ଆଇପିଏଲ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ଛାଡ଼ିଲେ ଅଧିନାୟକ ପଦ,ଏଥର CSKର ମଙ୍ଗ ଧରିବେ ରବୀନ୍ଦ୍ର ଜାଡେଜା |

ଆଇପିଏଲ ୨୦୨୨ର ସଂସ୍କରଣ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେ ଆଜି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦକୁ ଛାଡ଼ି ଦେଇଛନ୍ତି। ୨୦୦୮ ମସିହାରୁ ଅର୍ଥାତ ୧୨ ବର୍ଷ ହେଲାଣି ସେ ଚେନ୍ନାଇର ଅଧିନାୟକତ୍ଵ କାର୍ଯ୍ୟ ଭାର ସମ୍ଭାଳି ଆସୁଥିଲେ। ତାଙ୍କର ଅଧିନାୟକତ୍ଵରେ ଚେନ୍ନାଇ ୪ଥର ଚାମ୍ପିୟନ ହୋଇଛି। କେବଳ ୨୦୧୬ ଓ ୨୦୧୭ ମସିହାରେ ଚେନ୍ନାଇ ଆଇପିଏଲରେ ବ୍ୟାନ ହୋଇଥିଲା। ବାକି ସବୁ ସଂସ୍କରଣରେ ଧୋନି ଦଳର ନେତୃତ୍ୱ ନେଇଥିଲେ।

୨୦୨୨ ମସିହାରେ ଆଇପିଏଲ ୨୬ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ଧୋନି ଏପରି ବଡ଼ ପଦକ୍ଷେପ ନେଇଛନ୍ତି। ତାଙ୍କର ଉତ୍ତରାଧିକାରୀ ଭାବରେ ରବୀନ୍ଦ୍ର ଜାଡେଜା ଦାୟିତ୍ୱ ପାଇଛନ୍ତି। ୨୦୨୨ ମସିହାରେ ଜାଡେଜାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ଆଇପିଏଲ ଖେଳିବ।

ସେହିପରି ଧୋନି ମଧ୍ୟ ଚେନ୍ନାଇ ଦଳରେ ରହିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲାକି ଧୋନି ନିଜେ ଜାଡେଜାଙ୍କୁ ଚେନ୍ନାଇର ପରବର୍ତ୍ତୀ କ୍ୟାପ୍ଟେନ ଭାବରେ ବାଛିଛନ୍ତି। ଅଧିନାୟକ ପଦରୁ ଧୋନିଙ୍କ ଅବସର ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଧୋନି ଅଧିନାୟକ ପଦ ଛାଡ଼ିବାରୁ ଗୋଟିଏ ଯୁଗର ଅବସାନ ଘଟିଥିବା କ୍ରିକେଟ ଫ୍ୟାନମାନେ କହିବା ଆରମ୍ଭ କରିଛନ୍ତି।

କାରଣ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ। ଚେନ୍ନାଇକୁ ୪ଥର ଆଇପିଏଲ ଟ୍ରଫି ଜିତିଥିବା ସମୟରେ ସେ ୯ଥର ଫାଇନାଲ ଖେଳିବାକୁ ସକ୍ଷମ ହୋଇଛି। ଏପରି ସଫଳତା ଆଉ କୌଣସି ଅଧିନାୟକ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ପାଇନାହାନ୍ତି। ମୁମ୍ବାଇ ଅବଶ୍ୟ ୫ଥର ଚାମ୍ପିୟନ ହୋଇଛି। ହେଲେ ଧୋନିଙ୍କର ଚେନ୍ନାଇ ସର୍ବାଧିକଥର ଫାଇନାଲ ଖେଳିଛି। ଆଇପିଏଲ ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣ ଠାରୁ ଧୋନି ଚେନ୍ନାଇର ଭାର ସମ୍ଭାଳି ଆସୁଥିଲେ। ୨୦୦୮ ସଂସ୍କରଣରେ ଚେନ୍ନାଇ ଫାଇନାଲ ଯାଇଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ମଧ୍ୟ ଦଳ ଚାମ୍ପିୟନ ହୋଇଥିଲା।

ଆଇପିଏଲର ୧୪ଟି ସଂସ୍କରଣ ମଧ୍ୟରୁ ଚେନ୍ନାଇ କେବଳ ୨୦୨୦ ମସିହାରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଥିଲା। ବାକି ସମସ୍ତ ସଂସ୍କରଣରେ ଦଳ ଫ୍ଲେ ଅଫ କିମ୍ବା ଫାଇନାଲ ଖେଳିଥିଲା। ୨୦୦୯ ମସିହାରେ ଦଳ ସେମି ଫାଇନାଲରେ ହାରି ଯାଇଥିବା ସମୟରେ ୨୦୧୪ ମସିହାରେ ଫ୍ଲେ ଅଫରୁ ବିଦା ହୋଇଥିଲା। ବାକି ସମସ୍ତ ସଂସ୍କରଣରେ ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।

odia sambada
Comments (0)
Add Comment