କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ ଓ ହ-ତ୍ୟା : ସବୁ ଗୁମର ଖୋଲିବ ପିଆଜ ପାଖୁଡା !

ବର୍ତ୍ତମାନ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କୁ ଅପହରଣ ଓ ହତ୍ୟା କରାଯାଇଥିଲା ବୋଲି ଆପାତତଃ ସ୍ପଷ୍ଟ ହୋଇସାରିଛି ଓ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସେହି ଦୟାଲ ଆଶ୍ରମରେ ହିଁ ଏହିହତ୍ୟାକାଣ୍ଡ ସଂଘଟିତ ହୋଇଥିବାର ଜଣାପଡ଼ିଛି। ତେଣେ ଶର୍ମିଷ୍ଠା ରାଉତଙ୍କର ଭାଇ ପରମେଶ୍ୱରଙ୍କୁ ପୋଲିସ ବିଜୟୱାଡ଼ାରୁ ଧରିଲା। ଏହାପରେ ତାଙ୍କୁ ଅଟକ ରଖି ବର୍ତ୍ତମାନ ଜେରା ଚାଲିଛି। ତେବେ ଶର୍ମିଷ୍ଠା ରାଜ୍ୟ ବାହାରକୁ ଯାଇଛନ୍ତି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଆଶ୍ରମ ଭିତରେ ଚାବି ପକାଇ ମାନସଙ୍କୁ ରଖିଥିବା କଥା କୁହନ୍ତି ଆଶ୍ରମ ପରିଚାରିକା ବା କେୟାରଟେକର। ତାଙ୍କ କହିବା କଥା ଅନୁସାରେ, ଘଟଣା ଦିନ ସେ ମାଡ଼ାମ ଓରଫ ଶର୍ମିଷ୍ଠା ରାଉତ, ଝୁନା ଦିଦି ଓରଫ ଝୁନା ଭୋଇ ଏବଂ ରାଜ ଭାଇକୁ ମଧ୍ୟ ସେ ଦେଖିଥିଲେ। ତାଙ୍କ ଛଡ଼ା ଆଉ ପ୍ରାୟ ୩ ଜଣ କାର ଭିତରେ ବସିଥିବାର ମଧ୍ୟ ଦେଖିଥିଲେ, ଯେଉଁମାନଙ୍କୁ ସେ ଆଦୌ ଚିହ୍ନନ୍ତି ନାହିଁ।

ଏହି ବୟାନରୁ ଅନେକ କିଛି ସ୍ପଷ୍ଟ ହୋଇଯାଉଛି। ଆଉ ଯାହା ବା କିଛି ଅଡୁଆ ସୁତା ରହିଛି, ଆସନ୍ତୁ ଏହି କନେକ୍ସନକୁ ଦେଖି ତାକୁ ସଜାଡ଼ିବାକୁ ଚେଷ୍ଟା କରିବା। ଶର୍ମିଷ୍ଠାଙ୍କୁ ଫେବ୍ରୁଆରୀ ୭ ତାରିଖ ପରଠାରୁ ବାରମ୍ବାର ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଫୋନ କରୁଥିଲେ। ଏପରିକି ଦୀର୍ଘ ସମୟ ଧରି ତାଙ୍କ ସହିତ କଥା ମଧ୍ୟ ହେଉଥିଲେ। ପୂର୍ବରୁ ଦିନକୁ ଚାରି ପାଞ୍ଚ ଥର କଥା ହେଉଥିବା ସମୟରେ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ଯା ପରେ ସେମାନେ ଦିନକୁ ବାରରୁ ପନ୍ଦର ଥର ପର୍ଯ୍ୟନ୍ତ କଥା ହେଉଥିଲେ। ଏପରିକି ଘଟଣା ଦିନ ତ’ ଉଭୟେ ୩୦ ଥର କଥା ହୋଇଥିଲେ। ଯାହାକୁ ନେଇ ନିରଞ୍ଜନ ସେଠୀ ସନ୍ଦେହ ଘେରକୁ ଆସିଥିଲେ। ଏହି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସପି ଯତିନ ପଣ୍ଡା। ଏଥିସହ ଆହୁରି କୁହାଯାଇଛିଯେ, ଶର୍ମିଷ୍ଠାଙ୍କୁ ଧରିବା ପାଇଁ ବର୍ତ୍ତମାନ ୪ଟି ଦଳ ଗଠନ କରାଯାଇଛି। ଏସବୁ ଦଳ ରାଜ୍ୟ ତଥା ରାଜ୍ୟ ବାହାରେ ଯାଇ ବର୍ତ୍ତମାନ ତଦନ୍ତ କରୁଛି। ତେବେ ନିରଞ୍ଜନ ସେଠୀ ଗିରଫ ହୋଇ ଜେଲ ଯାଇଛନ୍ତି। ମାତ୍ର ଯାହା ସବୁଠୁ ବେଶୀ ଗୁରୁତର ଆଉ ସ୍ପର୍ଶକାତର, ତାହା ହେଉଛି, ଏ ମାମଲାର ତଦନ୍ତ ଦାୟିତ୍ୱ ବର୍ତ୍ତମାନ ଅଛି କାହା ହାତରେ? ତାହା ଅଛି, ଏଏସପି ଯତିନ ପଣ୍ଡାଙ୍କ ହାତରେ। ହେଲେ ବର୍ତ୍ତମାନ ତଦନ୍ତକାରୀ ଅଫିସର ଖୋଦ୍ ଯତିନ ପଣ୍ଡାଙ୍କ ସହ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କର ଏକ ଫଟୋ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ ରାଜ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ଇଏ କିଭଳି ଗେମ୍, ତାହା ବୁଝିବା ବାସ୍ତବରେ ବହୁତ ମୁସ୍କିଲ ହୋଇ ପଡ଼ିଛି।

