ଆଜି ବି ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୨୦ ଓ ୨୧ ତାରିଖରେ ହେବ ବର୍ଷା !

ବର୍ତ୍ତମାନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ପରି ଆଜି ମଧ୍ୟ ଦିନର ତାପମାତ୍ରା ସାଧାରଣ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଅସମ୍ଭାଳ ତାତିରେ ସାରା ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। ଆଜି ଭଳି ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା ବହୁତ କମ। ତେବେ ୨୧ ତାରିଖ ସୁଦ୍ଧା ପାଗରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ହୋଇପାରେ। ୨୧ ଓ ୨୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଆକଳନ କରାଯାଇଛି।

କେନ୍ଦ୍ର ତରଫରୁ ଜାରି କରାଯାଇ ଥିବା ବୁଲେଟିନ ଅନୁଯାୟୀ ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିବ। ସେପାଇଁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଠିକ ସେମିତି ଶୁକ୍ରବାର ଦିନ ସକାଳ ସାଢ଼େ ୮ଟାରୁ ଶନିବାର ଦିନ ସକାଳ ସାଢ଼େ ୮ଟା ପର୍ଯ୍ଯନ୍ତ ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳ ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଲାଗି ରହିବାର ଆଶଙ୍କା ଥିବା କାରଣରୁ ପଦାକୁ ବାହାରୁଥିବା ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ସତର୍କ ରହିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି।

ସେପଟେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ବର୍ତ୍ତମାନ ଧୀରେ ଧୀରେ ଦୁର୍ବଳ ହେଉଅଛି। ଏହାର ପ୍ରଭାବ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରହିବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସମୁଦ୍ର ମଧ୍ୟରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ଯାହାର ପ୍ରଭାବରେ ତାପମାତ୍ରା ସମ୍ପୂର୍ଣ ରୂପରେ କମିଯିବ ଓ ମଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତିକି, ୨୦ ତାରିଖ ସକାଳ ସାଢ଼େ ୮ଟା ରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ଯନ୍ତ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବା ଅଛି। ଠିକ ସେହିପରି ୨୧ ତାରିଖ ଦିନ ସକାଳ ସାଢ଼େ ୮ଟା ରୁ ୨୨ ତାରିଖ ସକାଳ ସାଢ଼େ ୮ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଶ୍ରୀ ଦାସ ଆକଳନ କରିଛନ୍ତି।

odia sambada
Comments (0)
Add Comment