ୟୁକ୍ରେନରେ ଫସିଥିବା ଜୀବଜନ୍ତୁମାନଙ୍କ ପାଇଁ ଯୁବକ ସାଜିଲେ ଦେବଦୂତ,୧୫ ଦିନ ମଧ୍ୟରେ ୨୦୦ ବିଲେଇ ଓ ୬୦ କୁକୁର ଉଦ୍ଧାର କଲେ

ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ବହୁତ ଲୋକମାନଙ୍କୁ ନିଜ ଦେଶ ଛାଡ଼ି ଯିବାକୁ ପଡ଼ିଛି। ଅନେକ ଲୋକ ଏହି ଆକ୍ରମଣରେ ପ୍ରାଣ ମଧ୍ୟ ହରାଇଛନ୍ତି। ଯୁଦ୍ଧର ଏପରି ଭୟାବହ ପରିସ୍ଥିତିରେ ମଣିଷଙ୍କ ପରି ଜୀବଜନ୍ତୁମାନେ ମଧ୍ୟ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ଏପରିକି, କିଛି ଲୋକ ନିଜର ପୋଷା ଜୀବଜନ୍ତୁଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କିନ୍ତୁ ଏହାରି ଭିତରେ ସେହି ଜୀବଜନ୍ତୁଙ୍କ ପାଇଁ ୩୨ ବର୍ଷୀୟ ଜଣେ ଯୁବକ ଦେବଦୂତ ସାଜିଥିଲେ, ଯିଏକି ନିଜ ଦେଶରୁ ବର୍ଡର ପାର କରି ୟୁକ୍ରେନକୁ ଆସିଥିଲେ ଏବଂ ଏଠାରୁ ଜୀବଜନ୍ତୁମାନଙ୍କୁ ସୁରକ୍ଷିତ ଭାବରେ ସେ ଉଦ୍ଧାର କରିଥିଲେ।

ପୋଲାଣ୍ଡରେ ରହୁଥିବା ଜାକୁବ କୋଟୋଭିକ୍ସ ନାମକ ଜଣେ ଯୁବକ ଗତ ୧୫ ଦିନ ମଧ୍ୟରେ ୨୦୦ ବିଲେଇ ଏବଂ ୬୦ କୁକୁରଙ୍କୁ ଉଦ୍ଧାର କରି ସୁରକ୍ଷିତ ଜାଗାରେ ପହଞ୍ଚାଇଛନ୍ତି। ସେ ଲଭିଭ ସହରରେ ଫସିଥିବା ଜୀବଜନ୍ତୁଙ୍କ ପାଇଁ ଏକ ରେସ୍କ୍ୟୁ ଅପରେସନ ଚଲାଇଥିଲେ। ଉଦ୍ଧାର ହୋଇଥିବା ପୋଷା ଜୀବଜନ୍ତୁ ବର୍ତ୍ତମାନ ଧୀରେ ଧୀରେ ମାନସିକ ଏବଂ ଶାରୀରିକ ରୂପରେ ସୁସ୍ଥ ହେଉଛନ୍ତି। ଜାକୁବ ୨ ମାସର ଏକ ଛେଳି ଛୁଆର ଜୀବନ ମଧ୍ୟ ରକ୍ଷା କରିଛନ୍ତି, ଯାହାର ନାଁ ହେଉଛି ସାଶା। ବର୍ତ୍ତମାନ ସେ ତାକୁ ନିଜ ଘରେ ପାଳିବାକୁ ଯୋଜନା କରୁଛନ୍ତି।

ଜାକୁବଙ୍କ ଅନୁସାରେ, ସେ ଜୀବଜନ୍ତୁମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ୧୨ ଲକ୍ଷ ଟଙ୍କାରେ ସେ ଦୁଇଟି କାର କିଣିଥିଲେ। ଜାକୁବ କୋଟୋଭିକ୍ସ ଏଡିଏ ଫାଉଣ୍ଡେସନରେ ପଶୁ ଚିକିତ୍ସକ ରୂପରେ କାର୍ଯ୍ୟରତ। ପାଖାପାଖି ୧୫ ବର୍ଷ ଧରି ଚଲାଇ ଆସୁଥିବା ଏହି ସଂସ୍ଥା ସହ ତାଙ୍କର ଏକ ଘରୋଇ ପଶୁ ଚିକିତ୍ସାଳୟ ମଧ୍ୟ ଅଛି, ଯେଉଁଠାରେ ଲୋକମାନଙ୍କୁ ମାଗଣାରେ ସୁବିଧା ଉପଲବ୍ଧ ମଧ୍ୟ କରାଯାଇଥାଏ।

odia sambada
Comments (0)
Add Comment