ପୋଲିସ କହୁଛିକି, ଗତ ଫେବ୍ରୁଆରୀ ମାସରେ ଶର୍ମିଷ୍ଠା ରାଉତଙ୍କୁ ଜେରା ପାଇଁ ଥାନାକୁ ଡକା ଯାଇଥିଲା। ସେତେବେଳେ ମଧ୍ୟ ଯତିନ ପଣ୍ଡା ତାଙ୍କୁ ପଚରା ଉଚରା କରିଥିଲେ। ତେବେ ଏଠିକାର ଲୋକମାନଙ୍କ ମନରେ ଗୋଟିଏ ସନ୍ଦେହ ଉଠୁଛିକି, ସମ୍ପୃକ୍ତ ପୋଲିସ ଅଧିକାରୀ ତା’ଙ୍କୁ ପଚରା ଉଚରା କରିବାକୁ ଥାନାକୁ ଡକାଇଥିଲେ ନା ଶର୍ମିଷ୍ଠା ନିଜେ କେମିତି ଆଇନର ଗଳାବାଟ ଦେଇ ଖସିଯିବେ, ସେଥିପାଇଁ ବିଚାରବିମର୍ଶ କରିବା ପାଇଁ ତା’ଙ୍କ ନିକଟକୁ ଯାଇଥିଲେ। ଜଣେ ରାଜନେତା ବା ସମାଜସେବୀଙ୍କ ସହିତ ଶର୍ମିଷ୍ଠା ଘନିଷ୍ଠ ହେବାର ଅଭିପ୍ରାୟ ବୁଝି ହେଉଛି। ମାତ୍ର ଜଣେ ପୋଲିସ ଅଧିକାରୀଙ୍କ ସହିତ ତାଙ୍କର ଇଣ୍ଟିମାସୀ ଟିକେ ଖଟକା ଲାଗୁନାହିଁ କି? ଏଠି ଦୋଷୀ କିଏ ଆଉ କିଏ ନିର୍ଦ୍ଦୋଷ, ତାହା ବୁଝିବାକୁ ଚେଷ୍ଟା କରୁଥିବା ଲୋକଙ୍କର ଅକଲଗୁଡୁମ ହୋଇଯାଇଛି। ଏଣେ ସ୍ୱାମୀଙ୍କର ଅପହରଣ ଓ ହତ୍ୟା ପଛରେ ସରକାରୀ ଦଳର ବଡ଼ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ଥିବାର ଗନ୍ଧ ବାରିଛନ୍ତି ମାନସ ସ୍ୱାଇଁଙ୍କ ବିଧବା ପତ୍ନୀ। ସିଧା ସିଧା ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ସେ ଆରୋପ ଲଗାଇଛନ୍ତି।

