (0)
Add Comment