ମର୍ଡରର ମାସେ ପରେପରେ ପୁଲିସ୍‌ ହାତରେ ଲାଗିଲା ବଡ଼ ସୁରାଗ, ଏବେ ଜଣାପଡ଼ିବ ଶର୍ମିଷ୍ଠାଙ୍କ ଠିକଣା !

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ମୋବାଇଲ ମିଳିଲା। ହତ୍ୟାକାଣ୍ଡ ଘଟିବାର ମାସେ ପରେ ପୋଲିସ ମାନସଙ୍କର ମୋବାଇଲକୁ ଜବତ କରିଛି। ଆଉ ସେଥିରୁ ହତ୍ୟାକାଣ୍ଡର ଖିଅ ମିଳିପାରେ ବୋଲି ବର୍ତ୍ତମାନ ଆଲୋଚନା ହେଉଛି। ଅନ୍ୟପକ୍ଷରେ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାଙ୍କର ସମର୍ଥକଙ୍କୁ ଖୋଜିବା ପାଇଁ ରାଉରକେଲା ଯାଇଥିବା ପୋଲିସ ଦଳ ଖାଲି ହାତରେ ଫେରିଛି। ପୋଲିସ ଗସ୍ତ ପୂର୍ବରୁ ସେଠାରେ ଶର୍ମିଷ୍ଠା ଚମ୍ପଟ ମାରିଥିଲେ ବୋଲି ଆଲୋଚନା ହେଉଛି।

ସୂଚନା ଅନୁସାରେ ମାସେ ତଳେ କାମ କରିବାକୁ ଯାଉଥିବା ଜଣେ ଶ୍ରମିକ ୧୬ ନମ୍ୱର ଜାତୀୟ ରାଜପଥର ସଙ୍ଖାରିଢ଼ିହ ନିକଟରୁ ଏକ ମୋବାଇଲ ପାଇଥିଲା। ସେ ସେହି ମୋବାଇଲ୍‌ଟିକୁ ସେଠାରେ ଥିବା ଏକ ପାନ ଦୋକାନୀକୁ ସେ ହସ୍ତାନ୍ତର କରିଥିଲେ। ପରେ ସେହି ମୋବାଇଲକୁ ଦୁଇଟି କଲ ଆସିଥିଲା। ଫୋନ୍‌ ରିସିଭ୍‌ କରି ଠକଣା ବତାଇଥିଲେ ଦୋକାନୀ। ହେଲେ ଫୋନ୍‌ କରିଥିବା ବ୍ୟକ୍ତି ଆସି ନଥିଲେ। ଦୋକାନୀ ମାଲିକ ୪ ଦିନ ଅପେକ୍ଷା କରି ମୋବାଇଲ୍‌ଟିକୁ ଧର୍ମଶାଳା ଥାନାର ଜମା କରିଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ଚାନ୍ଦବାଲି ପୋଲିସ ଧର୍ମଶାଳା ଥାନାରୁ ମୋବାଇଲ ନେଇଯାଇଛି।

ଜବତ ହୋଇଥିବା ମୋବାଇଲ ମାନସଙ୍କର ବୋଲି ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛିକି, ଧର୍ମଶାଳା ପାଖରେ ମୋବାଇଲ କେମିତି ପଡ଼ିଲା? ଦୁଇ ଥର ଫୋନ କରିଥିବା ବ୍ୟକ୍ତି କିଏ? ଠକଣା ଜାଣିଲା ପରେ ମଧ୍ୟ କାହିଁକି ସେ ମୋବାଇଲ ନେବା ପାଇଁ ଆସିଲେ ନାହିଁ? ହତ୍ୟା କରିଥିବା ଅଭିଯୁକ୍ତମାନେ ମାନସଙ୍କର ମୋବାଇଲ୍‌ ପାଇବା ପାଇଁ ଫୋନ କରିନାହାନ୍ତି ତ? ମାନସଙ୍କର ମୋବାଇଲ୍‌ ମିଳିବା ପରେ ଏମିତି ସସ୍‌ପେନ୍ସ ସବୁ ଜାରି ରହିଛି।

ଅଭିଯୋଗ ହେଉଛିକି, ୭ ତାରିଖ ସକାଳେ ମାନସଙ୍କୁ ଭଦ୍ରକରୁ ମାଡ଼ ମାରି ଅପହରଣ କରି ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ। ଭଦ୍ରକରୁ ଫେରିବା ସମୟରେ ମାନସ ତାଙ୍କ ମୋବାଇଲ୍‌କୁ ଫିଙ୍ଗି ଥାଇପାରନ୍ତି। ସିଏ ଯାହା ହେଉନା କାହିଁକି ମାନସଙ୍କର ମୋବାଇଲ୍‌ରେ ହତ୍ୟା ଖିଅ ନିଶ୍ଚିତ ଥିବ ବୋଲି ବର୍ତ୍ତମାନ ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଦୁଇ ଦୁଇ ଥର ଜେରାର ସମ୍ମୁଖୀନ ହୋଇଥିବା ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ବର୍ତ୍ତମାନ ଫେରାର ହୋଇଯାଇଛି। ପ୍ରତିଦିନ ସେ ନିଜର ଠିକଣା ବଦଳାଉଛନ୍ତି। ଯେଉଁଥିପାଇଁ ପୋଲିସ ତାଙ୍କୁ ଗିରଫ କରିପାରୁ ନାହିଁ। ସେପଟରେ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୋଲିସ ୩ଟି ଦଳ ଗଠନ କରିଛି। ଗୋଟିଏ ଦଳ ରାଉରକେଲା ଯାଇଥିବା ସମୟରେ ଆଉ ଗୋଟିଏ ଦଳ ବିଶାଖାପାଟଣା ଯାଇଛି। ଆଉ ଗୋଟିଏ ଦଳ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ତଦନ୍ତ କରୁଛି। ତେବେ ରାଉରକେଲା ଯାଇଥିବା ଦଳ ଶନିବାର ଦିନ ଖାଲି ହାତରେ ଫେରି ଆସିଛି।

odia sambada
Comments (0)
Add Comment