ଏପଟେ ଶର୍ମିଷ୍ଠା ରାଉତ ଏତେ କମ୍ ସମୟ ମଧ୍ୟରେ ଏତେ ଆଗକୁ କିଭଳି ଚାଲିଯାଇ ପାରିଲେ, ତାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ବହୁ ବଡ଼ବଡ଼ିଆ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଶର୍ମିଷ୍ଠା ତିଆରି କରିଥିଲେ ଏହି ବିଶାଳ ସାମ୍ରାଜ୍ୟ। ସରକାରୀ ଅଧିକାରୀମାନଙ୍କ ଅନୈତିକ ଫେଭର ପ୍ରାପ୍ତ ହୋଇ ଶର୍ମିଷ୍ଠା ନିଜ ‘ୱେବ ପୋର୍ଟାଲ’ ଓ ‘ପାକ୍ଷିକ ଖବରକାଗଜ’ ପାଇଁ ଅନୁଦାନ ମଧ୍ୟ ହାସଲ କରି ପାରୁଥିଲେ। ବର୍ତ୍ତମାନ ନିଜ ବିଭାଗର ସବୁ ଗୁମର ପଦାରେ ପଡ଼ିଗଲା ପରେ ମୁହଁ ଲାଜ ରଖିବାକୁ ଯାଇ ବିଭାଗୀୟ ଅଧିକାରୀ କହିଛନ୍ତିକି ଶର୍ମିଷ୍ଠାଙ୍କ ଖବରକାଗଜର ଦସ୍ତାବିଜ ଯାଞ୍ଚ କରାଯିବା ପରେ ଯାଇ ତାଙ୍କର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାରି ଭିତରେ ସାମ୍ନାକୁ ଆଉ ଏକ ସତ ଆସିଛି। କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଅପହରଣ ଓ ହତ୍ୟା ପଛର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ହେବା ସମ୍ପର୍କରେ ତା’ଙ୍କ ପରିବାର ତରଫରୁ ଗତ ଫେବ୍ରୁଆରୀ ୧୪ ତାରିଖ ଅଭିଯୋଗ ହୋଇଥିଲା। ଚାନ୍ଦବାଲି ଥାନା ପୋଲିସ ଆଇପିସି ଦଫା ୩୬୩ ଓ ଦଫା ୩୪ରେ ଏକ ମାମଲା ରୁଜୁ କରିଥିଲା। ଚାନ୍ଦବାଲି ଥାନା କେସ୍ ନମ୍ବର ୬୩/୨୦୨୨ରେ ଏକ ମାମଲା ରୁଜୁ ହୋଇଥିଲା। ଏ ଖବର ଶର୍ମିଷ୍ଠା ରାଉତଙ୍କର ହୃତସ୍ପନ୍ଦନ ବଢ଼ାଇ ଦେଇଥିଲା। ଗିରଫ ହେବା ଭୟରେ ଗତ ଫେବ୍ରୁଆରୀ ୨୩ ତାରିଖ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ସେ ଆବେଦନ କରି ପକାଇଥିଲେ। ହେଲେ ଗତ ମାର୍ଚ୍ଚ ୧୬ ତାରିଖ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ପରବର୍ତ୍ତୀ ସମୟରେ ମାନସ ସ୍ୱାଇଁ ନିଖୋଜ ମାମଲା ହତ୍ୟାକାଣ୍ଡ ରୂପ ନେଇ ସାରିଥିବାରୁ ପୋଲିସ ମଧ୍ୟ ଆଇପିସିର ୩୦୨ ଦଫାରେ ଏକ ମାମଲା ରୁଜୁ କରିଛି। ଏଣିକି ସେ ଆତ୍ମସମର୍ପଣ କରିବେ ନଚେତ ପୋଲିସ ତାଙ୍କୁ ଗିରଫ କରିବ, ବର୍ତ୍ତମାନ ଶର୍ମିଷ୍ଠାଙ୍କ ଆଗରେ ଏ ଦୁଇଟି ହିଁ ବାଟ ଅଛି।

odia sambada
Comments (0)
Add Comment